Latest Odisha News

BREAKING NEWS

‘ଓଡିଶାରେ ମିଶିବା ଆମର ଭୁଲ୍’…କାହିଁକି ଏମିତି କହିଲେ ଜୟନାରାୟଣ?, ଘେରିଲେ ବିରୋଧୀ

ଭୁବନେଶ୍ବର: ଓଡିଶାରେ ମିଶିବା ଆମର ଭୁଲ୍ । ସମ୍ବଲପୁରରେ ଆୟୋଜିତ ସୁଭଦ୍ରା ସଭାରେ କିଛି ଏମିତି କହିଛନ୍ତି ଶାସକ ଦଳ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଯାହାକୁ ନେଇ ଏବେ ତେଜିଛି ରାଜନୀତି । ସରକାର ଓଡିଶାର ସାର୍ବଭୌମତ ଚାହୁଁନାହାନ୍ତି କି? ବୋଲି ପ୍ରଶ୍ନ କରି ଘେରିଛନ୍ତି ବିରୋଧୀ ।

ତେବେ ସମ୍ବଲପୁରରେ ଆୟୋଜିତ ସୁଭଦ୍ରା ସଭାରେ ଜୟନାରାୟଣ ଯୋଗ ଦେଇ କହିଥିଲେ, ସମ୍ବଲପୁର ଲୋକଙ୍କୁ ଜାଣିରଖିବା ଉଚିତ୍, ଯେ ଉତ୍କଳ କହିଲେ..କଟକ, ପୁରୀ ଓ ବାଲେଶ୍ବର । ଉତ୍କଳ, କୋଶଳ ଏବଂ କଳିଙ୍ଗ ମିଶିକି ଓଡିଶା ଗଠନ ହୋଇଛି । କେବଳ ଉତ୍କଳର ଜୟଗାନ ଗାଇବା ଏବଂ କଳିଙ୍ଗ ଓ କୋଶଳର କ’ଣ ପାଇଁ ଜୟଗାନ ହେବନି? ବୋଲି ପ୍ରଶ୍ନ କରିଥିଲେ । ଏଥିସହିତ ପଶ୍ଚିମ ସଡିଶକୁ ଗୁରୁତ୍ବ ଦିଆଯାଉନି ବୋଲି ଅଭିଯୋଗ କରିଥିଲେ ଜୟନାରାୟଣ । କହିଥିଲେ, ଏବେ ଲାଗୁଛି ଓଡିଶାରେ ମିଶିବା ଆମର ଭୁଲ୍ ଥିଲା ।

ଯାହାକୁ ନେଇ ଏବେ ତେଜିଛି ରାଜନୀତି । ଶାସକଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା, ରାମଚନ୍ଦ୍ର କାଡାମ କହିଛନ୍ତି, ବିଜେପିର ଉଦ୍ଦେଶ୍ୟ ରହିଛି ଓଡିଶାକୁ ଭାଗ ଭାଗ କରିବାକୁ । ଯାହାକୁ ସେମାନେ କେବେ ସଫଳ ହେବାକୁ ଦେବେ ନାହିଁ । ସେପଟେ ଏହାକୁ ନେଇ କଡା ନିଶାନା ସାଧିଛନ୍ତି, ବରିଷ୍ଠ ବିଜେଡି ନେତା, ପ୍ରତାପ ଦେବ । କହିଛନ୍ତି, ଗୋଟେପଟେ ଓଡିଆ ଅସ୍ମିତା କଥା କହୁଛନ୍ତି, ଅନ୍ୟପଟେ ଓଡିଶାର ବରପୁତ୍ରଙ୍କୁ ପରିହାସ କରୁଛନ୍ତି । ଏବେ ଓଡିଶା ପ୍ରଦେଶ ଗଠନ ଉପରେ ପ୍ରଶ୍ନ ଉଠାଇଲେଣି, ସରକାରଙ୍କ ମତିଗତି କ’ଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ।

ଅନ୍ୟପଟେ, ଓଡ଼ିଶାରେ ମିଶିବା ଐତିହାସିକ ଭୁଲ ବୋଲି ଜୟନାରାୟଣଙ୍କ ମନ୍ତବ୍ୟ ନେଇ, ଏହା ତାଙ୍କର ନିଜସ୍ବ ମତ ବୋଲି କହିଛନ୍ତି, ପାଲଲହଡ଼ା ବିଜେପି ବିଧାୟକ ଅଶୋକ ମହାନ୍ତି । ଜୟଦା ବରିଷ୍ଠ, ଅଭିଜ୍ଞ ନେତା, ଏପର କାହିଁକି କହିଲେ…ନିଶ୍ଚିତ ଭାବେ ଏହା ତାଙ୍କର ବ୍ୟକ୍ତିଗତ ମତ, ଏଥିରେ ଦଳର ସମ୍ପୃକ୍ତି ନାହିଁ । ଓଡ଼ିଶାକୁ ବିଜେପି ଭାଗ ଭାଗ କରିବାକୁ ଚାହେଁ ନାହିଁ । ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଶ୍ଚିମାଞ୍ଚଳକୁ ଗୁରୁତ୍ବ ଦେଉଛନ୍ତି କହିଛନ୍ତି ବିଧାୟକ ।

Comments are closed.