Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କଣ୍ଟାବାଞ୍ଝି ଥିଓରୀ ଜରିଆରେ ଦଳ କେଉଁ କଣ୍ଟାକୁ କାଢ଼ିବ?

ଭୁବନେଶ୍ୱର: କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ନବୀନ ? ପୁଣି ପଶ୍ଚିମ ଓଡିଶା ଗୋଟି ଚଳାଇଛି ବିଜେଡି। ହିଞ୍ଜିଳି ସହ କଣ୍ଟାବାଞ୍ଝି ବିଧାନସଭା ଆସନରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚବିଶ ନିର୍ବାଚନ ବିଜେଡି ପାଇଁ ସବୁଠୁ ବଡ ଅଗ୍ନିପରୀକ୍ଷା ହୋଇଥିବା ବେଳେ ଭୋଟ୍ ଗଣିତ କଷି ଦଳ କଣ୍ଟାବାଞ୍ଝି କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି। ପଶ୍ଚିମ ମିଶନରେ ସଫଳ ହେବେ କି ନବୀନ ? ପଶ୍ଚିମ ଓଡିଶାରେ କଣ୍ଟାବାଞ୍ଝି ସିଟ୍ ହିଁ କାହିଁକି ବାଛିଲା ଦଳ ?

ପଶ୍ଚିମ ଓଡିଶା ସିଟ୍ ଉପରେ ନଜର
ପଶ୍ଚିମ ଓଡିଶାର ୫ଲୋକସଭା ଓ ୩୫ବିଧାନସଭା ଆସନ ଉପରେ ନଜର ରଖିଛି ବିଜେଡି । ରାଜ୍ୟରେ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପିର ପଶ୍ଚିମ ଓଡିଶାରେ ଭଲ ପ୍ରଭାବ ରହିଛି। ଗତଥର ସବୁତକ ଲୋକସଭା ସିଟ୍ ବିଜେପି ଜିତିଥିବା ବେଳେ ୮ଟି ବିଧାନସଭା ସିଟରେ ପଦ୍ମ ଫୁଟିଥିଲା। ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇଥିଲେ ବି ପଶ୍ଚିମ ଓଡିଶାରେ ଦଳର ସ୍ବତନ୍ତ୍ର ଭୋଟବ୍ୟାଙ୍କ ରହିଛି। ୨୦୧୯ରେ ଖରିଆର, କଣ୍ଟାବାଞ୍ଝି, ବଲାଙ୍ଗୀର, ରାଜଗାଙ୍ଗପୁର ପରି ସିଟ ହାତେଇଥିଲା କଂଗ୍ରେସ । ଯଦିଓ ପଞ୍ଚାୟତ ଓ ପୌର ନିର୍ବାଚନ ଫଳ ବିଜେଡି ସପକ୍ଷରେ ଯାଇଥିଲା, ଚବିଶରେ କୌଣସି ଚାନସ ନେବାକୁ ଚାହୁଁନି ଦଳ । ଗତଥର ନବୀନ ବିଜେପୁରରୁ ଲଢିବାର ସୁଫଳ ପାଇଥିଲା ବିଜେଡି । ୨୨ଟି ସିଟରେ ହୋଇଥିଲା ଶଙ୍ଖନାଦ । ଏଥର ବି ସମାନ ସଫଳତା ଦୋହରାଇବାକୁ ଚାହୁଁଛି ଦଳ।

ମୋଦି ଫ୍ୟାକ୍ଟରକୁ ନବୀନ କାଉଣ୍ଟର
ମୋଦି ଲହରକୁ କାଉଣ୍ଟର କରିବା ପାଇଁ ନବୀନ କଣ୍ଟାବାଞ୍ଝିରୁ ଲଢିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ବିଶେଷ କରି ପଶ୍ଚିମ ଓଡିଶାରେ ମୋଦିଙ୍କ ପ୍ରଭାବ ପଡିବା ଆଶଙ୍କାରେ ନବୀନ କାର୍ଡ ଖେଳିଛି ବିଜେଡି । କିଛି ସ୍ଥାନରେ ମୋଦି ବନାମ ନବୀନ ଲଢେଇ ହୋଇପାରେ । ଗତ ନିର୍ବାଚନରେ ଲୋକସଭାରେ ମୋଦି ଓ ବିଧାନସଭାରେ ନବୀନଙ୍କ ନାଁରେ ଭୋଟ୍ ଦେଇଛି ପଶ୍ଟିମ ଓଡିଶା। ଏଥର ବି ସମାନ ରଣନୀତିରେ ଅଧିକରୁ ଅଧିକ ବିଧାନସଭା ସିଟ୍ ହାତେଇବାକୁ ଉଦ୍ୟମ କରୁଛି ବିଜେଡି।

