Latest Odisha News

BREAKING NEWS

ଅଚଳ ନଳକୂପ, ଇନ୍ଦ୍ରାବତୀ ଜଳଭଣ୍ଡାରର ଦୂଷିତ ପାଣି ପିଇ ଗାଁଲୋକେ ମେଣ୍ଟାଉଛନ୍ତି ଶୋଷ

ଭବାନୀପାଟଣା: ଗାଁକୁ ଲାଗି ରହିଛି ବୃହତ ଜଳଭଣ୍ଡାର। କିନ୍ତୁ ଦୀର୍ଘ ଦିନରୁ ରହି ଆସିଛି ପାନୀୟଜଳର ଅଭାବ। ବର୍ଷର ବାର ମାସ ଦୂଷିତ ପାଣିରେ ଜୀବନ ବଞ୍ଚାଉଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ଅଧିନ ସାନଛତ୍ରଙ୍ଗ ଗାଁ ଲୋକେ ଦୂଷିତ ପାଣି ପିଉଥିବାର ଅଭିଯୋଗ ହୋଇଛି।

ବିଶ୍ବ ପରିଚିତ ଇନ୍ଦ୍ରାବତୀ ଜଳଭଣ୍ଡାର କୂଳର ଏଇ ଗାଁରେ ରହିଛି ପାନୀୟ ଜଳର ସାଂଘାତିକ ସ୍ଥିତି। ଗାଁର ଉପର ପଡା ଏବଂ ତଳ ପଡା ମିଶି ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି। ସରକାର ଗାଁର ଉଭୟ ପଡାରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଯାଇ ଚାରିଟି ନଳକୂପ ସ୍ଥାପନ କରିଛନ୍ତି। କିନ୍ତୁ ସମସ୍ତ ନଳକୂପ ପ୍ରାୟତଃ ଅଚଳ। ଯେଉଁ ନଳକୂପ ଠିକ୍ ଅଛି ସେଥିରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନଥିବା ବେଳେ ଯେଉଁ ପାଣି ବାହାରୁଛି ଲୌହ ଯୁକ୍ତ ଦୂଷିତ ଏବଂ ଦୁର୍ଗନ୍ଧ ପାଣି ଯାହା ପିଇବା ଅନୁପଯୁକ୍ତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ସେଇ ଇନ୍ଦ୍ରାବତୀ ଜଳଭଣ୍ଡାର ତଟରେ ଛୋଟ ଛୋଟ କୂଅ ଖୋଳି ସେଇ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ଗ୍ରାମର ମହିଳାମାନେ।

ଗାଁରେ ବିଶୁଦ୍ଧ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟିକୁ ନେଇଥିଲେ ମଧ୍ୟ ଆଜିଯାଏ ଏହି ସମସ୍ୟାର ସମାଧାନ କରିବାରେ ଅଦ୍ୟାବଧି ବିଫଳ ହୋଇଛି ପ୍ରଶାସନ। ସାନଛତ୍ରଙ୍ଗ ଗ୍ରାମରେ ଏହି ସମସ୍ୟାର ସମାଧାନ ପାଇଁ ଜଳ ଓ ପରିମଳ ବିଭାଗ ପକ୍ଷରୁ ବୋର୍ ଓ୍ବେଲ୍ ଖୋଳାଯାଇଥିଲା କିନ୍ତୁ ଭୂତଳରେ ଜଳର କୌଣସି ଉତ୍ସ ନଥିବାରୁ ବ୍ୟର୍ଥ ହୋଇଥିବା କଥା କହିଛନ୍ତି ବିଭାଗୀୟ ସହକାରୀ ଯନ୍ତ୍ରୀ ମନ୍ମଥ ମୁର୍ମୁ।

ତଥାପି ବହୁତ ଶୀଘ୍ର ସମସ୍ୟାର ସମାଧାନ ପାଇଁ କୂପ ଖନନ କରାଯାଇ ସୌର ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସହକାରୀ ଯନ୍ତ୍ରୀ ଶ୍ରୀ ମୁର୍ମୁ। ବର୍ତ୍ତମାନ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇସାରିଛି ଏବେଠୁ ବିଭିନ୍ନ ଜନବସତିରେ ପାନୀୟ ଜଳ ସଂକଟ ବଢିବାରେ ଲାଗିଛି।ପ୍ରଶାସନ କେତେ ତତ୍ପର ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.