Latest Odisha News

BREAKING NEWS

କାଶୀରେ କାହିଁକି ଖେଳାଯାଏ ଶ୍ମଶାନ ହୋଲି? ଏହାକୁ ନେଇ କାହିଁକି ଆରମ୍ଭ ହେଲା ବିବାଦ…

ବାରାଣସୀ: ଉତ୍ତରପ୍ରଦେଶର ମଣିକର୍ଣ୍ଣିକା ଘାଟରେ ଶ୍ମଶାନ ଚିତାର ପାଉଁଶରେ ହୋଲି ଖେଳିବା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ହେଲେ ବାରାଣସୀରେ ହେବାକୁ ଥିବା ଶ୍ମଶାନନ ହୋଲିକୁ ନେଇ ବିରୋଧ ଏବେ ତୀବ୍ର ହୋଇଛି । ଗୋଟିଏ ପକ୍ଷ ଏହାକୁ ବିରୋଧ କରୁଥିବିବାବେଳେ ଅନ୍ୟ ପକ୍ଷ ଏହାକୁ ସମର୍ଥନ କରୁଛନ୍ତି । ବାରଣାସୀର ମଣିକର୍ଣ୍ଣିକା ଘାଟରେ ୧୦ ଏବଂ ୧୧ ମାର୍ଚ୍ଚରେ ଶ୍ମଶାନ ହୋଲି ଖେଳାଯିବ । ତଥାପି, ଅନେକ ହିନ୍ଦୁ ସଂଗଠନ ଏବଂ ବୁଦ୍ଧିଜୀବୀ କହିଛନ୍ତି ଯେ କୌଣସି ଶାସ୍ତ୍ରରେ ଭଷ୍ମ ହୋଲିର ଉଲ୍ଲେଖ ନାହିଁ ।

ଶ୍ମଶାନରେ କାହିଁକି ହୋଲି ଖେଳାଯାଏ?
ଶ୍ମଶାନ ହୋଲି ବିବାଦ ଉପରେ ନିଜର ନୀରବତା ଭାଙ୍ଗି ବାବା ମହାଶ୍ମଶାନ ନାଥ ମନ୍ଦିରର ପ୍ରଶାସକ ଗୁଲଶନ କପୁର କହିଛନ୍ତି ଯେ, ଏହା ବିଶ୍ୱାସ କରାଯାଏ ଯେ ରଙ୍ଗଭରୀ ଏକାଦଶୀର ପରଦିନ, ବାବା ଭୋଳାନାଥ ମଧ୍ୟାହ୍ନ ସ୍ନାନ ପାଇଁ ମଣିକର୍ଣ୍ଣିକା ମନ୍ଦିରକୁ ଆସନ୍ତି । ସ୍ନାନ ପରେ, ଲୋକମାନେ ଚିତାର ପାଉଁଶ ବ୍ୟବହାର କରି ନିଜ ପ୍ରିୟଜନଙ୍କ ସହିତ ହୋଲି ଖେଳନ୍ତି । ଏହି ପରମ୍ପରା ଅନାଦି କାଳରୁ ଚାଲିଆସିଛି ।

କାହିଁକି ବିରୋଧ ହେଉଛି?
ପ୍ରଫେସର ରାମନାରାୟଣ ଦ୍ୱିବେଦୀ କହିଛନ୍ତି ଯେ, ସମ୍ପର୍କୀୟମାନଙ୍କ ମୃତଦେହ ଶ୍ମଶାନରେ ପଡ଼ି ରହିଛି । ଏପରି ପରିସ୍ଥିତିରେ ସେଠାରେ ଉତ୍ସବ ଆୟୋଜନ କରିବା ଠିକ୍ ନୁହେଁ । ସେ କହିଥିଲେ ଯେ ଏପରି ଘଟଣା କାଶୀର ପରମ୍ପରା ନୁହେଁ । ଲୋକମାନେ କାଶୀକୁ ସେମାନଙ୍କର ପାପ ଧୋଇବା ପାଇଁ ଯାଆନ୍ତି, କିନ୍ତୁ ମନେ ରଖିବା ଉଚିତ ଯେ କାଶୀରେ କରାଯାଇଥିବା ପାପ ଧୋଇ ହୁଏ ନାହିଁ । ଏହି କାର୍ଯ୍ୟକ୍ରମରେ ଯୁବପିଢ଼ି ଅଂଶଗ୍ରହଣ କରିବା ଦୁର୍ଭାଗ୍ୟଜନକ ।

