Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି: ଇଫୁ ମଲ୍ଲିକ

ଭୁବନେଶ୍ୱର: ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍‌ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ । ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଅର୍ଥାଭାବ ଯୋଗୁ ତାଙ୍କର ଏ ଆଶା ପୂରଣ ହେବା ସଂପର୍କରେ ସେ ସନ୍ଦିହାନ ଥିଲେ ।

ସାମାଜିକ ଗଣମାଧ୍ୟମରୁ ଏ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମେଡିକାଲ ପଢିବା ପାଇଁ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିଲେ>

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆ ଯାଇଥିଲା । ଆଜି ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଇଫୁ ମଲ୍ଲିକ ଅତ୍ୟନ୍ତ ଭାବବିହ୍ବଳ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଦେଇଥିଲେ । ଏହି ସାକ୍ଷାତ ସମୟରେ 5T ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.