Latest Odisha News

BREAKING NEWS

ପୁରୀର ଲୋକଭାଷା ଓ ସଂସ୍କୃତି

ଗୋଟିଏ ନିର୍ଦ୍ଦିଷ୍ଟ ଜନପଦର ଲୋକଙ୍କ ଚାହାଣି ,ଚଳଣି, ଚମକ ମାଧ୍ୟମରେ ସଂପୃକ୍ତ ଅଞ୍ଚଳର ଭାଷା ଓ ସଂସ୍କୃତିର ବିକାଶ ହୋଇଥାଏ । ଏହି ଚାହାଣୀର ଅର୍ଥ ଦୃଷ୍ଟିଭଙ୍ଗୀ ବା ମାନସିକତା,ଚଳଣୀ-ଜୀବନଶୈଳୀ ଏବଂ ଚମକର ଅର୍ଥ ଅନ୍ୟକୁ ପ୍ରଭାବିତ କଲା ଭଳି ଗୁଣ । ଭାଷା ସଂସ୍କୃତିର ମୂଳ ଆଧାର । ଲୋକଙ୍କ ମୁଖରେ ବ୍ୟବହୃତ ଭାଷାର ପ୍ରଭାବ ସଂସ୍କୃତିରେ ଫୁଟି ଉଠିଥାଏ । ପୁନଶ୍ଚ ସାହିତ୍ୟରେ ପ୍ରକାଶିତ ଭାଷାକୁ ଲୋକମୁଖରେ ପୋଥିଭାଷା ବୋଲି କୁହାଯାଏ । ଏଣୁ ସାହିତ୍ୟରେ ସାଧାରଣତଃ ଦୁଇପ୍ରକାରର ଭାଷା ପ୍ରକଟିତ ହୋଇଥାଏ । ଉଚ୍ଚାଙ୍ଗ ଭାଷା ଓ କଥିତ ଭାଷା ।

ସମୟାନୁସାରେ ସମାଜରେ ସବୁ କିଛି ପରିବର୍ତ୍ତନ ହୋଇପାରେ । ଏହା ବିଶ୍ୱର ସମସ୍ତ ସଂସ୍କୃତି ପାଇଁ ପ୍ରଯୁଜ୍ୟ । ଲୋକଙ୍କ ମାନସିକ, ଶିକ୍ଷାଗତ, ସାମାଜିକ, ଅର୍ଥନୈତିକ ପରିବର୍ତ୍ତନ ସହିତ ତାଳମେଳ ରଖି ସାହିତ୍ୟ ଓ ସଂସ୍କୃତି ପ୍ରଭାବିତ ହୋଇଥାଏ । ଅନ୍ୟ ପକ୍ଷରେ ପୁରୀର ସଂସ୍କୃତିରେ ଯେତେ ଯାହା ପରିବର୍ତ୍ତନ ହେଲେ ମଧ୍ୟ ବିଭିନ୍ନ ମତବାଦର ମିଶ୍ରଣରେ ସମୃଦ୍ଧ ଦାରୁବ୍ରହ୍ମଙ୍କ ଲୀଳା ଆହୁରି ମହିମାନ୍ୱିତ ହୋଇଛି । ସବୁ ବିଶ୍ୱାସର ମୂଳରେ ସେ ହିଁ ରହିଛନ୍ତି, ତାଙ୍କ ବିନୁଁ ଆଉ କେହି ନାହିଁ, ସେ କଥା ସର୍ବସ୍ୱୀକୃତ ହେଇଛି । ତାଙ୍କଠାରେ ଯେମିତି ସବୁ ସ୍ୱାଦ, ଗନ୍ଧ, ଏକତ୍ର ହୋଇ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ରହସ୍ୟର ଅଖଣ୍ଡ ବିସ୍ଫୋରଣ ହେଉଛି । ସେଇ ବିସ୍ଫୋରଣଜନିତ ମହକର ଦ୍ୟୁତି ରତ୍ନ ସିଂହାସନରୁ ଉଦ୍‌ବୃତ୍ତ ହୋଇ କ୍ରମେ ଉର୍ଦ୍ଧ୍ୱମୁଖୀ ହେବା ସହିତ ନୀଳଚକ୍ର ଦେଇ ଚହଟି ଯାଉଛି ଚତୁର୍ଦ୍ଦିଗ । ସେ ମହକର ଆଘ୍ରାଣରେ ସର୍ବେ ହେଉଛନ୍ତି ତୃପ୍ତ ।

