Latest Odisha News

BREAKING NEWS

ବିରଳ ବନ୍ୟପ୍ରାଣୀଙ୍କ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର: ବିହାରର କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲ୍ଲାରେ ରହିଛି କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ । ଏହା ବିହାର ରାଜ୍ୟର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ପାଖାପାଖି ୧୩୪୨ ବର୍ଗ କି.ମି. ପରିବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ।

ଏହି ଅଭୟାରଣ୍ୟରେ ବିଭିନ୍ନ ବିରଳ ପଶୁପକ୍ଷୀଙ୍କ ସମେତ ବହୁ ମୂଲ୍ୟବାନ ବୃକ୍ଷଲତା ଦେଖିବାକୁ ମିଳିଥାଏ। ତା’ଛଡ଼ା ନିକଟରେ କେତେକ ହ୍ରଦ ଓ ଝରଣା ମଧ୍ୟ ରହିଛି। ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଥାଏ।

ଏହି ଅଭୟାରଣ୍ୟରେ ମୁଖ୍ୟତଃ ବାଘ, ଚିତାବାଘ, ଭାଲୁ, ସମ୍ବର, ହରିଣ, ନୀଳଗାଈ, ଜଙ୍ଗଲୀ ଘୁଷୁରି ଇତ୍ୟାଦି ପଶୁ ଦେଖିବାକୁ ମିଳିଥାନ୍ତି। ତା’ଛଡ଼ା ପ୍ରାୟ ୭୦ ପ୍ରଜାତିର ପକ୍ଷୀ ବି ଏଠାରେ ଦେଖାଯାଇଥାନ୍ତି। ଶୀତଦିନ ହେଲେ ଆହୁରି ଅନେକ ପ୍ରଜାତିର ଭ୍ରମଣକାରୀ ପକ୍ଷୀ ଏଠାକୁ ଉଡି ଆସିଥାନ୍ତି, ଯାହା ଖୁବ୍‌ ଆକର୍ଷଣୀୟ ଲାଗିଥାଏ।

ତା’ଛଡ଼ା ଉକ୍ତ ଅଭୟାରଣ୍ୟ ନିକଟରେ ଥିବା ଅନୁପମ୍‌ ନାମକ ହ୍ରଦରେ ବିଭିନ୍ନ ପ୍ରକାର ମାଛ ଦେଖିବାର ଏକ ନିଆରା ଅନୁଭୂତି ବି ମିଳିଥାଏ ପର୍ଯ୍ୟଟକଙ୍କୁ। ସେହିପରି ଜାତିଜାତିକା ସାପଙ୍କୁ ଦେଖିବା ନିମନ୍ତେ ଉକ୍ତ ଅଭୟାରଣ୍ୟ ତରଫରୁ ଏକ ସ୍ବତନ୍ତ୍ର ଗ୍ୟାଲେରି ମଧ୍ୟ ଏଠାରେ ନିର୍ମାଣ କରାଯାଇଛି।

କୈମୁର ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଏକାଧିକ ଝରଣା ମଧ୍ୟ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ କର୍କଟ ଝରଣା ହେଉଛି ଅନ୍ୟତମ। ଏହା ସ୍ଥାନୀୟ କୈମୁର୍‌ ନାମକ ଏକ ପାହାଡ ଉପରୁ ଝରିଥାଏ। ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂ, ସୁଇମିଂ, ଫିଶିଂ ଆଦି ସୁବିଧା ମଧ୍ୟବଉପଲବ୍ଧ ଅଛି।

ସେହିପରି ଆଉ ଏକ ଝରଣା ହେଉଛି ତେଲ୍‌ହାର। ଅନ୍ୟପକ୍ଷେ ଅନୁପମ୍‌ ନାମକ ହ୍ରଦର ଅପରୂପ ସୌନ୍ଦର୍ଯ୍ୟ ବି ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ।

ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବାର ସୁବିଧା ରହିଥିଲେ ମଧ୍ୟ, ଅକ୍ଟୋବରରୁ ଜୁନ୍‌ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଭଲ ସମୟ। ତଥାପି ଜୁଲାଇରୁ ସେପ୍ଟେମ୍ବର ଭିତରେ ବି ଅନେକ ପର୍ଯ୍ୟଟକ କିଛି ନିଆରା ଅନୁଭୂତି ସାଉଁଟିବା ପାଇଁ ଏଠାକୁ ବୁଲି ଯାଉଥିବାର ଦେଖିବାକୁ ମିଳିଥାଏ।

କେମିତି ଯିବେ
ଏହାର ନିକଟତମ ବିମାନବନ୍ଦର ହେଉଛି ବାରାଣସୀ, ଯାହା କୈମୁର ବନ୍ୟପ୍ରାଣୀ ଅଭୟାରଣ୍ୟଠାରୁ ପ୍ରାୟ ୧୨୧ କି.ମି. ଦୂରରେ ଅବସ୍ଥିତ। ଉକ୍ତ ବିମାନବନ୍ଦରରେ ଓହ୍ଲାଇ ସାରିବା ପରେ ସେଠାରୁ ଟ୍ୟାକ୍ସି କିମ୍ବା ଲୋକାଲ୍‌ ବସ୍‌ ସାହାଯ୍ୟରେ ସୁବିଧାରେ ଯାଇ ଏହି ଅଭୟାରଣ୍ୟ ନିକଟରେ ପହଞ୍ଚତ୍ପାରିବେ।

ସେହିପରି ଭାବୁଆ ରୋଡ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏହି ଅଭୟାରଣ୍ୟ ନିକଟରେ ପହଞ୍ଚତ୍ପାରିବେ।

Leave A Reply

Your email address will not be published.