ଛାପ୍ରା: ତ୍ରେତୟା ଯୁଗରେ ଭଗବାନ ରାମ ଶିବଙ୍କ ଧନୁ ଭାଙ୍ଗି ଦେବୀ ସୀତାଙ୍କୁ ବିବାହ କରିଥିଲେ। ଠିକ୍ ସେହିପରି କଳି ଯୁଗରେ ବିହାରର ଛାପ୍ରା ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଭିଡିଓ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଛାପ୍ରା କଚହରୀ ସ୍ଥିତ ଅହମ୍ମଦପୁରର ବାସିନ୍ଦା ଅର୍ଜୁନ କୁମାର ଏକ ବିରାଟ ଶୋଭାଯାତ୍ରାରେ ସାବଲପୁର ପୂର୍ବ ନିବାସୀ ମୁନ୍ସି ରାୟଙ୍କ ଘରେ ପହଞ୍ଚିଥିଲେ। ବରଯାତ୍ରୀଙ୍କ ସ୍ବାଗତ କରାଯିବା ପରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ହେଲେ ବରଣମାଳା ପୂର୍ବରୁ ଯାହା ହେଲା ତାକୁ ଦେଖି ଲୋକମାନଙ୍କ ମାନସପଟ୍ଟରେ ସତ୍ୟ ଯୁଗର ଭଗବାନ ରାମ-ସୀତାଙ୍କ ବିବାହ ଉଙ୍କି ମାରିଥିଲା। ବିବାହ ମଣ୍ଡପରେ ଏକ ଧନୁକୁ ସଜିତ କରି ରଖାଯାଇଥିଲା ବେଳେ ବର ଜଣକ ଧନୁ ଭାଙ୍ଗିଥିଲେ। ଧନୁ ଭାଙ୍ଗିବା ମାତ୍ରେ ସବୁଆଡେ କରତାଳି ବାଜିବାରେ ଲାଗିଥିଲା। ତା’ପରେ ବର କନ୍ୟାଙ୍କୁ ବରଣମାଳା ପିନ୍ଧାଇଥିଲେ।
ଏହି ବିବାହ ଦେଖିବାକୁ ଅଞ୍ଚଳରେ ଭିଡ଼ ଜମିଥିଲା। ଯେଉଁଥିପାଇଁ ବିବାହରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲା ବେଳେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି।
Comments are closed.