Latest Odisha News

ପଟାଙ୍ଗୀରୁ ଜୋରଦାର ପ୍ରଚାର ଆରମ୍ଭ କଲେ ପାଣ୍ଡିଆନ, ବିରୋଧୀଙ୍କ ଉପରେ ବର୍ଷିଲେ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁରରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ରେ ଜିତାଇବାକୁ ନିବେଦନ କରିଛନ୍ତି । ପଟାଙ୍ଗୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ଏପରିକି ମାଆ ମାନଙ୍କୁ ଆମେ ଦୁବାଇ ପଠାଉଛୁ । ତାକୁ ବି ସେମାନେ ସହିପାରୁ ନାହାନ୍ତି । ସେ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ । ଜନତା ତାଙ୍କୁ ଉଚିତ୍ ଜବାବ ଦେବେ । ଏଠାରେ ଅନ୍ୟ ଦଳରୁ ଜଣେ ସାଂସଦ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ସେ କଣ କରିଛନ୍ତି, କେହି ଜାଣନ୍ତି ନାହିଁ ବୋଲି ପାଣ୍ଡିଆନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ରୂପାନ୍ତର କାମ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି ବୋଲି ମତଦେଇ ସେ କହିଥିଲେ ଯେ, ନିର୍ବାଚନ ସମୟରେ ବିରୋଧୀ ଦଳର ନେତାମାନେ ବହୁତ ବଡ ବଡ କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଗୋଟିଏ ବି କାମ କରିନାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ ।

ଏହି ସଭାରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀ ମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣମାନଙ୍କ ପାଇଁ ସେ ଦିନରାତି କାମ କରୁଛନ୍ତି । ଜନଜାତି କଳା ଓ ସଂସ୍କୃତିର ପ୍ରସାର ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆପଣମାନଙ୍କ ପିଲାମାନେ ଯେପରି ଭଲ ପାଠ ପଢି ଭଲ ମଣିଷ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ 5-T ସ୍କୁଲ ରୂପାନ୍ତର କରିଛନ୍ତି ।

ସେ ଆହୁରି କହିଛନ୍ତି, ଲୋକସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ବହୁ ଆଗରୁ ଦାବି କରିଆସିଛି, ପଦକ୍ଷେପ ବି ନେଇଛି । ଆମର ୨୧ ସାଂସଦ ପ୍ରାର୍ଥୀରୁ ଆମ ମୁଖ୍ୟମନ୍ତ୍ରୀ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାମ ହିଁ କଥା କହେ ।

ମହିଳା ସଶକ୍ତିକରଣ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଗୁ ୪ ଲକ୍ଷ ମାଆ ଉପକାର ପାଇଛନ୍ତି ବୋଲି ସେ କହିଥିଲେ । ସେହିପରି ଚାଷୀ ମାନଙ୍କୁ ମଧ୍ୟ କାଳିଆ ଯୋଜନାରେ ଆର୍ଥିକ ସୁବିଧା ଦିଆଯାଉଛି, ଫସଲ ବୀମାର ପ୍ରିମିଅମ ରାଜ୍ୟ ସରକାର ଦେଉଛନ୍ତି ଓ ସେମାନଙ୍କୁ ମଧ୍ୟ ବିନା ସୁଧରେ ଋଣ ଦିଆଯାଇ ସଶକ୍ତିକରଣ କରାଯାଉଛି ।

ସରକାରଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ବିଶ୍ବାସକୁ ମଜବୁତ କରିଛି ବୋଲି ସେ କହିଥିଲେ । ଲୋକଙ୍କଠାରୁ ଯାହା ପ୍ରସ୍ତାବ ପାଇଥିଲୁ, ସେଥିରୁ ୭୦ ରୁ ୮୦ ଭାଗ କାମ ଦୁଇ-ତିନି ମାସ ମଧ୍ୟରେ ପୂରଣ ହୋଇଛି । ଏହା ହେଉଛି ନବୀନଙ୍କ ଗ୍ୟାରେଣ୍ଟି ବୋଲି ସେ କହିଥିଲେ ।

ତେଣୁ ଆପଣମାନେ ଉଭୟ ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ସେ ଆହ୍ବାନ ଦେଇଥିଲେ ।

ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଉଭୟ ସଭାରେ ଅନେକ କଂଗ୍ରେସ ନେତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.