Latest Odisha News

ତାତିରେ ସନ୍ତୁଳି ହେଉଛନ୍ତି ଓଡିଶାବାସୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର କର୍ଫ୍ୟୁ। ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି। ତେବେ ଆଜି ୪୩ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡାରେ ୪୩.୬°C ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର, ହୀରାକୁଦ ଏବଂ ସମ୍ବଲପୁରରେ ୪୨.୨°C ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝର ଏବଂ ଚାନ୍ଦବାଲିରେ ୪୧.୮°C, ରାଉରକେଲାରେ ୪୧.୪°C, ବାଲେଶ୍ୱରରେ ୪୧°C, ପୁରୀରେ ୩୫°C, ଗୋପାଳପୁରରେ ୩୪.୮°C ଏବଂ ପାରାଦ୍ୱୀପରେ ୩୪.୨°C ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ଆସନ୍ତା ମେ’ ୩ ରୁ ୯ ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରିରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗିରହିବା ସହ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ୪୨ ରୁ ୪୪°C ମଧ୍ୟରେ ତାତି ରେକର୍ଡ ହେବ ।

ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ । ଆସନ୍ତା ୨୬ ଓ ୨୭ ତାରିଖ ପାଇଁ ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ସେହିପରି ୨୭ ତାରିଖ ପାଇଁ ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ଭଦ୍ରକ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡ଼ା, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.