ହାନୋଇ: ସମାଜରେ ଚାକିରି, ବିବାହ ଏବଂ ସନ୍ତାନ ଜନ୍ମ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସ୍ଥିର ରହିଛି। ବାପା, ମା ମାନେ ମଧ୍ୟ ଏହି ସବୁ ନିୟମ ଦ୍ୱାରା ଆବଦ୍ଧ। ସେମାନେ ବି ଚାହାନ୍ତି ତାଙ୍କ ପର ପିଢି ସମାଜର ନିୟମ ଅନୁସାରେ ପରିଚାଳିତ ହେଉ, କିନ୍ତୁ ଜରୁରୀ ନୁହେଁ କି ଏହା ସମସ୍ତଙ୍କୁ ଠିକ୍ ଲାଗିବ। ଏହିପରି ଭିଏତନାମର ଯୁବକମାନଙ୍କ ଉପରେ ବିବାହ ଏବଂ ସନ୍ତାନ ପାଇଁ ଚାପ ବଢୁଥିବାରୁ ସେମାନେ ନିଜ ପାଇଁ ସାଥୀ ଭଡାରେ ଆଣୁଥିବା ଜଣାପଡିଛି।
ସୋସିଆଲ ମିଡିଆରେ ଏକ ଗ୍ରୁପ ତିଆରି ହୋଇଛି ଯେଉଁଠାରେ ଲୋକମାନେ ସମୟ ବିତାଇବା ପାଇଁ ଟଙ୍କା ଦେଇ ସାଥି ଆଣନ୍ତି।
ସେହିପରି ଏକ ଘଟଣା ଅନୁଯାୟୀ, ନାମ ଦିନ୍ହ ପ୍ରଦେଶର 30 ବର୍ଷିୟା ମହିଳା ମିନ୍ହ ଥୁ ଥରେ ଜଣେ ପୁରୁଷଙ୍କୁ ନିଜ ପ୍ରେମିକ ହେବା ପାଇଁ ଟଙ୍କା ଦେଇଥଲେ। ଏକ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କ ପିତାମାତାଙ୍କ ସାମ୍ନାରେ ସେ ସେହି ପୁରୁଷଙ୍କୁ ତାଙ୍କ ସାଥୀ ଭାବେ ପରିଚିତ କରାଇଥିଲେ ଯେଉଁଥିରେ ତାଙ୍କୁ ଅନେକ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ପଡିଥିଲା। ସେ ଏକ ରିପୋର୍ଟରେ କହିଛନ୍ତି ଯେ ସେ ମୋ ଘରକୁ ଆସି ମୋ ମା’ଙ୍କୁ କାମରେ ସାହାଯ୍ୟ କରିଥିଲେ ଏବଂ ମୋର ସମ୍ପର୍କୀୟମାନଙ୍କ ସହ ସମୟ ଅତିବାହିତ କରିଥିଲେ ଯାହାପରେ ମୋ ପିତାମାତାଙ୍କୁ ବହୁତ ଦିନ ପରେ ଏତେ ଖୁସିରେ ଦେଖି ବହୁତ ଖୁସି ଲାଗିଥିଲା।
ତେବେ ଭିଏତନାମ ସଂସ୍କୃତିରେ ବିବାହର ବହୁ ମହତ୍ବ ରହିଛି। ହେଲେ କେତେକ କ୍ଷେତ୍ରରେ ପିଲାମାନେ ବିବାହ କରିବାକୁ ଚାହୁଁନଥିଲା ବେଳେ ପିତାମାତା ବାହା ହେବାକୁ ଚାପ ପକାଇଥାନ୍ତି।
ଏପରି ବ୍ୟବସ୍ଥା (ସାଥୀ ନିଯୁକ୍ତି) ସେମାନଙ୍କ ପରିବାରମାନଙ୍କଠାରୁ ବଢୁଥିବା ଚାପ ବିରୁଦ୍ଧରେ ଏକ ସଫଳ ପ୍ରୟାସ ଅଟେ ବୋଲି ବିଶେଷଜ୍ଞ ମାନଙ୍କର ମତ। ଭିଏତନାମର ସାମ୍ବାଦିକତା ଏବଂ ଯୋଗାଯୋଗ ଏକାଡେମୀର ଜଣେ ଗବେଷକ ଗୁଏନ୍ ଥାନ୍ ନାଗା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି: “ଯଦି ଏହି ତଥ୍ଯ ବାହାରକୁ ଆସେ , ତେବେ ପରିବାରଲୋକେ ଭାବପ୍ରବଣ ହୋଇ ବିଶ୍ୱାସ ହରାଇ ପାରନ୍ତି। ଭିଏତନାମରେ ଏହା ଆଇନ ବିରୋଧ ହୋଇଥିବାରୁ ଏହି ଦିଗରେ ମହିଳାମାନେ ବିଶେଷ ସଚେତନ ହେବା ଉଚିତ୍।”
ସେହିପରି ସମାଜବିଜ୍ଞାନୀଙ୍କ ଅନୁଯାୟୀ, ପିତାମାତାମାନେ ସେମାନଙ୍କ ପିଲାଙ୍କ ନିଷ୍ପତ୍ତିରେ ପ୍ରାୟତଃ ରାଜି ହୋଇନଥାନ୍ତି ଯାହାଫଳରେ ଏହିଭଳି ସମସ୍ୟା ଦେଖାଦେଇଥାଏ।