ନବରଙ୍ଗପୁର: କୋର୍ଟ ଭିତରେ ଘଟିଛି ଅଦ୍ଭୁତ ଘଟଣା। ରାୟ ଶୁଣିବା ପରେ କୋର୍ଟରୁ ଚମ୍ପଟ ମାରିଛନ୍ତି ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ କୋର୍ଟ ରୁମ୍ରୁ ଚମ୍ପଟ ମାରିଛନ୍ତି ଦୁଇ ଲୁଟେରା। ଏପରି ଘଟଣା ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ଚମ୍ପଟ ମାରିଥିବା ଦୁଇ ଦୋଷୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିଲେ ମଧ୍ୟ ଧରିବାରେ ସଫଳ ହୋଇନାହିଁ।
ସୂଚନା ମୁତବକ, ୨୦୨୪ ଜାନୁଆରୀ ୩୧ ତାରିଖରେ ନବରଙ୍ଗପୁର ବ୍ଲକ ସମ୍ମୁଖରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ହୋଇଥିଲା। ଏହି ମାମଲାରେ ନବରଙ୍ଗପୁର ଟାଉନ୍ ଥାନା ପୋଲିସ୍ ହରିଆଣାର ସକିଲ ଖାଁ, ଶାହାରୁଖ ଖାଁ, ଫଜଲ ଖାଁ, ଜାହୁଲ ଖାଁ ଓ ବିହାର ନିଖିଲ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରୁ ସକିଲ ଖାଁ ଓ ଶାହାରୁଖ ଖାଁ ଜମିନରେ ଆସିଥିଲେ। ଆଜି ଏହି ଲୁଟ୍ ମାମଲାରେ ରାୟ ପ୍ରକାଶ ପାଇଁ ଦୁଇ ଅଭିଯୁକ୍ତ ସକିଲ ଓ ଶାହାରୁଖ କୋର୍ଟରେ ହାଜର ହୋଇଥିଲେ। ନିର୍ଦ୍ଧାରିତ ସମୟରେ ବିଚାର ଆରମ୍ଭ ହୋଇଥିଲା ଏବଂ ସାକ୍ଷ୍ୟ ପ୍ରମାଣ ଆଧାରରେ ନବରଙ୍ଗପୁର CJM କୋର୍ଟ ରାୟ ଶୁଣାଇଲେ। ଏଟିଏମ୍ ଲୁଟ୍ ମାମଲାରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ରାୟ ଶୁଣିବା ପରେ ହିଁ ଦୋଷୀ ସକିଲ ଖାଁ ଓ ଶାହାରୁଖ ଖାଁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରଖିଛି।
Comments are closed.