Latest Odisha News

BREAKING NEWS

ଟ୍ୱିନ୍ ସିଟି ପାଇଁ ନୂଆ ଗାଇଡ୍‌ଲାଇନ୍‌: ସାମାଜିକ ଦୂରତା ନରଖିଲେ ୫ଶହ ଟଙ୍କା ଫାଇନ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ମହାମାରୀ ଯୋଗୁଁ ତାଲାବନ୍ଦ ପଡିଛି । ରାଜ୍ୟରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାସ୍କ ପରେ ଏବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଞ୍ଚଳରେ ଭିଡ଼ ନକରିବା ପାଇଁ ଆଉ ଏକ ଗାଇଡ୍ ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ୍ । ଏଣିକି ସାମାଜିକ ଦୁରତ୍ୱ ନରଖିଲେ ଜରିମାନା ଗଣିବାକୁ ହେବ ବୋଲି ବିଜ୍ଞପ୍ତି ଜାରି ।

ଏହି ଗାଇଡଲାଇନ୍‌ରେ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ନିଜ ପରିସର ଓ ଆଖପାଖ ଅଂଚଳରେ ସାମାଜିକ ବ୍ୟବଧାନ ରଖିବା ପାଇଁ କୁହାଯାଇଛି । ସେହିପରି ଅନୁମତି ମିଳିନଥିବା କୌଣସି ଦୋକାନ ଖୋଲି ପାରିବ ନାହିଁ । ଯେଉଁ ଦୋକାନଗୁଡିକୁ ଖୋଲିବାକୁ ଅନୁମତି ମିଳିଛି ସେମାନେ ସମୟକୁ କଡାକଡି ପାଳନ କରିବେ । ଟ୍ୱିନସିଟିର ପୌର ଅଞ୍ଚଳ ବ୍ୟତୀତ କୌଣସି ସ୍ଥାନରେ ଦୋକାନ ଖୋଲିବା ମନା।

ଗ୍ରାହକମାନେ ମଧ୍ୟ ଦୋକାନ ବଜାରକୁ ଯାଇ କିଣାକିଣି କରିବା ବେଳେ ସାମାଜିକ ଦୂରତା ପାଳନ କରିବେ । ଯଦି ଏହାକୁ ଦୋକନୀ କିମ୍ବା ଗ୍ରାହକ ଉଲ୍ଲଂଘନ କରନ୍ତି ତେବେ ସମାନ ଭାବେ ସେମାନେ ଦଣ୍ଡିତ ହେବେ । ଉଭୟଙ୍କୁ ଓଡ଼ିଶା ସହରାଂଚଳ ଆଇନ୍‌ର ଧାରା ୯୬-ଡି ଅନୁସାରେ ୫ଶହ ଟଙ୍କାର ଜରମିନା ଦେବାକୁ ପଡିବ ।

ସବୁ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ, କର୍ମଚାରୀ ସର୍ବଦା ମାସ୍କ ପିନ୍ଧିବାକୁ ବାଧ୍ୟ । ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ଦୋକାନ ଭିତରେ ପଶିବାକୁ ଦିଆଯିବ ନାହିଁ । ପ୍ରତ୍ୟେକ ଦୋକାନୀ ହାତ ଧୋଇବା ପାଇଁ ବା ସାନିଟାଇଜରର ବ୍ୟବସ୍ଥା କରିବେ । ଏଥିସହ କୌଣସି ବ୍ୟକ୍ତି ବାହାରେ ଛେପ ପକାଇବେ ନାହିଁ । ଯଦି କୌଣସି ବ୍ୟକ୍ତି ଏହି ସବୁ ନିୟମ ନମାନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ମେ’ ୧ ତାରିଖରୁ ଏହି ସବୁ ନୂଆ ନିୟମ ଲାଗୁ ହେବ ।

Leave A Reply

Your email address will not be published.