Latest Odisha News

BREAKING NEWS

ପୀଡ଼ିତା ଏବେ ଜୀବିତ ନା ମୃତ?

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

ଗଲା ବର୍ଷ ୮ ଅକ୍ଟୋବରରେ ବଲାଙ୍ଗୀରର ଉଚ୍ଚଶିକ୍ଷିତା ଝିଅ ତଥା ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ହେଇଯାଇଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ପରେ ପରେ ଯେତେବେଳେ ଅକ୍ଟୋବର ୨୧ରେ ସେଇ ଯୁବତୀଙ୍କ ମୃତ ଦେହ ମାଟିତଳୁ ମିଳିଥିଲା ସାରା ରାଜ୍ୟ ସେତେବେଳେ ହୁଳସ୍ତୁଲ ହୋଇପଡ଼ିଥିଲା। କଣ ପାଇଁ ଏମିତି ହେଲା କିଏ କଲା ଏଇ ପ୍ରଶ୍ନ ସମସ୍ତଙ୍କର ମନରେ ଉଙ୍କି ମାରିଥିଲା। ତା’ପରେ ସେ ବିଦ୍ୟାଳୟର ମାଲିକ ତଥା ଅଧ୍ୟକ୍ଷଙ୍କୁ ପୀଡ଼ିତାଙ୍କ ହତ୍ୟା ଅଭିଯୋଗରେ ଓଡ଼ିଶା ପୋଲିସ ଗିରଫ କରିଥିଲା । ସେଇଠି ସରିନଥିଲା ସେ କଥା। ସେତେବେଳର ଗୃହ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନେଇ ଅଭିଯୋଗ ଆସିଥିଲା ଓ ଅନେକ ଆନ୍ଦୋଳନ ମଧ୍ୟ ତେଜିଥିଲା। ମମିତା ମେହେରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ସ୍ବର୍ଗତଃ ଗୋବିନ୍ଦ ସାହୁ ଥିଲା ବେଳେ ମୁଖ୍ୟ ସହଯୋଗୀ ଭାବରେ ଡ୍ରାଇଭର ରାଧେଙ୍କ ନାଁ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ୨ ହଜାର ପୃଷ୍ଠାର ଚାର୍ଜସିଟରେ ନାଁ ଉଲ୍ଲେଖ ରହିଥିଲା। ତା’ପରେ ସେମାନଙ୍କୁ ଗିରଫ କଲା ପରେ ସିନ ରିକ୍ରିଏସନ ମଧ୍ୟ ହେଇଥିଲା l କିନ୍ତୁ ବିଡମ୍ବନାର କଥା ଯେ ବିଚରାଧୀନ ଅବସ୍ଥାରେ ଯେଉଁଭଳି ଭାବରେ ଗୋବିନ୍ଦ ଆତ୍ମହତ୍ୟା କଲେ ତାହା ଅନେକ ଗୁଡ଼ିଏ ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଦେଇଗଲା l ଯାହା ସ୍ୱାଭାବିକ କଥା l ଗୋବିନ୍ଦଙ୍କ ମୃତ୍ୟୁ ପରେ ଏବେ ସେଇ ସମ୍ବେଦନଶୀଳ ଘଟଣାଟି ସମ୍ପୂର୍ଣ୍ଣ ରୂପରେ ଅଲଗା ମୋଡ଼ ନେଇଯାଇଛି । ପ୍ରଥମ କଥାଟି ହେଲା ଯେ ଏତେ ସଂଖ୍ୟାରେ ରହୁଥିବା ଝିଅ ମାନଙ୍କ ହଷ୍ଟେଲରେ ଯୌନ ଶୋଷଣକୁ ନେଇ ସ୍ଥାନୀୟ ଜନସାଧାରଣ ତଥା ମମିତା ମେହେରଙ୍କ ପରିବାରର ଅଭିଯୋଗ ଓ ଶାସକ ଦଳର ଜଣେ ସେତେବେଳେର ମନ୍ତ୍ରୀଙ୍କର ଅହରହ ସେ ବିଦ୍ୟାଳକୁ ଗସ୍ତ ଓ ସରକାରୀ ସ୍ତରରେ ଅନେକ ଅନୁକମ୍ପା ବହୁତ ସନ୍ଦେହ ଘେରକୁ ପୂର୍ବତନ ମନ୍ତ୍ରୀଙ୍କୁ ମଧ୍ୟ ଆଣିଥିଲା । ଆବଶ୍ୟ ତା’ପରେ ପୂର୍ବତନ ମନ୍ତ୍ରୀଙ୍କୁ କ୍ଲିନଚିଟ ମଧ୍ୟ ମିଳିଥିଲା l

