Latest Odisha News

BREAKING NEWS

ବିଜେଡିର କେଉଁ ଭୂମିକାରେ ନଜର ଆସିବେ ବର୍ଷା ପ୍ରିୟଦର୍ଶିନୀ?

ଭୁବନେଶ୍ୱର: ଓଲିଉଡ କୁଇନ୍ କୁହାଯାଉଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ କେଉଁ ଭୂମିକାରେ ନଜର ଆସିବେ ତାକୁ ନେଇ ବଢିଛି ଚର୍ଚ୍ଚା। ଜଣେ ଓଡ଼ିଆ ଫିଲ୍ମର ସଫଳ ଅଭିନେତ୍ରୀ ହିସାବରେ ଦଳ ତାଙ୍କୁ କେବଳ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ରଖିବ ନା ପ୍ରାର୍ଥୀ କରାଇ କଳାକୁ ସମ୍ମାନ ଜଣାଇବା ସହିତ ମହିଳା ସଶକ୍ତିକରଣର ବାର୍ତ୍ତା ଦେବ ? ଏହିପରି କିଛି ଚର୍ଚ୍ଚା ଏବେ ବର୍ଷାଙ୍କୁ ନେଇ ଚାଲିଛି।

ନିକଟରେ ଓଲିଉଡର ଆଗଧାଡିର ଅଭିନେତା ଅରିନ୍ଦମ ରୟ, ଅନୁଭବ ମହାନ୍ତି ଏବଂ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ତେଣୁ ବିଜେଡି ସମର୍ଥନରେ ହେବିଓ୍ବେଟ କଳାକାର ଆଉ ନାହାନ୍ତି ବୋଲି କୁହାଯାଉଛି। ଏପରି ସ୍ଥିତିରେ ଏହାକୁ କାଉଣ୍ଟର କରିବାକୁ ଯାଇ ନିକଟରେ ବିଜେଡି ଓଲିଉଡର କିଛି ହିରୋ, ହିରୋଇନ୍, କମେଡିଆନ୍ ଏବଂ ସଙ୍ଗୀତଜ୍ଞଙ୍କୁ ଡାକି ବୈଠକ କରିଥିଲା ବୋଲି କୁହାଯାଉଛି।

ଏହାରି ଭିତରେ ବର୍ଷାଙ୍କ ଯୋଗଦାନକୁ ନେଇ ବିଭିନ୍ନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିବାହ ବିଚ୍ଛେଦ ଯୋଗୁଁ ଅଲଗା ହୋଇଛନ୍ତି ଉଭୟ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ। ତେବେ ଅନୁଭବ ଇତି ମଧ୍ୟରେ ବିଜେପିରେ ସାମିଲ ହୋଇଛନ୍ତି। କଟକର କୌଣସି ଏକ ଆସନରୁ ବିଜେପିର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ବର୍ଷା ମଧ୍ୟ କଟକର ଝିଅ। ପାରିବାରିକ ବିବାଦ ସହ ଛନ୍ଦି ହୋଇଥିବା ବେଳେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ବର୍ଷା। ତେଣୁ ବିଜେଡି ଏବେ ଅନୁଭବଙ୍କୁ କାଉଣ୍ଟର କରିବାକୁ ଯାଇ ବର୍ଷାଙ୍କୁ ପ୍ରଚାର ମୈଦାନକୁ ଆଣି ଟିକ୍କ ଟିପ୍ପଣୀ ପରମ୍ପରାକୁ ଆଗକୁ ବଢ଼ାଇବନି ତ?

ସେହିପରି ବର୍ଷା ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବାରୁ ଦଳ ତାଙ୍କୁ କେବଳ ନିର୍ବାଚନ ବେଳେ ବ୍ୟବହାର କରିବନି ତ? କାରଣ ଦଳରେ ଅନେକ ମହିଳା ନେତ୍ରୀ ଅଛନ୍ତି। ଯେଉଁମାନେ କି ବର୍ଷାଯାକ ଦଳ ପାଇଁ ରାସ୍ତାକୁ ଓହ୍ଲାଇ ନାରାବାଜି କରିଛନ୍ତି ହେଲେ ଟିକେଟ୍ ପାଇଛନ୍ତି ନେତାଙ୍କ ପତ୍ନୀ। ଟିକେଟ୍ ପାଇବେ ବୋଲି ଅନେକ ଆଶାୟୀ ଥିଲେ ମଧ୍ୟ ଶ୍ରୀମୟୀ ମିଶ୍ର ହଠାତ ମୈଦାନରୁ ଗାଏବ ହୋଇଯିବା ଏହାର ଅନ୍ୟ ଏକ ଉଦାହରଣ।

ତେବେ ଦଳରେ ଯୋଗ ଦେବା ପଛର କାରଣ ବର୍ଷା କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସରଳତା ଓ କାର୍ଯ୍ୟଶୈଳୀ। ଯାହା ବିଜେଡିରେ ତାଙ୍କର ପ୍ରବେଶ ରାଜ୍ୟର ରାଜନୈତିକ କ୍ଷେତ୍ରରେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ପରିବର୍ତ୍ତନର ଧାରାକୁ ଆହୁରି ବଢ଼ାଇ ଦେଇଛି।

Leave A Reply

Your email address will not be published.