ସମୟକ୍ରମେ ପୁରୀରେ ଭାଷା ଓ ସଂସ୍କୃତିରେ ପରିବର୍ତ୍ତିନ ସ୍ୱାଭାବିକ । ତେବେ ତାହା ନାମ ମାତ୍ର ଓ ପ୍ରଭାବଶୂନ୍ୟ । ପୁରୀରେ ଲୋକଭାଷାର ବ୍ୟବହାର ବଳବତ୍ତର ଥିବା ସହିତ ତା’ର ମାଧୁର୍ଯ୍ୟ ଅକ୍ଷୁର୍ଣ୍ଣ ରହିଛି । ପୁରୁଣା ପୁରୀର ସାଂସ୍କୃତିକ ଗାଥା ଅନନ୍ୟ । ଏକଦା କଳା, ସଙ୍ଗୀତ, ସାହିତ୍ୟ ଓ ପାଣ୍ଡିତ୍ୟାଦି କ୍ଷେତ୍ରରେ ପୂର୍ଣ୍ଣ ବିକଶିତ ଥିଲା ଶ୍ରୀମନ୍ଦିରକୁ ନେଇ ଗଢ଼ି ଉଠିଥିବା ଏହି ସହର ।

ଶ୍ରୀମନ୍ଦିରରେ ପ୍ରଚଳିତ ନୀତିକାନ୍ତି ଯାନିଯାତ୍ରା ଅବସରରେ ବ୍ୟବହୃତ ଭାଷା ଓ ଶବ୍ଦାବଳୀରେ ପରିପୁଷ୍ଟ ପୁରୀର ଲୋକଭାଷା । ଏଥିରେ ବି ସ୍ୱତନ୍ତ୍ରତା ରହିଛି । ଏହି ଭାଷାର ପ୍ରମୁଖ ଉପଭୋକ୍ତା ଏଠାକାର ଅଧିବାସୀ (ଘବଗ୍ଧସଙ୍ଖର)ମାନେ । ଏମାନେ ମହାପ୍ରଭୁଙ୍କ ନିକଟରେ ଯେତିକି ଅନୁଗତ ମନ୍ଦିର ବାହାରେ ସେତିକି ଉନ୍ମୁକ୍ତ । ସାମାଜିକ ରକ୍ଷଣଶୀଳତାର ପନ୍‌ଝା ଭିତରୁ ମୁକୁଳିବା ଏମାନଙ୍କ ପାଇଁ ସହଜ ନୁହେଁ । ତା ସହିତ ଯେଗା ଆଖଡ଼ାରେ ଶରୀରଚର୍ଚ୍ଚା ସହ ବେପରୁଆ ଜୀବନଶୈଳୀ ପୁରୀଆଙ୍କ ପରିଚୟ । ଭାଙ୍ଗ ଭୋଜନ ମଉଜ ମଜଲିସ୍ ଏମାନଙ୍କର ଜୀବନଚର୍ଯ୍ୟାର ମୁଖ୍ୟ ଅଙ୍ଗ ।

ସାହିତ୍ୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ ବୋଲି ଜଣାଯାଏ । ଏହା ସମାଜର ଦର୍ପଣ ସଦୃଶ । ଏହି ସଂସ୍କୃତି ଦ୍ୱାରା ପ୍ରଭାବିତ ହେଇ ଅନେକ ସାହିତ୍ୟ ମଧ୍ୟ ସୃଷ୍ଟି ହେଇଛି । ମହାପ୍ରଭୁଙ୍କୁ ସମର୍ପିତ ହେଇଛି ଅସଂଖ୍ୟ ଛାନ୍ଦ, ଚଉପଦୀ ଚଉତିଶା, ଭଜନ ଓ ଜଣାଣ । ତା ଛଡ଼ା ରଚିତ ହେଇଛି ଗଦ୍ୟ ପଦ୍ୟ ଅନେକ । ସେ ମଧ୍ୟରୁ ବଂଶୀଧର ମହାନ୍ତିଙ୍କ ଶ୍ରୀ ମର୍ତ୍ତ୍ୟବୈକୁଣ୍ଠ, ଶେଷଦେବ ମିଶ୍ରଙ୍କ ସହରୀ ପୁରୁଷୋତ୍ତମ ଦାସଙ୍କ ; ଅଠରନଳା ଆଧୁନିକ କବିତାରେ ହରିହର ମିଶ୍ରଙ୍କ “ଶଙ୍ଖନାଭି” “ଭିତିରି ଚନ୍ଦନ” “ଚାହାଣୀ ମଣ୍ଡପ “ଶୟନ ପ୍ରତିମା ” ଆଦି ସଂକଳନ, ଅନାମ କବି କୁମାର ମହାନ୍ତିଙ୍କ କବିତାରେ ଜଗତି ଉପରେ ହନୁ ଦେଖୁଛି ସାରା ଟାଉନୁ ପ୍ରଭୃତି ରଚନାରେ ପୁରୀ ସଂସ୍କୃତି ଓ ବ୍ୟବହୃତ ଲୋକଭାଷା ବହୁଳ ଭାବରେ ଦେଖାଯାଏ ।