ଦ୍ୱିତୀୟ ଘଟଣାଟି ହେଲା ଯାହା ଆମେ ଗଣ ମାଧ୍ୟମରେ ଦେଖୁଛେ ଆଉ ପଢୁଛେ ଯେ ମମିତାଙ୍କର ଦେହାବଶେଷ ତଦନ୍ତକାରୀ ସଂସ୍ଥା ଯେଉଁ ହାଡ଼ ଖଣ୍ଡଗୁଡ଼ିକ ଡ଼ିଏନଏ ଟେଷ୍ଟ ପାଇଁ ପଠେଇଥିଲା ତାହା ମମିତାଙ୍କର ନୁହେଁ ବୋଲି ସ୍ୱର୍ଗତଃ ଗୋବିନ୍ଦଙ୍କ ର ଆଡ଼ଭୋକେଟ ଡ଼ିଏନଏ ଟେଷ୍ଟ ରିପୋର୍ଟରୁ ଏ ଭଳି ତଥ୍ୟ ସ୍ପଷ୍ଟ ହୋଇଛି ବୋଲି ଯୁକ୍ତି ବlଢିଛନ୍ତି । ହାଇଦ୍ରାବାଦରୁ ଏଇ ରିପୋର୍ଟ ଯାହା ମମିତାଙ୍କ ମାଆ, ବାପାଙ୍କ ଡିଏନଏ ପ୍ରୋଫାଇଲ ସହ ମେଳ ଖାଉନାହିଁ । ଯାହା ଏବେ ବଡ଼ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପୂର୍ବରୁ ଗୋବିନ୍ଦଙ୍କୁ ନେଇ ସିନ ରିକ୍ରିଏସନ ମଧ୍ୟ କରାଯାଇଛି ।  ଯଦି ଏତେ ସବୁ ହେଇଛି ତାହେଲେ ପୀଡ଼ିତା ଏବେ ମୃତ ନା ଜୀବିତ ତାହା ଏବେ ବଡ଼ ପ୍ରଶ୍ନ ? ଆଉ ଯଦି ଜୀବିତ ବୋଲି ଆମେ ଭାବିବା ତାହେଲେ ଦେହାବଶେଷ କାହାର ଯାହା ଡିଏନଏ ଟେଷ୍ଟ ପାଇଁ ଯାଇଥିଲା ମମିତାଙ୍କର ନା ଆଉ କେଉଁ ପୀଡ଼ିତାଙ୍କର?

