ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ବିସିସିଆଇ ସିନିୟର ଖେଳାଳିଙ୍କୁ ରଣଜୀ ଟ୍ରଫିରେ ଖେଳି ଫର୍ମକୁ ଫେରିବା ପାଇଁ କହିଛି । କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫିରେ ଦିଲ୍ଲୀର ସମ୍ଭାବ୍ୟ ଟିମରେ ସାମିଲ ହୋଇଥିବା ଖବର ପ୍ରକାଶ ପାଇଛି । ତେବେ ଚୟନ କମିଟି କିମ୍ବା କୋହଲି କିନ୍ତୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାନ୍ତି । କିଛି ଦିନ ତଳେ କୋହଲି କାଂଉଟି କ୍ରିକେଟ ଖେଳିବେ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା । ତାହା ମଧ୍ୟ ଏ ପର୍ଯ୍ୟନ୍ତ ପୃଷ୍ଟି ହୋଇନି । ୨୦୧୨ ପରଠାରୁ କୋହଲି ଓ ୨୦ ୧୭ ପରେ ପନ୍ତ ଆଉ ରଣଜୀ ମ୍ୟାଚରେ ଖେଳି ନାହାନ୍ତି ।
ଡିଡିସିଏର ସେକ୍ରେଟାରୀ ଅଶୋକ ଶର୍ମା ପୂର୍ବରୁ କୋହଲିଙ୍କୁ ଦିଲ୍ଲୀ ପକ୍ଷରୁ ରଣଜୀ ଟ୍ରଫି ଖେଳିବା ପାଇଁ କହିଥିଲେ । ମଙ୍ଗଳବାର ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଟିମ ସହିତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ୨୦୨୦ ପରଠାରୁ ନାଲି ବଲରେ କୋହଲିଙ୍କ ପ୍ରଦର୍ଶନ ଖରାପ ହେବାରେ ଲାଗିଛି । ୨୦୨୦ ପରଠାରୁ କୋହଲି ୬୯ ଇନିଂସରେ ୨୦୨୮ ରନ କରିଛନ୍ତି । ଏଥିରେ ୩ ଶତକ ଓ ୯ ଅର୍ଦ୍ଧଶତକ ସାମିଲ । ଦିଲ୍ଲୀର ୪୧ ସମ୍ଭାବ୍ୟ ଖେଳାଳିଙ୍କ ମଧ୍ୟରେ କୋହଲି, ପନ୍ତ ଓ ହର୍ଷିତ ରାଣାଙ୍କ ନାମ ରହ ିଛି । ଜାନୁୟାରୀ ୨୩ରେ ଦିଲ୍ଲୀ ତାର ପରବର୍ତୀ ମୁକାବିଲାରେ ସୌରାଷ୍ଟ୍ରକୁ ଭେଟିବ ।