Latest Odisha News

BREAKING NEWS

ଦେଶରେ ସଂଶୋଧିତ ୱାକଫ ଆଇନ ଲାଗୁ; ପ୍ରତ୍ୟାହାର ଦାବିରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପରିସ୍ଥିତି

ନୂଆଦିଲ୍ଲୀ: ଆଜିଠାରୁ(ମଙ୍ଗଳବାର) ସାରା ଦେଶରେ ୱାକଫ (ସଂଶୋଧନ) ଆଇନ ୨୦୨୫ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସଂସଦରେ ପାରିତ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଲାଗୁ ହେଲା ସଂଶୋଧିତ ୱାକଫ ଆଇନ । ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶନିବାର ୫ ଏପ୍ରିଲ୍ ରେ ଏହାକୁ ଅନୁମୋଦନ କରିଥିଲେ।

ତେବେ ଏହାର ପ୍ରତ୍ୟାହାର ଦାବିରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି  ପଶ୍ଚିମବଙ୍ଗର ମୁସଲିମ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ । ମଙ୍ଗଳବାର ଅପରାହ୍ନରେ ମୁର୍ଶିଦାବାଦର ଜାଙ୍ଗିପୁର ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ପୋଲିସ ଗାଡ଼ି ସମେତ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ବୋଲି ସୂଚନା ମିଳିଛି । କୁହାଯାଉଛି ଯେ, ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ସଂଘର୍ଷ ସମୟରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକା ପଥର ମାଡ କରିଥିଲେ ।

ଆନ୍ଦୋଳନକାରୀମାନେ ଚାରି ଘଣ୍ଟା ଧରି ଜାତୀୟ ରାଜପଥ-୧୨କୁ ଅବରୋଧ କରିଥିଲେ।  ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା।

ଏହି ହିଂସାତ୍ମକ ସଂଘର୍ଷରେ ଏପର୍ଯ୍ୟନ୍ତ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ରହଛି । ଜାଙ୍ଗିପୁର ପୋଲିସ ଜିଲ୍ଲାର ଏସପି ଆନନ୍ଦ ରାୟଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତ ଦୁଇ ଦିନ ଧରି, ମୁର୍ଶିଦାବାଦ ଜିଲ୍ଲାର ସୁତି, ସମସେରଗଞ୍ଜ ଏବଂ ରଘୁନାଥଗଞ୍ଜ ଭଳି ଅନେକ ଅଞ୍ଚଳରେ ୱାକଫ ଆଇନ ବିରୋଧରେ ନିରନ୍ତର ପ୍ରତିବାଦ ଜାରି ରହିଛି । ପୋଲିସ ପରିସ୍ଥିତି ଉପରେ ନଜର ରଖିଛି ।

ଅନ୍ୟପଟେ ଆନ୍ଦୋଳନକାରୀମାନେ କହିଛନ୍ତି ଯେ ୱାକଫ ସଂଶୋଧନ ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେମାନଙ୍କର ଆନ୍ଦୋଳନ ଜାରି ରହିବ। ସୂଚନାଥାଉକି, ଏହା ପୂର୍ବରୁ ମଧ୍ୟ କିଛି ବର୍ଷ ପୂର୍ବେ, ମୁର୍ଶିଦାବାଦ ଜିଲ୍ଲାରେ ସିଏଏ ବିରୋଧରେ ବ୍ୟାପକ ହିଂସା ଘଟିଥିଲା।

ରାଜ୍ୟର ବିରୋଧୀ ଦଳ ବିଜେପି ଏହି ହିଂସାକାଣ୍ଡ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରିଛି। ପାର୍ଟିର ଆଇଟି ସେଲ୍ ମୁଖ୍ୟ ତଥା ବଙ୍ଗଳାର ସହ-ପ୍ରଭାରୀ ଅମିତ ମାଲବୀୟ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

Comments are closed.