ଏହାକୁ ନେଇ ରାଜନୀତି ତେଜିବା ସ୍ୱାଭାବିକ କଥା କିନ୍ତୁ ଯେଉଁ ପର୍ଯ୍ୟନ୍ତ ଏହାର ମୂଳ ସତ୍ୟାସତ୍ୟକୁ ବିରୋଧୀ ଦଳମାନେ ଯାଇପାରିନାହାନ୍ତି ସେ ପର୍ଯ୍ୟନ୍ତ ଏଇ ଭଳି ପରସ୍ପରକୁ ଦୋଷlରାପ ର ଧାରl ଚାଲୁଥିବ ଏଥିରେ ଦ୍ୱିମତ ନାହିଁ ।  ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେ ତ ବଡ଼ କଥା ଏବଂ ବଡ଼ ପ୍ରସଙ୍ଗ ଏବେ ବିରୋଧୀ ଙ୍କ ପାଖରେ,  କିନ୍ତୁ ମମିତା ଏବେ କେଉଁଠି ଜୀବିତ ନା ମୃତ? ସୁରକ୍ଷିତ ନା ଅସୁରକ୍ଷିତ ତା ବି ବଡ଼ ପ୍ରସଙ୍ଗ ହେବା ଦରକାର ?  ଆତ୍ମହତ୍ୟା ନୁହେଁ ସିଧାସଳଖ ହତ୍ୟା ବୋଲି ବିଜେପି ଆରୋପ ଲଗାଉଥିଲା ବେଳେ, ଏହା ଏକ ସୁଚିନ୍ତିତ ଷଢଯନ୍ତ୍ର କି? ବୋଲି କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି ; ଯାହାର ଉତ୍ତର ରଖିବାକୁ ଓଡ଼ିଶାର ଗୃହ ବିଭାଗର ବଡ଼ ଦାୟିତ୍ୱ ରହିଛି କାରଣ ଗୋଟିଏ ଜେଲରେ ସମ୍ବେଦନଶୀଳ ଘଟଣାର ବିଚାରଧୀନ ଅଭିଯୁକ୍ତର ପୁରା ସୁରକ୍ଷାର ଦାୟିତ୍ୱକୁ ନେଇ ମଧ୍ୟ ଉତ୍ତରଦାୟୀ ହେବା ଦରକାର ଗୃହବିଭାଗ ।  ଆଉ ଏବେ ମୁଖ୍ୟ କଥା ହେଲା ଅନେକ ଘଟଣାରେ ଏବେ ଅନେକ ବିଚରାଧୀନ ଅଭିଯୁକ୍ତ ଜେଲରେ ଅଛନ୍ତି ତେଣୁ ଏଇ ଘଟଣା ଅନେକ ଶିକ୍ଷା ଦେଉଛି ଆଗକୁ ସାବଧାନ ହେବା ପାଇଁ ଗୃହବିଭାଗ କୁ ଯାହା ପାଇଁ ସତର୍କତା ଏବେ ଠାରୁ ଜରୁରୀ ।  ଆଉ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ମମିତାଙ୍କ ମୃତ କି ଜୀବିତ ପ୍ରସଙ୍ଗ ।  ଗୋଟିଏ ଘଟଣାର ଏତେ ଦିନ ପରେ ଏକା ସମୟରେ ମମିତାଙ୍କ ଡିଏନଏ ରିପୋର୍ଟ ର ନୂଆ ତଥ୍ୟ ଓ ଗୋବିନ୍ଦଙ୍କ ଆତ୍ମହତ୍ୟା ନିହାତି ଭାବରେ ଅଙ୍ଗୁଳି ଉଠୁଛି ସ୍ୱଚ୍ଛ ତଦନ୍ତ ଉପରେ । ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରତିଯୋଗିତା କରୁଥିବା ରାଜନ୍ୟତିକ ଦଳ ଗୁଡ଼ିକ ଏବେ ଏଇ ପ୍ରସଙ୍ଗ ଉପରେ ଯତ୍ନବାନ ହେବା ଦରକାର ।  ଗୋବିନ୍ଦ ଆତ୍ମହତ୍ୟା କାହିଁକି କଲେ କି ହତ୍ୟା କାହିଁକି କରାଗଲା ତାହା ଯେତିକି ଜରୁରୀ ମମିତା ମୃତ କି ଜୀବିତ ତା ବି ବଡ଼ ପ୍ରସଙ୍ଗ ହେବା ସେତିକି ଜରୁରୀ । ତାହେଲେ ଆଗାମୀ ଦିନରେ ସମ୍ପୂର୍ଣ ଭାବରେ ପୀଡ଼ିତା ଏବଂ ପୀଡ଼ିତାର ପରିବାରର ଆସ୍ଥା ଉଠିଯାଉଥିବା ଗୃହ ବିଭାଗ ଉପରୁ ଟିକେ ସ୍ଥିତିରେ ସୁଧାର ଆସିପାରିବ ।

Comments are closed.