Latest Odisha News

BREAKING NEWS

‘ସୁଚରିତା’ ପତ୍ରିକାର ବିନ୍ଧାଣି ହରିହର ପଣ୍ଡାଙ୍କ ପରଲୋକ

ଭୁବନେଶ୍ବର: ସୁସାହିତ୍ଯିକ, ପ୍ରଶାସକ, ଅଧ୍ୟାପକ ତଥା ଅତୀତର ସୁବିଖ୍ୟାତ ପତ୍ରିକା ‘ସୁଚରିତା’ର ମୁଖ୍ୟ ପ୍ରେରଣାସ୍ରୋତ ହରିହର ପଣ୍ଡାଙ୍କ ପରଲୋକ । ଗତକାଲି (ଅଗଷ୍ଟ ୨୭ ତାରିଖ ) ଭୁବନେଶ୍ବରରେ ଦେହାବସାନ ଘଟିଛି। ମୃତ୍ୟୁ ବେଳକୁ ତା’ଙ୍କୁ ୯୩ ବର୍ଷ ବୟସ ହୋଇଥିଲା।

ନିଜର ଧର୍ମପତ୍ନୀ ସ୍ବର୍ଗତ ଶକୁନ୍ତଳା ପଣ୍ଡାଙ୍କ ସମ୍ପାଦକତ୍ବରେ ‘ସୁଚରିତା’ ପତ୍ରିକା ପ୍ରକାଶ କରି ସେ ଗୋଟିଏ ସମୟରେ ଏହାକୁ ଓଡ଼ିଆ ସାରସ୍ବତ ଜଗତର ଶୀର୍ଷକୁ ନେଇ ପାରିଥିଲେ। ସେ ଓ.ଏ.ଏସ୍‌ରେ ଯୋଗଦେଇ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ସେଥିରୁ ଇସ୍ତଫା ଦେଇ ନିଜର ପତ୍ରିକା ପ୍ରକାଶ କରିବା ସହ ଆଇନ କଲେଜରେ ଅଧ୍ୟାପନା କରିଥିଲେ। ତାଙ୍କର ପୁତ୍ର, ପୂର୍ବତନ ରାଷ୍ଟ୍ରଦୂତ ସଞ୍ଜୟ ପଣ୍ଡା, କନ୍ୟା, ସୁଲେଖିକା ସୁସ୍ମିତା ବାଗ୍‌ଚି ଓ ଜ୍ବାଇଁ, ବିଶିଷ୍ଟ ପ୍ରଶାସକ ଓ ଉଦ୍ୟୋଗପତି ସୁବ୍ରତ ବାଗ୍‌ଚି ମଧ୍ୟ ନିଜ ନିଜ କ୍ଷେତ୍ରରେ ସୁପ୍ରତିଷ୍ଠିତ।

ସ୍ବର୍ଗତ ପଣ୍ଡା ନିଜର ଆତ୍ମଜୀବନୀ ବ୍ୟତୀତ ଅନେକ ଉପନ୍ୟାସ ଓ ପ୍ରବନ୍ଧ ସଂକଳନ ମଧ୍ୟ ଲେଖିଯାଇଛନ୍ତି।

ତାଙ୍କର ସୁପରିଚିତ ପୁସ୍ତକଗୁଡ଼ିକର ମଧ୍ୟରେ ‘ଗୋଧୂଳି’, ‘ସପ୍ତର୍ଷି’, ତଥା ‘ଅଥ ହୟଗ୍ରୀବୋପାଖ୍ଯାନମ୍’ ପ୍ରମୁଖ ଅନ୍ୟତମ। ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ। ତାଙ୍କର କେତେକ ପୁସ୍ତକ ଇଂରାଜୀ ଭାଷାରେ ମଧ୍ୟ ଅନୂଦିତ ହୋଇଛି।

ନିଜ ଲେଖାରେ ଭାଷାଗତ ଶୁଦ୍ଧତା ଉପରେ ସେ ବିଶେଷ ଗୁରୁତ୍ବ ଦେଉଥିଲେ। ତାଙ୍କର ବିୟୋଗରେ ଓଡ଼ିଶାର ସାହିତ୍ୟ ମହଲରେ ଶୋକର ଛାୟା ଖେଳିଯାଇଛି।

Comments are closed.