ନାଗପୁର: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରି ବିଦର୍ଭ ନିକଟରୁ ୧୦୦ ରନରେ ପରାସ୍ତ ହୋଇଛି । ବିଦର୍ଭ ପ୍ରଥମ ଇନିଂସରେ ୨୮୬ ରନ କରିଥିଲା । ଏହାର ଜବାବରେ ଓଡିଶା ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ବିଦର୍ଭ ୨ ୱିକେଟ ବିନିମୟରେ ୨୧୮ ରନ କରି ଇନିଂସ ଘୋଷଣା କରିଥିଲା । ଓଡିଶା ସମ୍ମୁଖରେ ୩୪୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ଜବାବରେ ଓଡିଶା ୨୪୪ ରନ କରି ଅଲଆଉଟ ହୋଇ ଯାଇଥିଲା । ସ୍ୱସ୍ତିକ ସାମଲ ୬୫, ଗୌରବ ଚୌଧୁରୀ ୪୭ ଓ ଗୋବିନ୍ଦ ପୋଦ୍ଦାର ୪୬ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଓଡିଶା ବିଜୟ ହାସଲ କରିପାରି ନ ଥିଲା ।
୩ ୱିକେଟ ବିନିମୟରେ ୧୬୪ ରନ କରିଥିବା ଓଡିଶା ଶେଷ ୭ଟି ୱିକେଟ ୮୦ ରନରେ ହରାଇଥିଲା । ବିଦର୍ଭର ପାର୍ଥ ରେଖାଡେ ୫ଟି ୱିକେଟ ଅକ୍ତିଆର କରି ଓଡିଶାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପ୍ରଫୁଲ୍ଲ ହିଙ୍ଗେ ୩ଟି ଓ ନଚିକେତା ଭୂତେ ଗୋଟିଏ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଧ୍ରୁବ ଶୋରେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଓଡିଶା ୪ ମ୍ୟାଚରୁ ୧ ପଂଏଟ ହାସଲ କରି ୭ମ ସ୍ଥାନରେ ରହିଛି । ବିଦର୍ଭ ୪ ମ୍ୟାଚରୁ ୧୯ ପଂଏଟ ପାଇ ଗ୍ରୁପ ଏରେ ଶୀର୍ଷ ସ୍ଥାନରେ ରହିଛି ।
Comments are closed.