ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲା ଭେଟେରାନ୍ ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ବିଜୟ ମହାନ୍ତିଙ୍କର ପାର୍ଥୀବ ଶରୀର । ଆଜି ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।
ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଭେଟେରାନ୍ କଳାକାରଙ୍କ ମୃତ୍ୟୁରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।
୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡା ପାଣ୍ଡିରିରେ ଜନ୍ମ ଗ୍ରହଣ କରିଥିଲେ ବିଜୟ ମହାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେ ବାରିପଦାରେ ସ୍କୁଲ ଓ କଲେଜ ଶିକ୍ଷା ଶେଷ କରିଥିଲେ ।
ଏହା ପରେ ୧୯୭୦ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ କରିଥିଲେ । ସେତେବେଳେ ଓମ ପୁରୀ ଓ ନାସିରୁଦ୍ଦିନ ଶାହ ତାଙ୍କ ସହ ପାଠ ପଢୁଥିଲେ । ଦିଲ୍ଲୀରୁ ଫେରି ସେ ଓଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।
ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତି ଗତ ଜୁନ୍ ୧୪ରେ ଭୁବନେଶ୍ୱରକୁ ଫେରିବା ସହ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସେ ଘରକୁ ଫେରିବାକୁ ଇଚ୍ଛା କରିଥିବା ବେଳେ ତାଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଜୁନ୍ ୨୯ରେ ଡିସଚାର୍ଜ କରିଥିଲେ।
Comments are closed.