Latest Odisha News

BREAKING NEWS

ନିଯୁକ୍ତି ଦାବିରେ କଳିଙ୍ଗନଗର ‘ଇମାମି ସିମେଣ୍ଟ କାରଖାନା’ ଘେରିଲେ ଜମିହରା

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଇମାମୀ ସିମେଣ୍ଟ କାରଖାନା ବିରୋଧରେ ସ୍ଥାନୀୟ ଗ୍ରାମବାସୀ ଓ ଜମିହରାଙ୍କ ଆନ୍ଦୋଳନ । କାରଖାନା ପ୍ରତିଷ୍ଠା ପୂର୍ବରୁ କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି ପାଳନ ନକରାଯିବା ପ୍ରତିବାଦରେ ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଗ୍ରାମବାସୀଙ୍କୁ କାରଖାନାରେ ନିଯୁକ୍ତି ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ କାରଖାନା କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । କିନ୍ତୁ ପ୍ରତିଶୃତିରେ ଖିଲାଫ୍ ହେବାରୁ ଏହାକୁ ବିରୋଧ କରି ଧାରଣା ଦେଇଛନ୍ତି ଗ୍ରାମବାସୀ ।

ସ୍ଥାନୀୟ ବେକାର ଓ ଜମିହରାଙ୍କୁ ନିଯୁକ୍ତିର ପ୍ରତିଶୃତି ଦେଇ ଆଜି ପର୍ଯ୍ୟନ୍ତ ଭଣ୍ଡାଇ ଆସୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ନିଯୁକ୍ତି ଓ ରୋଜଗାର ଆଶାରେ ଜମି ଦେଇ ସର୍ବସ୍ବ ହରାଇଥିବା ଗ୍ରାମବାସୀ ଏବେ ଚିନ୍ତାରେ ଦିନ କାଟୁଛନ୍ତି । ଯାହାର ପ୍ରତିବାଦ କରି ସ୍ଥାନୀୟ ମାଣତିରା ଗ୍ରାମର ଶତାଧିକ ଗ୍ରାମବାସୀ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।

କାରଖାନାରୁ ନିର୍ଗତ ଧୂଳି, ଧୂଆଁ ଯୋଗୁଁ ସ୍ଥାନୀୟ ଅଧିବାସୀ ପ୍ରଦ୍ୟୁଷଣର ଶିକାର ହୋଇଛନ୍ତି । ଏ ସବୁ ସମସ୍ୟା ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଆଖି ବୁଜି ଦେଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

କମ୍ପାନୀ କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି ରାଜ୍ୟ ବାହାରର ଠିକାସଂସ୍ଥାକୁ କର୍ମ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ବେକାର ଏବଂ ଜମିହରାଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି । ସମସ୍ୟା ସମ୍ପର୍କରେ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ କାରଖାନା ଗେଟ୍ ସମ୍ମୁଖରେ ବସିଛନ୍ତି ଗ୍ରାମବାସୀ ।

ଆନ୍ଦୋଳନ ସମ୍ପର୍କରେ ଖବର ପାଇ କଳିଙ୍ଗନଗର ଅତିରିକ୍ତ ଏସ.ପି ରାଜକିଶୋର ଦୋରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ଏବଂ ଜମିହରାଙ୍କ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଏସ.ପି ।

ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ କାରଖାନା ବିରୋଧରେ ବ୍ୟାପକ ଗଣଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.