Latest Odisha News

ଭିଜିଲାନ୍ସ ଜାଲରେ ABEO; ରହିଛି ୧୯ ପ୍ଲଟ, ୩ କୋଠା…

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ଯାଜପୁର ଜିଲ୍ଲା ଧର୍ମଶାଳାଠାରେ କାର୍ଯ୍ୟରତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ଏବିିଇଓ) ଜୟଦେବ ଜେନାଙ୍କ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରାଯାଇଛି।

ଭୁବନେଶ୍ୱର, ଯାଜପୁର ସମେତ ଗଞ୍ଜାମ ଜିଲ୍ଲାରେ ତିନୋଟି ସ୍ଥାନରେ ଚଢାଉ ବେଳେ ବହୁ ପରିମାଣର ସ୍ଥାବର ସମ୍ପତ୍ତି ଠାବ ହୋଇଛି । ଚଢ଼ାଉ ବେଳେ ତାଙ୍କ ପାଖରେ ଅନେକ ସୁନା ଚେନ, ମୁଦି, କାନଫୁଲ ଓ ହାର ମିଳିଛି।

ଭୁବନେଶ୍ୱରର ପାତ୍ରପଡ଼ାଠାରେ ୪,୩୦୦ ବର୍ଗଫୁଟ ବିଶିଷ୍ଟ ତିନି ମହଲା କୋଠା ରହିଛି।

ଗଞ୍ଜାମର ପି. ନୂଆଗାଁ ଠାରେ ୩,୮୫୦ ବର୍ଗଫୁଟ ବିଶିଷ୍ଟ କୋଠା ଏବଂ ୭,୧୦୦ ବର୍ଗଫୁଟ ବିଶିଷ୍ଟ କୋଠା ଠାବ କରିଛି ଭିଜିଲାନ୍ସ । ଏହା ସହିତ ଭୁବନେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ୧୯ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି।

ଗୋଟିଏ ଟାଟା ନେକ୍ସନ୍ କାର୍ ଏବଂ ଦୁଇଟି ଦୁଇ ଚକିଆ ଗାଡ଼ି ମଧ୍ୟ ତାଙ୍କର ରହିଛି। ଭିଜିଲାନ୍ସର ବୈଷୟିକ ଶାଖା ଦ୍ୱାରା ସମ୍ପତ୍ତିଗୁଡ଼ିକର ଆକଳନ ଓ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟ ଚାଲିଛି। ଏହାସହ ଅଧିକାରୀମାନେ ସୁନା ଅଳଙ୍କାରର ଓଜନ ଏବଂ ବ୍ୟାଙ୍କ ଜମା ତଥା ଆର୍ଥିକ ନିବେଶର ମୂଲ୍ୟାୟନ ମଧ୍ୟ କରୁଛନ୍ତି।

ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ତଦନ୍ତ ଜାରି ରଖିଛନ୍ତି।

ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ିବା ସହ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.