କାଶୀ ବିଦ୍ୱତ୍ ପରିଷଦ, ବିଶ୍ୱ ବୈଦିକ ସନାତନ ନ୍ୟାସ ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ଦ୍ୱାରା ଏକ ଆଲୋଚନାର ଆୟୋଜନ କରାଯାଇଥିଲା । ଏହି ବୈଠକ ପରେ, ହିନ୍ଦୁ ସଂଗଠନଗୁଡ଼ିକ ଅନୁରୋଧ କରିଥିଲେ ଯେ ଘରଲୋକ, ଯୁବକ ଏବଂ ଝିଅମାନେ ଏପରି ସ୍ଥାନକୁ ଯିବା ଠିକ୍ ନୁହେଁ । ଏହା ଗମ୍ଭୀର ପରିଣାମ ମଧ୍ୟ ଆଣିପାରେ ବୋଲି କୁହାଯାଉଛି । ଏପରି କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

ଅନ୍ୟପଟେ ମଣିକର୍ଣ୍ଣିକା ଘାଟରେ ଶ୍ମଶାନ ହୋଲି ୧୧ ମାର୍ଚ୍ଚ ଦିନ ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ମାତ୍ର ଗୋଟିଏ ଘଣ୍ଟା ପାଇଁ ଅନୁଷ୍ଠିତ ହେବ । ଏହି ସମୟ ମଧ୍ୟରେ ଡିଜେ ବଜାଇବା ଉପରେ ପ୍ରତିବନ୍ଧକ ଲଗାଯିବ । ଭକ୍ତମାନେ କଚୋରି ଗଲି ଏବଂ ମଣିକର୍ଣ୍ଣିକା ଘାଟ ଗଲିରୁ ପ୍ରବେଶ କରିବେ । କାଶୀ ଜୋନ୍ ଡିସିପି ଗୌରବ ବଂଶଲ ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଭକ୍ତମାନେ ଗଙ୍ଗା ଘାଟ ଦେଇ ବାହାରିବେ ।

ଡିସିପି କହିଛନ୍ତି ଯେ ଭକ୍ତମାନେ ଶାନ୍ତିପୂର୍ଣ୍ଣ ଭାବରେ ଏହି ଉତ୍ସବର ମଜା ନେବା ଉଚିତ। ସେ କହିଛନ୍ତି ଯେ ଯେଉଁମାନେ ଝଗଡ଼ା କରନ୍ତି, ଚିଡ଼ନ୍ତି ଏବଂ ପରିବେଶ ନଷ୍ଟ କରନ୍ତି ସେମାନଙ୍କ ସହିତ ପୋଲିସ କଠୋର ଭାବରେ କାର୍ଯ୍ୟ କରିବ । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ, ଗଙ୍ଗା ଘାଟରେ ଛଅଟି ପୋଲିସ ଷ୍ଟେସନର ବାହିନୀ ସହିତ ଜଳ ପୋଲିସ, ୧୧ଟି ଏନଡିଆରଏଫ ଏବଂ ପିଏସି ବନ୍ୟା ରିଲିଫ୍ ଟିମ୍ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଭକ୍ତମାନଙ୍କ ଉପରେ କ୍ୟାମେରା ମଧ୍ୟ ନଜର ରଖିବ ।

Comments are closed.