ଗଦ୍ୟ ସାହିତ୍ୟ କ୍ଷେତ୍ରରେ ମଧ୍ୟ ପୁରୀର ପୃଷ୍ଠଭୂମିରେ ଅନେକ କୃତି ସୃଷ୍ଟି ହୋଇଛିି । ପ୍ରାତଃ ସ୍ମରଣୀୟ ଗାଳ୍ପିକ ବିଜୟ ପ୍ରସାଦ ମହାପାତ୍ର, ହରିହର ମିଶ୍ର, ନବ କିଶୋର ମିଶ୍ର, ବଳାରାମ ପଟ୍ଟନାୟକ, ଗଣେଶ୍ୱର ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ଦିଲୀପ କୁମାର ମିଶ୍ର, ସିଦ୍ଧେଶ୍ୱର ମହାପାତ୍ର, ଶଙ୍କର ତ୍ରିପାଠୀ, ବଦ୍ରି ମିଶ୍ର ପ୍ରଭୃତିଙ୍କ ରଚନାରେ ପୁରୀର ସାଂସ୍କୃତିକ ଚେତନାର ଚମକ ପ୍ରତିଫଳିତ ହୋଇଥିବାର ଜଣାଯାଏ । କହିବା ବାହୁଲ୍ୟ ପୁରୀରେ ଜନ୍ମିତ ଏଠାର ମାଟି ପାଣି ପବନରେ ବଞ୍ଚିଥିବା କିଛି ସ୍ରଷ୍ଟା ଏହାର ସଂସ୍କୃତିରେ ରହିଥିବା ନିଗୂଢ଼଼ ମଞ୍ଜଟିକକୁ ଖୋଜିବା ପାଇଁ ଅହରହ ଚେଷ୍ଟା ଚଳାଇଛନ୍ତି ।

କାଳକ୍ରମେ ପୁରୀର ଭୁଗୋଳରେ ବିବର୍ତ୍ତନ ଘଟିଛି । ପୁରୀ ଆଉ କେବଳ ମନ୍ଦିର ଚତୁଃପାଶ୍ୱର୍ରେ ସୀମିତ ରହିନାହିଁ । ପୁରୀର ବିଶିଷ୍ଟ ସାହିତ୍ୟକ ତଥା ଭାଷାବିତ୍ ଡ଼ଃ ବିଜୟ ପ୍ରସାଦ ମହାପାତ୍ରଙ୍କ ରଚିତ ପୁସ୍ତକର ମୁଖବନ୍ଧରୁ କେତୋଟି ବାକ୍ୟ ଏହିପରି , ପୁରୀ କହିଲେ ବୁଝାଉଥିଲା ବଡ଼ ଦେଉଳର ଦକ୍ଷିଣ ଦ୍ୱାର ବା ଘୋଡ଼ାଦୁଆରଠୁ ପଶ୍ଚିମଦ୍ୱାର ବା ବାଘଦୁଆର ଦେଇ ଉତ୍ତରଦ୍ୱାର ବା ହାତୀଦୁଆର ପର୍ଯ୍ୟନ୍ତ । ପୁରୀ ଦୁଇ ଭାଗ ହୋଇଗଲା; ପୂର୍ବ ପୁରୀ ଆଉ ଅପୂର୍ବ ପୁରୀ । ଦୁଇଟା ପୁରୀ ଗଡ଼ିଚାଲିଥିଲା ଦୁଇଟା ରେଳଲାଇନ ପରି । ମୁଁ ଆଜି ଦେଖୁଛି , ଆମ କୋଠାର ଛାତ ଉପରୁ ସେପଟର ପୁରୀ ମାଡ଼ି ଆସିଛି ଏପଟକୁ । ଏପଟ ସାହିପିଲେ ଆଉ ଖେଳୁନାହାନ୍ତି ଡାଉପୁଆ, ଅଲଖମାରି । ସମସ୍ତେ ଚେସ୍ ଖେଳୁଛନ୍ତି, ରମି ନହେଲେ କ୍ରିକେଟ୍ ।

