ଇମ୍ଫାଲ୍: ପ୍ରାୟ ଦୁଇ ବର୍ଷ ପରେ କୁକି ଏବଂ ମୈତେଇ ବହୁଳ ଅଞ୍ଚଳରେ ମୁକ୍ତ ଯାତାୟାତ ଆରମ୍ଭ ହେବା ମାତ୍ରେ ମଣିପୁରରେ ପୁଣି ହିଂସା ଦେଖାଦେଇଛି । କୁକି ସମ୍ପ୍ରଦାୟର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ ୨୭ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି । ଇମ୍ଫାଲ-ଦିମାପୁର ରାଜରାସ୍ତାରେ ଏହି ଘଟଣା ଘଟିଥିବା ନେଇ ଖବର ମିଳିଛି ।
ତେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଣିପୁରରେ ଅବାଧ ବିଚରଣ ଉପରେ ଲାଗିଥିବା ରୋକ ଆଜି ହଟାଇବା ପରେ ଏହି ଘଟଣା ଘଟିଛି । ଶନିବାର ଇମ୍ଫାଲ, ଚୁରାଚାନ୍ଦପୁର, କାଙ୍ଗପୋକପି, ବିଷ୍ଣୁପୁର ଏବଂ ସେନାପତିକୁ ସଂଯୋଗ କରୁଥିବା ରାସ୍ତାରେ ବସ୍ ଚଳାଚଳ ଆରମ୍ଭ ହେବା ମାତ୍ରେ କୁକି ସମ୍ପ୍ରଦାୟର ଲୋକମାନେ ବିରୋଧ କରିବା ଆରମ୍ଭ କରିଦେଲେ ।
ଉତ୍ତ୍ୟକ୍ତ ଲୋକମାନେ ଏକ ବସ କୁ ରାସ୍ତାରେ ଅଟକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ସୁରକ୍ଷା କର୍ମିମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ତାଙ୍କ ଉପରେ ଟିୟର ବା ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ ।
Comments are closed.