Latest Odisha News

BREAKING NEWS

ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପୋର୍ଟାଲ, ଘରେ ବସି ଡ଼ାଉନଲୋଡ଼ କରିହେବ ଗାଡ଼ିର ସମସ୍ତ କାଗଜପତ୍ର

ଭୁବନେଶ୍ୱର: ଘରେ ବସି ଡ଼ାଉନଲୋଡ଼ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି । ଆସନ୍ତା ଜାନୁଆରୀ ୧ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏଥିରେ ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କର ଡ଼ିଜିଟାଲ ଦସ୍ତଖତରେ ଉପଲବ୍ଧ ହେବ । ଡ଼ାଉନଲୋଡ଼ ହେଉଥିବା ପିଡ଼ିଏଫ୍ ପୋଲିସ ଚେକିଂରୁ ଆରମ୍ଭ କରି ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥାରେ ଗ୍ରହଣୀୟ ହେବ ।

ସ୍ମାର୍ଟ କାର୍ଡ଼ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍ ଲିମିଟେଡ଼୍ ସହ ହୋଇଥିବା ଚୁକ୍ତି ଅବଧି ଜୁଲାଇ ୨୮ରେ ଶେଷ ହୋଇଛି । ସଂସ୍ଥା ସହ ହୋଇଥିବା ଚୁକ୍ତିର ଆଉ ନବୀକରଣ ନକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ନୂଆ ବ୍ୟବସ୍ଥାରେ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବାଣିଜ୍ୟ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ୍ ଓ ପରମିଟ୍ ଆଦି ପାଇଁ ଗାଡ଼ି ଚାଳକଙ୍କୁ ଆରଟିଓ ଅଫିସ ଯିବାକୁ ପଡ଼ିବ ନାହିଁ । ଏହାସହ ଡ଼ାକ କର୍ମଚାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ବିଭାଗ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ।

ଗାଡ଼ି କାଗଜପତ୍ର ଡ଼ାକରେ ଆସୁଥିବାରୁ ଅନେକ ସମୟରେ ବିଳମ୍ବ ହେଉଥିବାବେଳେ ଅନେକ ସମୟରେ ସଠିକ୍ ସ୍ଥାନରେ ପହଞ୍ଚୁନଥିଲା । ଘରକୁ କାଗଜପତ୍ର ପହଞ୍ଚିବା ପାଇଁ ଡ଼ାକ ଦେୟ ଗାଡ଼ି ମାଲିକକୁ ଦେବାକୁ ପଡ଼ୁଥିଲା । ସ୍ମାର୍ଟ କାର୍ଡ଼ ପ୍ରସ୍ତୁତ କରିବା ପାଇଁ ସ୍ମାର୍ଟ ଚିପ୍ ଲିମିଟେଡ଼୍ ମଧ୍ୟ ଟଙ୍କା ନେଉଥିଲା । ଏହିଭଳି ଅଭିଯୋଗକୁ ଦୃଷ୍ଟିରେ ରଖି ଇଣ୍ଟରନେଟରୁ ଏହି ସବୁ କାଗଜପତ୍ର ଡ଼ାଉନଲୋଡ଼ କରିବା ସୁବିଧା କରିବାକୁ ଯାଉଛନ୍ତି ।

Comments are closed.