ଆମ ସାହିକୁ ଆଉ ଆସୁନାହାନ୍ତି ବେତକୋଳି, ଆଖୁକୋଳିବାଲୀ କୋଳି ବିିକିବାକୁ, ମାତାମାନେ ଗିନି ବଜାଇ ଭିକ ମାଗିବାକୁ ଆସୁନାହାନ୍ତି, ନା ଗହ୍ମାପୂନିଁଅ, ଚିତଊ ଅମାବାସ୍ୟାକୁ ପିଠା ଗୋଟାଇବାକୁ ନଳାମାହାର, ମେହେନ୍ତ୍ରାଣୀ ମାନେ ଆଉ ବନ୍ଦାଉନାହାନ୍ତି ଧାନଓଳିଆ ବୋଝେଇ ମୁରୁଜର ବୋଇତ ଚିତ୍ର । ସେ ଆହୁରି କୁହନ୍ତି କେହି ଆଉ ଆଣୁନାହାନ୍ତି ବିକିବାକୁ ଦହଡ଼ ମଷକ ଲଡ଼ୁ ନା ମାଘମାସର ସଞ୍ଜରେ ଦୋଭଜାଲିଆ ହରିବଲ୍ଳଭ ଖଇ । ଚୁଡ଼ଙ୍ଗସାହି ଗଳିମୁଣ୍ଡରେ ବିକ୍ରି ହେଉନାହିଁ ବଉଳଫୁଲର ମାଳ ନା ପାଚିଲା ଗାମୁଛା ପାଚୁଛି । ନା ପିଣ୍ଡାରେ ଅଙ୍କା ହେଉଛି ନବଗୁଞ୍ଜର, ଗଣ୍ଡଭୈରବ ଚଢ଼େଇ ।

ଅପୂର୍ବ ପୁରୀର ସ୍ୱପ୍ନ ମରିଯାଇଛି, ଦର୍ଶନ ମରିଯାଇଛି । ଘୋର ସଭ୍ୟତା ମାଡ଼ିଯାଇଛି ଚାରିଆଡ଼ୁ । ଧବଳକୁଷ୍ଠ ରୋଗୀପରି ଅପୂର୍ବ ପୁରୀ ଦର-ଅସଭ୍ୟ, ଦର-ଶିକ୍ଷିତ, ଦର-ଅସ୍ପୃଶ୍ୟ ହୋଇ ଦୁନିଆ ଗୋଟାକଯାକର ଗୋଡ଼ତଳେ ଠିଆହୋଇ ଅଛବ ହାତରେ ପାନଖଣ୍ଡିଏ ଯାଚୁଛି । ପୁରୀ ଆଜି ଛଳନା କରୁଛି ସେ ପୁରୀ ନୁହେଁ । ଓଡ଼ିଆଙ୍କ ହୃତ୍‌ପିଣ୍ଡ ଛଳନା କରୁଛି କାଣିଆଙ୍ଗୁଠି ପରି ମାଇଚିଆ ନଖ ବଢ଼ାଇ । ପୁରୀ ମାଟିରେ କେତେ ଯେ ସ୍ତରପଡ଼ିଛି-କେତେ ଶଙ୍କରାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ଚୈତନ୍ୟ ମହାପ୍ରଭୁ ଯେ ପୋତାପଡ଼ିଛନ୍ତି, କେତେ ବଳରାମ ଦାସ, ସାଲବେଗ ଆଉ ଭୀମଭୋଇ, ତା’ର ଇୟତ୍ତା ନାହିଁ । କେବେ କେହି ଖୋଳିବ ସେଇ ପୋତାର ଉଭା ଆହୁରି ପ୍ରକାଣ୍ଡ, ଆହୁରି ପ୍ରଚଣ୍ଡ, ଆହୁରି ପ୍ରଗଳ୍‌ଭ । କେହି କେବେ ବୁଝିବ ଏହାର ସ୍ୱର ?

