Latest Odisha News

[ଦେଖନ୍ତୁ ଭିଡିଓ] ମିଠା ମକା ଚାଷ ମେଣ୍ଟାଉଛି ପରିବାରର ଗୁଜୁରାଣ

କାମାକ୍ଷାନଗର: ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି ମିଠା ମକା ଚାଷ । ମିଠା ମକା ଚାଷ ବଦଳାଇ ଦେଇଛି ଚାଷୀ ମାନଙ୍କର ଜୀବନ ଶୈଳୀ । ବର୍ତ୍ତମାନ ମକା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଅନେକ ଚାଷୀ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି ମିଠା ମକା ଚାଷ । ମହୁଲପାଳ, କୁସୁମଯୋଡି, ଅଁଳାବେରେଣୀ ଆଦି ପଞ୍ଚାୟତରେ ମିଠା ମକା ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଚାଷୀ ।

ମିଠା ମକା ଚାଷ ପାଇଁ ଉତ୍ତମ ଜଳବାୟୁ ଥିବାରୁ ଚାଷୀ ଭାଇ ମାନଙ୍କ ପାଇଁ ତାହା ବେଶ ଉପଯୋଗୀ ହୋଇ ପାରିଛି । ଫଳରେ ଚାଷୀ ଭାଇ ମାନେ ରୋଟେସନରେ ବର୍ଷର ଦୁଇ ଥର ମିଠା ମକା ଚାଷ କରୁଛନ୍ତି । ଏବଂ ସୁରୁଖୁରୁରେ ସେମାନେ ନିଜ ପରିବାରର ଗୁଜୁରାଣକୁ ମେଣ୍ଟାଇ ପାରୁଛନ୍ତି । ମିଠା ମକା ଚାଷକୁ ନେଇ ଅଞ୍ଚଳରେ ସେମିତି ଭଲ ବଜାର ନଥିବା ଯୋଗୁଁ ଚାଷୀ ଭାଇ ମାନେ ରାସ୍ତା କଡରେ ମିଠା ମକାର ଆସର ପକାଇଛନ୍ତି ।

ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ବିଜାଡିହ, ଆଲୁଅଝରଣ, ମହୁଲି, ଅଁଳାବେରେଣୀ ଆଦି ଅଞ୍ଚଳରେ ରାସ୍ତା କଡରେ ଏହି ମକା ବିକ୍ରୟର ସମ୍ଭାର ଦେଖିବାକୁ ମିଳିଥାଏ । ଏଥିସହିତ ଅନେକ ବାଟୋଇ ମାନେ ମଧ୍ୟ ମିଠା ମକା କିଣିଥାନ୍ତି । ମକା ଚାଷୀ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆତ୍ମା ଯୋଜନାରେ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବା ପ୍ରକାଶ କରିଛନ୍ତି କୃଷି ଅଧିକାରୀ ।

କୃଷି ଓ କୃଷକ ମାନଙ୍କ ପାଇଁ ରୋଜଗାରର ବାଟ ଦେଖାଇଥିବା ମିଠା ମକା ଚାଷ, ଚାଷୀ ମୁହଁରେ ହସ ଖେଳାଇ ପାରିଛି । ଯାହା ଆଗାମୀ ଦିନରେ କାମାକ୍ଷାନଗର ଅଞ୍ଚଳରେ ଥିବା ଚାଷୀ ଭାଇ ମାନଙ୍କ ପାଇଁ ଏକ ବଡ଼ ଅର୍ଥକରୀ ଫସଲ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ।

Leave A Reply

Your email address will not be published.