ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଜଣେ ଦୃଷ୍ଟିହୀନ ଶିକ୍ଷକ ମହେଶ ପଣ୍ଡା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ରେ ୩୦୦ ତମ ସ୍ଥାନ ହାସଲ କରିଛନ୍ତି। ତେବେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା।
ସେ କୋରେଇ ବ୍ଲକର ବଡ଼ ବିରୁହାନ ଗାଁର ବାସିନ୍ଦା ଥିବା ନେଇ ଜଣାପଡ଼ିଛି। ତେବେ ସେ ଜନ୍ମରୁ ଦୃଷ୍ଟିହୀନ ଥିଲେ ଓ ରାଜ୍ୟର ଅନେକ ଚକ୍ଷୁ ଡାକ୍ତରଖାନାରେ ଚିକିତ୍ସା ସତ୍ତ୍ୱେ ମଧ୍ୟ ତାଙ୍କର ଦୃଷ୍ଟିଶକ୍ତି ଫେରି ପାରିନଥିଲା। ତାଙ୍କ ପରିବାରରେ ପାଞ୍ଚ ଭାଇଭଉଣୀ ଅଛନ୍ତି ଓ ସେ ସମସ୍ତଙ୍କଠାରୁ ସାନ। ତେବେ ସେ ୨୦୦୯ ମସିହାରେ ବ୍ରେଲି ପ୍ରଣାଳୀ ମାଧ୍ୟମରେ କଟକର ନୂଆପଡ଼ାସ୍ଥିତ ବ୍ଲାଇଣ୍ଡ ସ୍କୁଲରୁ ମାଟ୍ରିକ୍ ପାସ୍ କରିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ବିଏଡ୍ ଡିଗ୍ରୀ ହାସଲ କରିଛନ୍ତି। ଏଥିସହିତ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।
ତେବେ ଶିକ୍ଷା ମାଗଣା ଥିବାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କୁ ପଢ଼ିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା। ତାଙ୍କ ଗାଁର ଗୁଡ୍ ସାମାରିଟାନ୍ସ ଏବଂ କଟକର ଯୁଗ ନିର୍ମାଣ ବିଦ୍ୟା ପରିଷଦ ଏବଂ ଗାୟତ୍ରୀ ମିଶନ୍ ର ମିଳିତ ଉଦ୍ୟମରେ ତାଙ୍କୁ ଆର୍ଥିକ ସହାୟତା ମିଳିଥିବାରୁ ଉଚ୍ଚ ଶିକ୍ଷା ପାଇଁ ତାଙ୍କର କୌଣସି ଅସୁବିଧା ହୋଇନଥିଲା। ସେ ୨୦୧୬ ମସିହାରୁ କଟକ ଜିଲ୍ଲାର କୁଲେଇଲୋରେ ଥିବା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଭାଷାର ଶିକ୍ଷକ ଭାବେ ସେ କାର୍ଯ୍ୟରତ ଅଛନ୍ତି।
୩୨ ବର୍ଷୀୟ ମହେଶଙ୍କୁ ଶିକ୍ଷକତା ସହ ଓସିଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ପଡ଼ିଥିଲା। ତେଣୁ ସେ ଦିନରେ ଶିକ୍ଷକତା କରିଥିଲେ ଓ ରାତି ସମୟରେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ସେ ତାଙ୍କର ସଫଳତା ପାଇଁ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଶ୍ରେୟ ଦେବା ସହ ଓଡ଼ିଶାର କଲ୍ୟାଣ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି।
Comments are closed.