ପୁରୀର ଭାଷା ଓ ସଂସ୍କୃତି ଉପରେ ଆଧାରିତ ଡଃ ସିଦ୍ଧେଶ୍ୱର ମହାପାତ୍ରଙ୍କ ଦ୍ୱାରା ପ୍ରଣୀତ ‘ପୁରୀବୋଲି’ର କିଛି ଉଦ୍ଧୃତାଂଶ ଏହିଭଳି – “ପୁରୁଣା ପୁରୀରେ ଲୋକଙ୍କର ସାଂସ୍କୃତିକ ଜୀବନଶୈଳୀ ଭିନ୍ନ ଥିଲା । “ଜଗନ୍ନାଥଙ୍କ ସେବାୟତ, ଯାତ୍ରୀ ବୃତ୍ତି ସମ୍ପୃକ୍ତ ଅଣସେବାୟତ ଓ ସେବାୟତ ପ୍ରଭାବିତ ଜନସମୁଦାୟର ସଂସ୍କୃତି ହେଉଛି ପୁରୀର ଲୋକ ସଂସ୍କୃତି । ଦେଉଳକୁ ଘେରି ଏ ସହର । ସାତସାହି ବୟାଳିଶ କନ୍ଦି, ଜାଗାଯୁକ୍ତ ମଠବାଡ଼ି । ଦେଉଳକୁ ନେଇ ଏ ସହର ଚଳେ । ଧୋତି ଗାମୁଛା, ଚିତା ପଇତା ମାଳିମାତ୍ରାର ସହର ଇଏ ।” ପୁରୀଆଙ୍କ ଚଳଣିରେ ଏକ ସ୍ୱତନ୍ତ୍ର ଶୈଳୀ ବାରି ହେଇପଡ଼େ ।

ଏହାର ଯଥାର୍ଥ ଆଲୋଚନା ଌକ୍ତଙ୍କକ୍ଟଗ୍ଧ; ” ପୁରୀବୋଲି” ପୁସ୍ତକରେ ଏହିପରି କରାଯାଇଛି – “ପୁରୀର ଏହି ଲୋକଙ୍କ ମନଟି ଖିଆଲି, ବେପରୁଆ, ରକ୍ଷଣଶୀଳ ଓ ଅନେକାଂଶରେ ଅକୃତ୍ରିମ । ଦେଉଳ ଏମାନଙ୍କୁ ଅର୍ଥୋପାର୍ଜନର ଏକ ପ୍ରତିଶ୍ରୁତି ପତ୍ର ଦେଇଛି । ଦେଉଳର ଛାଇରେ ଆଶ୍ରା ନେଇଛନ୍ତି ଏମାନେ । ମାଲିକ ବସିଛି ଭିତରେ । ସେ ଯେପର୍ଯ୍ୟନ୍ତ ଅଛି, ଚିନ୍ତା କ’ଣ ? ଯାହା ତା’ର ବରାଦ । କାହା ପେଟ ଅପୋଷା ରଖିଛି? ଯାହା ମିଳିଲା ଲୋ ଦିଅଁ କହି ଅଣ୍ଟିରେ ଖୋସିବା କଥା । ହେଲେ ବାଳ୍ ନହେଲେ ତାଳ୍ । ମାଲିକ କିଏ ମ ବାଇ ? ମାଲିକତ ମାକ ବଡ଼ ଦେଉଳରେ । ମାଲିକ ? ମାଲିକ ଦାମା କାଚରା । ଏ ସହର ତା ବାଟରେ ଚାଲିଛି । ସାଙ୍ଗ, ଭାଙ୍ଗ, ସଙ୍ଗୀତ, ପଙ୍ଗତର ସହର ହୋଇ ରହିଛି । ମଉଜର ସହର ହୋଇରହିଛି । ମରିଗଲେ ପାଣିପତରେ ପାଇବୁ (ବା ପାତ୍ରୀଏ), ମଉଜ ପାଇବୁ କାହିଁ ” କୁ ଜୀବନର ମନ୍ତ୍ର କରିଛି । ଏହି ସେବକମାନଙ୍କ ଆଚରଣରେ ଯାହା ବି ବୈଚିତ୍ର୍ୟ ଥିଲେ ମଧ୍ୟ ମହାପ୍ରଭୁଙ୍କ ସେବା ନିର୍ବାହରେ ଗଭୀର ନିଷ୍ଠା ରହିଥିବାର ଦେଖାଯାଏ ।ସେହିମାନଙ୍କ କର୍ତ୍ତବ୍ୟ ସଚେତନତା ଓ ସମର୍ପଣ ଭାବ ଏହି ମହାନ୍ ସଂସ୍କୃତିକୁ ସମୃଦ୍ଧ କରିଛି ।

