Latest Odisha News

ପ୍ରଶାସନକୁ ସ୍ବାଗତ କଲେ ଢ଼ିଙ୍କିଆ ଗ୍ରାମବାସୀ, ଗାଁରେ ଶାନ୍ତି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନର ନିବେଦନ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଗାଁରେ ଆଜି ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। ଯେଉଁ ଗାଁ’ରେ ଜିଲ୍ଲା ପ୍ରଶାସନକୁ ବିରୋଧ କରାଯାଉଥିଲା ଆଜି ସେହି ଗାଁର ଲୋକମାନେ ଜିଲ୍ଲାପାଳ ପାରୁଲ ପଟୱାରୀ,ଏସପି ଅଖିଳେଶ୍ବର ସିଂ କୁ ଫୁଲତୋଡ଼ା ଦେଇ ସ୍ବାଗତ ଜଣାଇଛନ୍ତି।

ଆଜି ଅପରାହ୍ନରେ ଢ଼ିଙ୍କିଆ ପଞ୍ଚାୟତ କାର୍ୟ୍ୟାଳୟରେ ସ୍ଥାନୀୟ ଲୋକମାନଙ୍କ ସହିତ ଜିଲ୍ଲାପାଳ ଓ ଏସପି ଏକ ଆଲୋଚନା କରିଥିଲେ । ବିଗତ ଏକ ମାସ ପୂର୍ବରୁ ଅର୍ଥାତ୍ ସଂକ୍ରାନ୍ତି ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନବରଜ ଭଙ୍ଗା କାର୍ୟ୍ୟକୁ ବିରୋଧ କରି ପୋଲିସ ସହିତ ଗାଁ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଲାଠି ମାଡ଼ କରିଥିଲା ବେଳେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।
ତେବେ ଆଜି ସେହି ଘଟଣାର ଏକମାସ ପରେ ଢିଙ୍କିଆ ଗାଁର ଲୋକମାନେ ଜିଲାପାଳ ଓ ଏସପିଙ୍କୁ ସ୍ଵାଗତ କରିଥିବାର ଦେଖିବାକୁ ମିଳିଛି। ଏହି ଏକ ମାସ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ହୋଇଥିଲା ବେଳେ ଭାଇଚାରା ଫେରିଛି। ଯାହା ଫଳରେ ଗାଁର ମୁରବି ଓ ଯୁବକମାନେ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନକୁ ନିମନ୍ତ୍ରଣ କରିଥିଲେ।

ଆଜି ଗାଁ ଲୋକଙ୍କ କଥା ରକ୍ଷା କରି ଉଭୟ ଜିଲାପାଳ ଓ ଏସପି ଢ଼ିଙ୍କିଆ ପଞ୍ଚାୟତ କାର୍ୟ୍ୟାଳୟରେ ପହଞ୍ଚି ଥିଲେ। ନିର୍ବାଚନ ଆଦର୍ଶ ଆଚରଣବିଧି ରହିଥିବାରୁ ଗାଁ ଲୋକଙ୍କ କୌଣସି ଦାବି ସମ୍ପର୍କରେ ଆଲୋଚନା କରାଯାଇ ନଥିଲା। ଆସନ୍ତା ୨୮ ତାରିଖ ପରେ ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜିଲାପାଳ ଓ ଏସପି ସୂଚନା ଦେଇଛନ୍ତି।

ଅପରପକ୍ଷରେ ଗାଁରେ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିରୋଧ ଓ ଆନ୍ଦୋଳନ ପାଇଁ ଗାଁରେ ଅଶାନ୍ତ ପରିବେଶ ରହିଥିବା ବେଳେ ଏବେ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ସ୍ବାଭାବିକ ହେବାକୁ ଯାଉଛି। ଏବେ ଜିଲ୍ଲା ପ୍ରଶାସନ ସିଧାସଳଖ ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ଗାଁରେ ଭାଇଚାରା ଫେରିଛି। ଆଗକୁ କିଭଳି ଏହା ବଜାୟ ରହିବ ସେ ନେଇ ଗାଁ ଲୋକେ ଏକାଠି ନିଷ୍ପତ୍ତି ନେବେ ବୋଲି ଗାଁ ର ମୁରବୀ ନିର୍ଭୟ ସାମନ୍ତରାୟ, ଅକ୍ଷୟ ଦାସ, ନିତ୍ୟାନନ୍ଦ ସ୍ବାଇଁ, ପ୍ରଦିପ ଶତପଥୀ, ବିବେକାନନ୍ଦ ସ୍ବାଇଁ, ନିର୍ଭୟ ଦାସ, ପ୍ରଶାନ୍ତ ମଲିକ, ନିବାସ ଦାସ, ଚଗଲା ବର୍ଦ୍ଧିନ, ପ୍ରମୁଖ ଆଲୋଚନାରେ ଉପସ୍ଥିତ ରହି ପ୍ରକାଶ କରିଛନ୍ତି।

ଆଜି ପଞ୍ଚାୟତ କାର୍ୟ୍ୟାଳୟରେ ଅଳ୍ପ ସମୟ ପାଇଁ ଲୋକଙ୍କ ସହିତ ଆଲୋଚନା ହେଲା ପରେ ଜିଲାପାଳ ପାରୁଲ ପଟୱାରୀ ଓ ଏସପି ଅଖିଳେଶ୍ବର ସିଂ ସହିତ ବିଡ଼ିଓ କୈଳାସ ବେହେରା, ଅତିରିକ୍ତ ଏସପି ନିମାଇଁ ସେଠୀ ପ୍ରମୁଖ ଗାଁ ଲୋକଙ୍କ ସହିତ ଫୁଲଖାଇ ମନ୍ଦିରକୁ ଯାଇଥିଲେ। ପରେ ଢ଼ିଙ୍କିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହିତ ଗାଁରେ ଶାନ୍ତି ସ୍ଥାପନ ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ। ଆଜିର ଏହି ଆଲୋଚନା ଆଗାମୀ ଦିନରେ ଢ଼ିଙ୍କିଆ ଗାଁରେ ଏକ ପରିବର୍ତ୍ତନର ଆଶା ସୃଷ୍ଟି କରିଛି।

Comments are closed.