Latest Odisha News

ଏଇଠି ଅଛନ୍ତି ପାଣ୍ଡିଆନ

ଭୁବନେଶ୍ବର: କୁଆଡେ ଗଲେ ବିଜେଡିର ନମ୍ବର ଟୁ ଭିକେ ପାଣ୍ଡିଆନ ? ବିଜେଡି ନିର୍ବାଚନ ପରିଚାଳନା ହେଉ କି ପ୍ରଚାର । ସବୁବେଳେ ନଜର ଆସୁଥିବା ପାଣ୍ଡିଆନଙ୍କୁ ଫଳାଫଳ ପ୍ରକାଶ ପାଇବା ପରଠୁ ଦେଖିବାକୁ ମିଳୁନି । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ୟାସ ନେବାକୁ ପ୍ରଚାର ବେଳେ ଦମ୍ଭୋକ୍ତି ଦେଖାଉଥିଲେ ପାଣ୍ଡିଆନ । ହେଲେ ବିଜେଡିର ବଡ ପରାଜୟ ପରେ ତାଙ୍କର ଦେଖା ଦର୍ଶନ ମିଳୁନିା ସବୁଠି ସେଇ ଗୋଟିଏ ପ୍ରଶ୍ନ, କୁଆଡେ ଗଲେ ପାଣ୍ଡିଆନ ? ନବୀନ ନିବାସ, ଶଙ୍ଖଭବନ ନା ଆଉ କେଉଁଠି ?

ଦିଲ୍ଲୀରେ ଅଛନ୍ତି ପାଣ୍ଡିଆନ
ଓଡିଶା ସମ୍ବାଦକୁ ମିଳିଥିବା ବିଶେଷ ସୂତ୍ରରୁ ସୂଚନା, ଗତକାଲି ପାଣ୍ଡିଆନ ନବୀନ ନିବାସରେ ଥିଲେ । ରାତିରେ ଭିସ୍ତାରା ଫ୍ଲାଇଟରେ ଦିଲ୍ଲୀ ଯାଇଛନ୍ତି । ରାତି ପ୍ରାୟ ୧୧ଟା ୧୦ମିନିଟରେ ପାଣ୍ଡିଆନ ଦିଲ୍ଲୀରେ ପହଞ୍ଚିଛନ୍ତି । ସେଠାରେ ଏକ ତାରକା ହୋଟେଲରେ ରହିଛନ୍ତି ଭିକେ ପାଣ୍ଡିଆନ । ତେବେ କାହିଁକି ଦିଲ୍ଲୀ ଯାଇଛନ୍ତି ପାଣ୍ଡିଆନ ? ବିଜେଡିର ପରାଜୟ ପାଇଁ ତାଙ୍କୁ ଦାୟୀ କରାଯାଉଥିବା ବେଳେ ସେ ଦଳର କଠିନ ସମୟରେ କାହିଁକି ଦିଲ୍ଲୀ ଯାଇଛନ୍ତି ? ବିଜେଡି ପାଇଁ ନା ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ପାଣ୍ଡିଆନ ?

ଦିଲ୍ଲୀ ଗସ୍ତ ବଡ ସସପେନ୍ସ
ପାଣ୍ଡିଆନ ଦିଲ୍ଲୀ ଯିବା ପଛରେ ଥାଇପାରେ ରାଜନୈତିକ କାରଣ । କୁହାଯାଉଛି, ଦିଲ୍ଲୀରେ ଏନଡିଏର ବଡ ନେତାଙ୍କୁ ଭେଟିପାରନ୍ତି ପାଣ୍ଡିଆନ । ଏଥର ଓଡିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢିଥିଲା ବିଜେପି । ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ଜଣକ ପରେ ଜଣେ ବିଜେପି ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ଅମିତ ଶାହା, ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ୍ କରିଥିଲେ । ମୋଦିଙ୍କୁ କାଉଣ୍ଟର ବି କରିଥିଲେ ପାଣ୍ଡିଆନ । ତେଣୁ ଦିଲ୍ଲୀରେ ଏନଡିଏ ନେତାଙ୍କ ସହ ସାକ୍ଷାତ କରି ସୁରକ୍ଷା ମାଗିବେ କି ପାଣ୍ଡିଆନ ? କେନ୍ଦ୍ରରେ ପୁଣି ଏନଡିଏ ସରକାର ଆସିଥିବା ବେଳେ ନିର୍ବାଚନ ବେଳର ରାଗ ନରଖିବାକୁ ସମଝୌତା କରିବେ କି ? ପାଣ୍ଡିଆନ କିମ୍ବା ବିଜେଡି ନେତାଙ୍କୁ ହଇରାଣ ନକରିବାକୁ ଆଲୋଚନା କରିବେ କି ? ବିଜେଡିର ଲୋକସଭା ପ୍ରତିନିଧିତ୍ୱ ଏଥର ଶୂନ । ତେଣୁ ମେଣ୍ଟ କି ସମର୍ଥନ ନେଇ ବାର୍ଗେନିଂର ପ୍ରଶ୍ନ ଉଠୁନି । ତେବେ ରାଜ୍ୟସଭାରେ ବିଜେଡି ସାଂସଦ ଓ ରାଜ୍ୟରେ ନବନିର୍ବାଚିତ ବିଧାୟକଙ୍କ ସମର୍ଥନକୁ ନେଇ ଡିଲ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ରାଜନୀତିରେ ରହିବେ ତ ପାଣ୍ଡିଆନ ?
ପ୍ରଚାର ବେଳେ ରାଜନୀତିରୁ ସନ୍ୟାସ ନେବାକୁ ଦମ୍ଭ ଦେଖାଇଥିଲେ ବି ରାଜନୀତିରେ ରହିପାରନ୍ତି ପାଣ୍ଡିଆନ । ତେଣୁ ଦିଲ୍ଲୀରେ ତାଙ୍କ ରାଜନୈତିକ ଭବିଷ୍ୟତ ପାଇଁ ବି ଡିଲ୍ ହୋଇପାରେ । ରାଜ୍ୟରେ ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଥିବା ଧାରଣା ରହିଛି । ତେଣୁ ବିଜେଡି ରାଜନୀତିରେ ପାଣ୍ଡିଆନଙ୍କ ବାଟ ସହଜ ହୋଇନପାରେ । ତେବେ ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନି । ରାଜ୍ୟସଭା ଯାଇ କିମ୍ବା ପରଦା ପଛରୁ ଗୋଟି ଚଳାଇ ବିଜେଡିରେ ଆକ୍ଟିଭ ରହିପାରନ୍ତି ପାଣ୍ଡିଆନ । ବିଜେଡିରେ ପାଣ୍ଡିଆନଙ୍କର କଣ ଭୂମିକା ରହିବ, ସେ ନିଷ୍ପତ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ । ଓଡିଶାରେ ଅସନ୍ତୋଷ ପରେ ତାମିଲନାଡୁ ରାଜନୀତିରେ ବି ଇନିଂସ ଖେଳିପାରନ୍ତି ପାଣ୍ଡିଆନ । ବିଜେଡିର ପରାଜୟ ପରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯାହାର ଉତ୍ତର ଆଗାମୀ ଦିନରେ ମିଳିପାରେ ।

Comments are closed.