ବିଶିଷ୍ଟ ସାହିତ୍ୟକାର ହରିହର ମିଶ୍ରଙ୍କ ଲିଖିତ ମାଲଭାଇ ଗଳ୍ପରେ ପୁରୀରେ ବ୍ୟବହୃତ ଲୋକଭାଷାର ଏକ ଝଲକ ଏହିପରି- ଗଳ୍ପଟିରେ ମୁଖ୍ୟ ଚରିତ୍ର ରାମୀର ଆକସ୍ମିକ ମୃତ୍ୟୁରେ ସାମୂୂହିକ ପ୍ରତିକ୍ରିୟା ଥିଲା ବେଶ ନାଟକୀୟ ।  ହଠାତ୍ ସମସ୍ତେ ଏକାଠି ପାଟିକଲେ ସମୁଦ୍ରକୁ ଦେଖି, ଆକାଶକୁ କମ୍ପେଇ- ଦେଖରେ ଶଳେ ଦଶଦିଗପାଳେ । ତୋ ମାଆକ ନିଅ ଆମ ରାମିନିକୁ ନିଅରେ । ତମ ଦିହ ସହୁ ନଥିଲା । ୟା ବଦନ ଦେଖି, ଜୁଆନଶିରୀ ମେଳା ମଉଜ ଦେଖି । ଦେଖ ଇଆ ମାଆକ ମରିକରି ଟୋକା ସିମିିତି ଅଛି । ମରିନିରେ ଶଳେ, ଅଛି,
ତମ ଘରେ ପଶି ତମକୁ ଠିଆରେ ବାଡ଼େଇବ ।

ଭିନ୍ନ ଏକ ଆଲେଖ୍ୟରେ ପୁରୀଆଙ୍କ ଚଳଣି ଏମିତି କିଛି ବାକ୍ୟରେ ବର୍ଣ୍ଣିତ- “ଓଡ଼ିଶାର ସହର ବଜାର ବନ୍ଦ ହେଲା ବେଳେ ପୁରୀରେ ସଞ୍ଜ ଲାଗେ । ଚାକିରିଆଠାରୁ ଧୂଳିଆ ପର୍ଯ୍ୟନ୍ତ ଗାଧୁଆ ପାଧୁଆ କରି ଦାଣ୍ଡକୁ ଓହ୍ଲାଇ ଆସନ୍ତି । ବଡ଼ଦାଣ୍ଡରେ ବିଭିନ୍ନ ଖଟିରେ ଭିଡ଼ ଜମେ । ଗୁରୁନ୍ଦା ଛେନା ନିତିଆନି ଧରି ଘରକୁ ଫେରୁ ଫେରୁ ରାତି ଗୋଟେ କି ଦିଟା (ମଉଜ ପାଇବୁ କାହିଁ- ଶ୍ରୀ ବଦ୍ରି ମିଶ୍ର) ।