କଣ୍ଟାବାଞ୍ଝି କାହିଁକି ?
ଭୌଗଳିକ ସ୍ଥିତି ଅନୁସାରେ କଣ୍ଟାବାଞ୍ଝି ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବପୂର୍ଣ୍ଣ। କଣ୍ଟାବାଞ୍ଝିରୁ ନବୀନ ନିର୍ବାଚନ ଲଢିଲେ ଏହାର ପ୍ରଭାବ ବଲାଙ୍ଗୀର ସାଙ୍ଗକୁ ନୂଆପଡା, କଳାହାଣ୍ଡି, ବରଗଡ ଜିଲ୍ଲାର ୯ଟି ବିଧାନସଭା ଆସନ ଉପରେ ପଡିପାରେ । ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ ଲୋକସଭା ଲଢେଇ ଉପରେ ବି ପ୍ରଭାବ ରହିପାରେ । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଲଢୁଥିବା ବେଳେ ପୂରା ପଶ୍ଚିମ ଓଡିଶାରେ ଶଙ୍ଖନାଦ ପାଇଁ ରଣନୀତି କରିଛି ବିଜେଡି । ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ କି ନରସିଂହ ମିଶ୍ର, ବିରୋଧୀଙ୍କ ଭୋଟ୍ ଅଙ୍କ ଏପଟସେପଟ କରିବାକୁ ରହିଛି ପ୍ଲାନ୍ ।

କଣ୍ଟାବାଞ୍ଝିରୁ ବିରୋଧୀଙ୍କୁ ସନ୍ଦେଶ
କଣ୍ଟାବାଞ୍ଝି ବିଧାନସଭା ସିଟ୍ କେବେବି ବିଜେଡିର ଗଡ ରହିନି । ୨୦୧୯ରେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ମାତ୍ର ୧୨୮ଭୋଟରେ ବିଜୟୀ ହୋଇଥିଲେ। ତୃତୀୟରେ ରହିଥିଲେ ବିଜେଡି ପ୍ରାର୍ଥୀ ଅଜୟ ଦାସ। ଗତ ୫ଟି ନିର୍ବାଚନ ଉପରେ ନଜର ପକାଇଲେ ବିଜେଡି ଏଠାରୁ ମାତ୍ର ଥରେ ଜିତିଛି । ୨୦୧୪ରେ ହାଜି ମହମ୍ମଦ ଆୟୁବ ଖାଁ ଥରେ ବିଧାୟକ ହୋଇଥିଲେ । ତେଣୁ ପ୍ରତିକୂଳ ରାଜନୈତିକ ସ୍ଥିତିରେ ନବୀନ ଲଢି ବିରୋଧୀଙ୍କୁ ବଡ ସନ୍ଦେଶ ଦେଇଛନ୍ତି । ବିଭିନ୍ନ ସଂପ୍ରଦାୟର ଭୋଟର ଥିବା କଣ୍ଟାବାଞ୍ଝି ଏହାର ବିବିଧତା ପାଇଁ ବି ସ୍ବତନ୍ତ୍ର ।

କୋଶଳ ସମବେଦନାକୁ ନବୀନ ଜବାବ
ନିର୍ବାଚନ ସହ ପୁଣି ତେଜିଛି ଅଲଗା କୋଶଳ ରାଜ୍ୟ ଦାବି । ବଲାଙ୍ଗୀର କଂଗ୍ରେସ ଲୋକସଭା ପ୍ରାର୍ଥୀ ଫିଲ୍ମଷ୍ଟାର ମନୋଜ ମିଶ୍ର କୋଶଳ କାର୍ଡ ଖେଳିଛନ୍ତି । ଏହା ବିଜେଡି ବିରୋଧରେ ଯିବା ଆଶଙ୍କା କରାଯାଉଥିଲା । ତେବେ ପଶ୍ଚିମ ଓଡିଶାରେ ନବୀନଙ୍କ ପ୍ରାର୍ଥୀତ୍ବ ଦାବିକୁ ପାଣିଚିଆ କରିପାରେ । ସେହିପରି ପଶ୍ଚିମ ଓଡିଶା ବିଜେଡିରେ ଥିବା ଅନ୍ତକନ୍ଦଳର ସମାଧାନ କରିପାରିବ ବୋଲି କୁହାଯାଉଛି ।
କଣ୍ଟାବାଞ୍ଝିରୁ ନବୀନ ନିର୍ବାଚନ ଲଢିବା ସହ ଅଡୁଆରେ ପଡିପାରନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ନବୀନଙ୍କ ସହ ଭଲ ସଂପର୍କ ଥିବା ସାଲୁଜା କିଛି ଦିନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିକୁ ଆସିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଏଥିରେ ପୂର୍ଣ୍ଣଚ୍ଛେଦ ଲଗାଇଛି ନବୀନଙ୍କ ପ୍ରାର୍ଥୀତ୍ବ ।

Leave A Reply

Your email address will not be published.