ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ରାଜନେତା ସୁରେଶ ରାଉତ ରାୟ ଓରଫ ସୁର ଭାଇନା। କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାର ପରିଧି ମଧ୍ୟରେ ରହି ଆସୁଛନ୍ତି । ନିଜର ରକଠୋକ କଥା ପାଇଁ ଜନସାଧାରଣଙ୍କ ପ୍ରିୟ ପାଲଟିଥିବା ସୁରନାନା ପୁଣି ଥରେ ଚର୍ଚ୍ଚାକୁ ଟାଣି ହୋଇ ଆସିଛନ୍ତି।
ମାତ୍ର ଏଥର ତାଙ୍କ ଚର୍ଚ୍ଚାର କାରଣ ଟିକିଏ ନିଆରା। ଏହି ରାଜନେତା ଏବେ ଏକ ନୂଆ ରାପ୍ ଗୀତରେ କଣ୍ଠଦାନ କରିବା ନେଇ ଶୁଣିବାକୁ ମିଳିଛି।
ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଉଥିବା ଜାପାନି ଭାଇ କହିଛନ୍ତି ଯେ, ସୁର ରାଉତରାୟ ତାଙ୍କର ଚତୁର, ରକଠୋକ ଏବଂ ମଜାଳିଆ କଥା ପାଇଁ ସବୁଠି ଜଣାଶୁଣା। ଏହି ମ୍ୟୁଜିକ ଭିଡ଼ିଓ ଦ୍ୱାରା ଏହି ବରିଷ୍ଠ ନେତାଙ୍କ ଆଉ ଏକ ମଜାଦାର ଦିଗକୁ ଜନସାଧାରଣ ଦେଖିପାରିବେ।
ଏହି ରାପ୍ ଟି ଶୁକ୍ରବାର ଦିନ ୪ ଟା ସମୟରେ କଟକସ୍ଥିତ ମିଲନ୍ ଷ୍ଟୁଡିଓରେ ରେକର୍ଡ ହେବ । ସୁର ଭାଇ ଗାୟିକା ଲୋପାମୁଦ୍ରା ନାୟକ ଏବଂ ଜ୍ୟୋତିର୍ମୟୀଙ୍କ ସହ ଏହି ଗୀତ ପରିବେଷଣ କରିବେ। ଅରମାନ ମ୍ୟୁଜିକ ପ୍ରଡକ୍ସନର ଏହି ଗୀତକୁ ରଚନା କରିଛନ୍ତି ତାପୁ ନାୟକ।
ଏହି ଗୀତର ନାମ ରଖାଯାଇଛି “ରଙ୍ଗବତୀ”। ମାତ୍ର ସମାନ ନାମରେ ଥିବା ଲୋକପ୍ରିୟ ସମ୍ବଲପୁରୀ ଗୀତ ସହ ଏହା କୌଣସି ସମ୍ପର୍କ ନଥିବା ପ୍ରଡକ୍ସନ୍ ହାଉସ୍ ସ୍ପଷ୍ଟ କରିଛି ।
Comments are closed.