ପୁରୀରେ ପ୍ରଚଳିତ ଲୋକଭାଷାର ଆଉ ଏକ ଉଦାହରଣ ଏହି ଲେଖକ ଦ୍ୱାରା ଲିଖିତ ଉପନ୍ୟାସ ‘ଏକବର୍ଣ୍ଣୀ’ରୁ ଉଦ୍ଧୃତ କରାଯାଇ ପ୍ରଦତ୍ତ ହେଲା । ପୁୁରୁଣା ପୁରୀର କୌଣସି ଏକ ଭାଗି ଦୋକାନକୁ ସେବାୟତଙ୍କ ସହିତ କେତେଜଣ ଲାଗୁଆ ଗାଡ଼ି ଗୁମାସ୍ତା ମଧ୍ୟ ଆସନ୍ତି । ପାନ ଭଙ୍ଗା ହେବା ସମୟରେ ସେମାନଙ୍କ ଭିତରେ ବିଭିନ୍ନ ଆଲୋଚନା ଚାଲେ । ଜଣେ ଅନ୍ୟ ଜଣକୁ କହେ -ଯାହା ମିଳୁଛି କାଳିଆ ଦେଉଛି   । ମାକ ଦବ ସେଇ ନବ ସେଇ  । ତୋ କପାଳରେ ଯଦି ଦଶ ଲେଖା ସେଇ ଦଶ ମିଳିବ ତୋତେ । ଶହ ପଛରେ ହାଇଁ ହାଇଁ ହେଇ ବୁଲିବୁ କିଁଆ, ଦେଖିଲୁନି କାଲି ସେହି ବଙ୍ଗାଳୀ ଯାତ୍ରୀଟା ବୁଲି ପଇଲା ବେଳକୁ ସାଇଁରସ ଖସିଗଲା ହାତରୁ  । ହାତରୁ ଗଲେ ଖସି ନା…., ତଳୁଛ ସାହିର ନାଥମାହାପାତ୍ର ସାନପୁଅଟା ମନେଇ ଦେଲା ତାକୁ  । ଯାତ୍ରୀ ଚାଲିଲା ତା ସଙ୍ଗରେ । ମୁଁ ଚାହିଁଛି ବୃଷଭ ପଛକୁ  । ମୁଁ କହିଲି ହଉ ନେ ମଣି ନେ, ତୋ ବେଳା ଏଇଲେ  । କାଲିକା ପିଲା, ଆମ ଆଗରେ ମଣିଷ  । ତା ବାପ ସାଙ୍ଗରେ ସିନା ଆମର ଘଣି  । କେତେ ମଉଜ ନ ହେଇଛି ତା ସାଙ୍ଗରେ  । କୁସୁନି ଖୁଣ୍ଟିଆ ଯାଗାରେ ଫୁଲୁକା ଉପରେ କେତେ ଥର ତାଳ ନପଡ଼ିଛି ତା ସାଙ୍ଗେ, କେତେ ବେଳେ ସେ ନାଲି ଫିତାକୁ ମୁଁ ନେଳି ତ ପୁଣି କେତେବେଳେ ଓଲଟା  । ଭଲ ଦେଲାବାଲା ଯାତ୍ରୀଟା ଲାଗୁଥିଲା, ତା ଭାଗ୍ୟରେ ଥିଲା ସେ ଖାଇଲା  । ଜାଇଁଲୁ ସାଙ୍ଗ, ଏବେ ଯେଉଁ ନୂଆ ନୂଆ ଟୋକା ସବୁ ଉତୁରିଲେଣି ଆଉ କହନା ତାଙ୍କ କଥା । ଏଗୁଡ଼ାକ ଟାଉନ
ଥାନାଠି ଗାଡ଼ିଟେ ଲାଗିଲେ ସେଇଠୁ ହାତ ମାରିଦଉଛନ୍ତି । ମାର୍କେଟ ଛକରୁ ସାଇକେଲ ଧରି ଗାଡ଼ି ପଛରେ ତୀର ଭଳି ଛୁଟୁଛନ୍ତି, ଯାତ୍ରୀ ପଛରେ ଟିଙ୍କଭଳି ଲାଗିଯାଉଛନ୍ତି ପୁଣି ଯାତ୍ରୀକୁ ନେଇ ବାଜପରି ଉଡ଼ିଯାଉଛନ୍ତି । ଆଉ ପାରିହବନି ଏମାନଙ୍କୁ  । ଆଉ ଆମର ବେଳ ବୟସ ନାହିଁ ଏମାନଙ୍କ ସାଙ୍ଗେ ଯୁଝିବାକୁ । ଟେସନରେ ବି ସେହି ଅବସ୍ଥା । ରାତି ଚାରିରୁ ତାଳଚେର ଲୋକାଲରେ ପଳଉଛନ୍ତି ଖୋର୍ଦ୍ଧରୋଡ଼ ନ ହେଲେ ଭୋବନିଶୋର ଯାଏଁ ମାଗିଖିଆଙ୍କ ଭଳି । ସେଇଠି ଯାତ୍ରୀଙ୍କୁ ନିଦରୁ ଉଠେଇ ବାର କଥା କହି କାଗଜ ଦେଇ ଫଟ ଦେଖେଇ ଯୋକ ଭଳିଆ ଲାଗି ଯାଉଛନ୍ତି । କିଛି ନହେଲେ ଯାତ୍ରୀକୁ ବସରେ କୋଣାର୍କ, ଧଉଳୀ ବୁଲେଇବା ପାଇଁ ଟିକେଟ କେତୁଟା ଧରେଇ ଦେଇ ମାଇଲେ ପଟି  । ନାହିଁ ନାହିଁ ବୋଲି ସେଥିରୁ କମିସିନ ତ ପଚାଶ ଶହେ ପାଇଗଲେ । ଆମେ ମାହାର୍ଜେ ଟେସନ ଦୁଆରେ ଗୋରୁ ମାଇଲା ପରି ପଡ଼ିପଡ଼ି ଯାତ୍ରୀ ଆଇଲା ବେଳକୁ ଖେଳ ଶେଷ ।

