Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବିଜେପି ପ୍ରଚାରରେ ମାତିଛନ୍ତି ରାହୁଲ ଗାନ୍ଧୀ, କେତେ ସତ ?

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ହେଲେ ଏଥର ନିଜର ପିଲାଳିଆମୀ ବକ୍ତବ୍ୟ ପାଇଁ ନୁହେଁ ବରଂ ଏକ ଫଟୋ ପାଇଁ ରାହୁଲଙ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ରାହୁଲଙ୍କୁ ନେଇ ଏକ ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖି ଅନେକ ଲୋକ କହିଛନ୍ତି ବୋଧ ହୁଏ ଅଜାଣତରେ ରାହୁଲ ବିଜେପି ପ୍ରଚାରରେ ମାତିଛନ୍ତି ।

ଭାଇରାଲ୍ ହୋଇଥିବା ଫଟୋରେ ରାହୁଲ ଜଣେ ଛୋଟ ପିଲାଟିକୁ ଧରିଛନ୍ତି । ପିଲାଟି ଏକ ଗେରୁଆ ରଙ୍ଗର ଟି-ସାର୍ଟ ପିନ୍ଧିଥିଲାବେଳେ ସେଥିରେ ବିଜେପିର ପଦ୍ମଚିହ୍ନ ଲୋଗୋ ରହିଛି । ଏହି ଫଟୋକୁ ସୋସିଆଲ ମିଡିଆ ୟୁଜରମାନେ ବହୁଳ ମାତ୍ରାରେ ସେୟାର କରିଥିଲେ ।

ଏହି ଫଟୋଟି ନଜରକୁ ଆସିବା ମାତ୍ରେ ଏହା ପଛର ସତ୍ୟତା ଜାଣିବାକୁ ତନାଘନା ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ଭାଇରାଲ ଫଟୋକୁ ଗୁଗଲରେ ରିଭର୍ସ ଇମେଜ ସର୍ଚ୍ଚ କରିବା ମାତ୍ରେ କଂଗ୍ରେସ ଦଳର ଏକ ଟୁଇଟ୍ ସାମ୍ନାକୁ ଆସିଥିଲା । ୨୦୧୭, ନଭେମ୍ବର ୩ ତାରିଖରେ ହୋଇଥିବା ଏହି ଟୁଇଟରେ ରାହୁଲ ଗୁଜରାଟ ଭଲସାଦର ଚାଷୀମାନଙ୍କୁ ଭେଟିବାକୁ ଯାଇଥିବା ନେଇ ଉଲ୍ଲେଖ ରହିଛି । ଏହି ଟୁଇଟରେ ହିଁ ଭାଇରାଲ୍ ଫଟୋ ପଛର ଅସଲ ଘଟଣା ସାମ୍ନାକୁ ଆସିଥିଲା ।

ଏହି ଟୁଇଟରେ ଏକାଧିକ ଫଟୋ ସହ ଭାଇରାଲ ପୋଷ୍ଟରେ ଥିବା ପିଲାଟିର ଚେହେରା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ଏହି ଫଟୋରେ ପିଲାଟି ଗେରୁଆ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ ହେଁ, ସେଥିରେ କିନ୍ତୁ ପଦ୍ମଚିହ୍ନ ନଥିଲା ।

ତତ୍କାଳୀନ ସମୟରେ ବିଜେପି ସରକାର ଅଧିନରେ ଚାଷୀଙ୍କ ଜମି ହଡପ ନେଇ ଅଭିଯୋଗ କରିବା ସହ ସେଠାରେ ଏକ ରାଲିରେ ରାହୁଲ ଗାନ୍ଧୀ ସାମିଲ ହୋଇଥିଲେ । ସେହି ସମୟରେ ହିଁ ପିଲାଟି ସହ ରାହୁଲଙ୍କର ଫଟୋ ସାମ୍ନାକୁ ଆସିଥିଲା । ତେବେ କେହି ଜଣେ ଗୁଜବ ସୃଷ୍ଟି କରିବାକୁ ଯାଇ ପିଲାଟିର ଟି-ସାର୍ଟରେ ପଦ୍ମ ଚିହ୍ନର ଲୋଗୋ ଫଟୋସପ୍ ମାଧ୍ୟରେ ସ୍ଥାନିତ କରିଥିଲେ ।

Leave A Reply

Your email address will not be published.