Latest Odisha News

BREAKING NEWS

କଟକ ଐତିହ୍ୟ ପଦଯାତ୍ରାର ସର୍ବପୁରାତନ ଗୋଶାଳା ପରିଦର୍ଶନ

କଟକ: କଟକ ଐତିହ୍ୟ ପଦଯାତ୍ରାର ଐତିହ୍ୟପ୍ରେମୀ ସଭ୍ୟସଭ୍ୟାମାନେ ଆବାହକ ଡକ୍ଟର ଦୀପକ ସାମନ୍ତରାୟଙ୍କ ନେତୃତ୍ୱରେ କଟକ ନୂଆବଜାରସ୍ଥିତ ଶ୍ରୀଗୋପାଳକୃଷ୍ଣ ଗୋଶାଳା ପରିଦର୍ଶନ କରିଛନ୍ତି । କିଛି ବଦାନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ପୁରୁଣା ଜଗନ୍ନାଥ ସଡକରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଗଢ଼ି ଉଠିଥିଲା ଏକ ୫୦ କୋଠରୀ ବିଶିଷ୍ଟ ପ୍ରଶସ୍ତ ଧର୍ମଶାଳା। ଉନବିଂଶ ଶତାବ୍ଦୀର ଶେଷ ଦଶକରେ କଲିକତାରୁ ପ୍ରଥମ ଅବସ୍ଥାରେ କଟକ ଓ ପରେ ପୁରୀ ପର୍ଯ୍ୟନ୍ତ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ ହେବା ପରେ ଏହି ଧର୍ମଶାଳା ଆଉ ବ୍ୟବହୃତ ହେଲାନାହିଁ।

 

୧୯୦୫ ମସିହାରେ ପଶ୍ଚିମବଙ୍ଗ ସଲକିଆର ଦୁଇଜଣ ଗୋପ୍ରେମୀ ବନ୍ଧୁ, ସେଠ୍ ବିଶନ ଦୟାଲ ଏବଂ ସେଠ୍ ହରି ଦୟାଲଙ୍କ ଦ୍ବାରା ଜଗନ୍ନାଥ ସଡକ ପାର୍ଶ୍ବରେ ଥିବା ଜରାଜୀର୍ଣ୍ଣ ଅଟ୍ଟାଳିକାରେ ଏହି ଗୋଶାଳାଟି ପ୍ରତିଷ୍ଠିତ ହୋଇଥିଲା । ଦାୟିତ୍ଵରେ ଥିବା ସଂସ୍ଥାର‌ ନାମ ରଖା ଯାଇଥିଲା ଭିକ୍ଟୋରିଆ ଗୋରକ୍ଷଣୀ ସଭା। ତେତିଶ ଏକର ଜମି ପରିମିତ ଉପରେ ଓଡିଶାର ଏହି ପ୍ରଥମ ଓ ସର୍ବପୁରାତନ ଗୋଶାଳା ଗଢିଉଠିଛି । ସଂପ୍ରତି ଏଠାରେ ଏକହଜାରରୁ ଅଧିକ ଗୋମାତାଙ୍କୁ ରଖାଯିବା ସହିତ ସେମାନଙ୍କର ରକ୍ଷଣାବେକ୍ଷଣର ସମସ୍ତ ବ୍ୟବସ୍ଥା କରାଯାଇଛି ।

ଐତିହ୍ୟ ପ୍ରେମୀ ବନ୍ଧୁମାନେ କଟକ ମାର‌ୱାଡି ସମାଜର ତତ୍ତ୍ଵବଧାନରେ ପରିଚଳିତ ଗୋଶାଳାର‌ ଉପସଭାପତି ବିଶ୍ବନାଥ ଧାନୁକା, ସୁରେଶ କୁମାର ଗୋଏଁକା, କୋଷାଧ୍ୟକ୍ଷ ସୁରେଶ କୁମାର ପୋଦାର, ଭୀମସେନ କମାନି ଓ ଡାକ୍ତର ସଂଜୟ କୁମାର ରାମଙ୍କ ସହିତ ସଂସ୍ଥା ଓ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ଐତିହ୍ୟ ପଦଯାତ୍ରାର କର୍ମୀମାନଙ୍କ ମଧ୍ୟରେ ଦମୟନ୍ତୀ ସାମନ୍ତରାୟ, ଡକ୍ଟର ହେମନ୍ତ କୁମାର ପରିଡା, ଶ୍ରୀକାନ୍ତ ସିଂହ, କିଶୋର ବିଟ୍, ଜୀବାନନ୍ଦ ମିଶ୍ର,ଅରୁଣୀତା ପାଢୀ, ଆଦିତ୍ୟ ଘୋଷ, ହିତେଶ ସେଠ୍, ଜିତେନ୍ଦ୍ରୀୟ ସିଂହ, ଚନ୍ଦ୍ରଭାନୁ ମିଶ୍ର, ପ୍ରକାଶ ସିଂହ, କୃଷ୍ଣ ନାୟକ ଏବଂ ଶୁଭ୍ରାଂଶୁ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତେଜେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.