Latest Odisha News

BREAKING NEWS

ଭୁବନେଶ୍ୱରରେ ଉପରାଷ୍ଟ୍ରପତି: ଏମ୍ସ ସମାବର୍ତ୍ତନ ଉତ୍ସବରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲେ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ (ଏମ୍ସ)ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ ।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ (ଏମ୍ସ)ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ତାଙ୍କର ଭାଷଣରେ ପ୍ରଥମେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଉକ୍ରୃଷ୍ଟତା ସମ୍ପର୍କରେ କହିଥିଲେ । ସେ ତାଙ୍କର ବକ୍ତବ୍ୟରେ ଓଡ଼ିଶାକୁ ବେଶ୍ ଭଲପାଉଥିବା କଥା କହିଛନ୍ତି ।

ଡ଼ାକ୍ତରମାନେ ହେଲେ ଦ୍ୱିତୀୟ ଈଶ୍ୱର । ମାନବ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ଡ଼ାକ୍ତରମାନେ ପ୍ରକୃତରେ ହିଁ ଭଗବାନ ବୋଲି ଉପରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି । ଡ଼ାକ୍ତରମାନେ ମଣିଷର ସ୍ୱାସ୍ଥ୍ୟ ଓ ସୁସ୍ଥତାର ଯତ୍ନ ନେଇଥାଆନ୍ତି । ତେବେ ଜଣେ ଡ଼ାକ୍ତରୀ ପାସ କଲାପରେ ଉତ୍ସର୍ଗୀକୃତ ମନୋଭାବ ନେଇ ଡ଼ାକ୍ତରୀକୁ ପେଶାନୁହେଁ ବରଂ ସମାଜ ସାଧନାର ଏକ ବ୍ରତଭାବେ ଗ୍ରହଣ କରିବା ଉଚିତ୍ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

ଏମ୍ସର ଏହି ସମାବର୍ତ୍ତନ ଉତ୍ସବରେ ୧୦୬ ଜଣ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହି ସମାବର୍ତ୍ତନ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଷୀ ଲାଲ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଉପରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଗ୍ରାମାଞ୍ଚଳ ଡ଼ାକ୍ତରଖାନା ଗୁଡ଼ିକରେ ରୋଗୀ ସେବାକୁ ପ୍ରାଥମିକତା ଦେବାକୁ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । ଡ଼ାକ୍ତରଙ୍କ ଉତ୍ତମ ପରାମର୍ଶ, ସମବେଦନା, ମାର୍ଗଦର୍ଶନ ରୋଗୀଙ୍କ ପାଇଁ କାଉଁରୀ ସ୍ପର୍ଶ ପରି କାର୍ଯ୍ୟ କରିଥାଏ ବୋଲି ତାଙ୍କ ଉଦବୋଧନରେ ଉପରାଷ୍ଟ୍ରପତି କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ତାଙ୍କ ଉଦବୋଧନରେ ଏମ୍ସରେ ଚଳିତବର୍ଷ ୯୭୮ଟି ଅନୁମୋଦିତ ଶଯ୍ୟା ଏବଂ ୧୧୨ଟି ଶଯ୍ୟା ବିଶିଷ୍ଟ ଆଇସିୟୁ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି । ଭୁବନେଶ୍ୱର ଏମ୍ସରେ ମଧ୍ୟ ନୂଆକରି ଖୋଲିବ ଅଗ୍ନିଘାତ ଚିକିତ୍ସା ୟୁନିଟ, ଚର୍ମବ୍ୟାଙ୍କ, ୨୪ଘଣ୍ଟିଆ ଚିକିତ୍ସା ବ୍ୟବସ୍ଥା, ୫୬୦ ରୋଗୀ ଓ ସମ୍ପର୍କୀୟ ରହିବା ଲାଗି ରାତ୍ରି ବିଶ୍ରାମାଗାର ପ୍ରତିଷ୍ଠା ହେବ ।

ରାଜ୍ୟର ୫୮ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କଲେଜରେ ଉନ୍ନତି କରଣ କରାଯିବ । ରାଜ୍ୟରେ ପ୍ରତିଷ୍ଠା ହେବ ୨୦ଟି କର୍କଟ ସଂସ୍ଥାନ ଏବଂ ୫୦ଟି ତୃତୀୟ କର୍କଟ ଚିକିତ୍ସା କେନ୍ଦ୍ର ।

ଆୟୁଷ୍ମାନ ଭାରତ ଯୋଜନାରେ ୫୦କୋଟି ଭାରତୀୟଙ୍କୁ ମିଳିବ ସୁନିଶ୍ଚିତ ସାମୁହିକ ସ୍ୱାସ୍ଥ୍ୟସେବା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଉଦବୋଧନରେ କହିଥିଲେ କେନ୍ଦ୍ରସରକାର ଗତ ତିନିବର୍ଷ ମଧ୍ୟରେ ପ୍ରାୟ ୩ହଜାର କୋଟି ଟଙ୍କାର ସହାୟତା ରାଜ୍ୟକୁ ଯୋଗାଇଦେଇଛନ୍ତି । ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ ଏବଂ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉଦବୋଧନ ଦେଇଥିଲେ ।

ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏମ୍ସ ପରିସର ମଧ୍ୟରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୃତ୍ତି ସ୍ଥାପନ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସାଦରେ ଗ୍ରହଣ କରି ଏମ୍ସ ପରିସରରେ ଖୁବ ଶିଘ୍ର ବାଜପେୟୀଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.