ଆଉ ଚଳିବନି ମଣି, ଆଉ ନୁହେଁ  । ଦେଖିବା ଏଣିକି ହୋଟେଲ ଗୋଟେ ଅଧେ ବା ହଲିଡ଼େ ହୋମଟେ ଧରିବା ନହେଲେ ଏଥର ଗାଣ୍ଡା ଚଉରା ଉପରେ କି ଗଡ଼ନ୍ତି ଛକରେ ଖଣ୍ଡେ ଶିଳ ପକେଇ ପାଏ ଭାଙ୍ଗ ମଡ଼େଇଲେ ତା ସାଙ୍ଗକୁ ବାଦାମ ଟିକେ ବା ପାନ ମଧୁରୀ ଟିକେରେ ମିଠା ପାଣିଟେ କରି ବସିଲେ ପେଟ ନାହିଁ ଖାଇବାକୁ । ଖରାଦିନେ ଗରୁଡ଼ଗୋବିନ୍ଦ ଟିକେ ବା ମଦନମସ୍ତକ ପତ୍ର ସରବତ କରିଦେଲେ ଗରାଖ ଲାଗିଥିବେ ପିମ୍ପୁଡ଼ି ପରି । ଏ ଶଳା ହାରାମି ବେପାର ଆଉ ପୋଷଉନି । ଯାତ୍ରୀପଛରେ ଗୋଡ଼େଇ, ବୁଲେଇ ବାଲେଇ ଆମଦାନୀ ବେଳକୁ ପଣ୍ଡା ନେଲାଣି ଚଉଦଣା । ଯାତ୍ରୀ ଦଉଳ ଭିତରେ ଭୋଗଟେ ଲଗେଇବ ନା ଦଶ ପଚିଶ ମିିଳିବ । ଖାଲି ନୀଳଚକ୍ର ଛାଇରେ ଚଳିଯିବା କଥା  ।”

ପୁରୀର ସଂସ୍କୃତି ଓ ଲୋକଭାଷା ଉପରେ ଆଧାରିତ ସାହିତ୍ୟ ସୃଷ୍ଟିଗୁଡ଼ିକରେ ଏହାର ପ୍ରାମାଣିକ ସୁଗନ୍ଧ ପ୍ରକଟିତ ହୁଏ ଯାହା ଏହାକୁ ଏକ ସ୍ୱତନ୍ତ୍ର ପର୍ଯ୍ୟାୟକୁ ଉନ୍ନୀତ କରାଇଥାଏ । ଏହି ସୃଷ୍ଟିଗୁଡ଼ିକର ସମ୍ମିଳିତ ସ୍ୱରକୁ ‘ପୁରୀ ସାହିତ୍ୟ’ ଭାବରେ ନାମିତ କରାଯାଇପାରେ । ଏଥିରେ ଅନ୍ତର୍ନିହିତ ସ୍ୱାଦ ଗନ୍ଧକୁ ପ୍ରସାରିତ କରିବା ପାଇଁ ଆହୁରି ଅଧିକ କ୍ରିୟାଶୀଳତାର ଆବଶ୍ୟକତା ରହିଅଛି ।
ଜୟ ଜଗନ୍ନାଥ !

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.