ଭୁବନେଶ୍ବର: ସକ୍ରିୟ ରାଜନୀତିରୁ ଓହରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ହେଲେ ସୋସିଆଲ୍ ମିଡିଆ ଏକ୍ସରେ ବେଶ୍ ଆକ୍ଟିଭ ରହିଛନ୍ତି । ମହାନଦୀ ବିବାଦ ହେଉ କି ପୁଞ୍ଜିନିବେଶ ପ୍ରସଙ୍ଗ, ନିଜ ଏକ୍ସ ଆକାଉଣ୍ଟରେ ନିୟମିତ ପୋଷ୍ଟ କରୁଛନ୍ତି। କାର୍ତ୍ତିକ ପାଣ୍ଡିଆନ ନାମରେ ରହିଥିବା ଆକାଉଣ୍ଟରେ ୧୭ହଜାରରୁ ଅଧିକ ଫଲୋଅର ରହିଥିବା ବେଳେ ଏପର୍ଯ୍ୟନ୍ତ ୧୭ଶହରୁ ଅଧିକ ପୋଷ୍ଟ କରାଯାଇଛି। ଏକ୍ସ ଆକାଉଣ୍ଟରେ ପାଣ୍ଡିଆନଙ୍କ ନିୟମିତ ପୋଷ୍ଟ ବିଜେଡି ରାଜନୀତିରେ ଏବେବି ସେ ସକ୍ରିୟ ରହିଥିବା ସୂଚାଉଛି । ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ବି ଦଳରେ ପ୍ରଭାବଶାଳୀ ରହିଛନ୍ତି କି ଭିକେ ପାଣ୍ଡିଆନ?
କାହିଁକି ଏକ୍ସରେ ଆକ୍ଟିଭ ପାଣ୍ଡିଆନ?
ଗତ ନିର୍ବାଚନରେ ବିପର୍ଯ୍ୟୟର ସାମନା କରିଛି ବିଜେଡି । ଦଳ ଗଠନ ପରଠୁ ଅପରାଜେୟ ରହିଥିବା ବିଜେଡିକୁ ୫୧ବିଧାନସଭା ସିଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଲୋକସଭାରେ ତ ଦଳ ଖାତା ଖୋଲି ପାରିଲାନି । ଦଳ ଭିତରେ ହେଉ କି ବାହାରେ ବିଜେଡିର ପରାଜୟର କାରଣ ପାଣ୍ଡିଆନଙ୍କୁ ହିଁ କୁହାଗଲା। କାରଣ ଟିକେଟ୍ ବଣ୍ଟା ହେଉ କି ପ୍ରଚାର, ପାଣ୍ଡିଆନଙ୍କ ଏକଚାଟିଆ ପ୍ରଭାବ ରହିଥିଲା । ନିଷ୍ପତ୍ତି ପାଣ୍ଡିଆନଙ୍କର ଥିଲା ତ ପରାଜୟର ବୋଝ ବି ତାଙ୍କ ମୁଣ୍ଡରେ ହିଁ ଲଦାଗଲା। ଏହାପରେ ସକ୍ରିୟ ରାଜନୀତିରୁ ଓହରିଗଲେ ବୋଲି ଜୁନ୍ ୯ରେ ଘୋଷଣା କରିଥିଲେ ପାଣ୍ଡିଆନ । ତେବେ ବିଜେଡିରେ ଏବେବି ତାଙ୍କର ପ୍ରଭାବ ରହିଥିବା କୁହାଯାଉଛି । ଆଗଭଳି ସେ ନବୀନ ନିବାସ ଯାଉଛନ୍ତି, ସେଠାରୁ ଦଳୀୟ ନିଷ୍ପତ୍ତିରେ ବି ସେ ପୂର୍ବଭଳି ହସ୍ତକ୍ଷେପ କରୁଥିବା ଚର୍ଚ୍ଚା ହେଉଛି । ବିରୋଧ ପରେ ଦୃଶ୍ୟପଟ୍ଟରେ ନଥିଲେ ବି ପରଦା ପଛରୁ ପାଣ୍ଡିଆନ ଦଳର ମଙ୍ଗ ଧରିଥିବା ସୂଚନା ମିଳୁଛି । ଆଉ ଏକ୍ସରେ ଗୋଟେ ପରେ ଗୋଟେ ପ୍ରସଙ୍ଗ ଉଠାଇ ସକ୍ରିୟ ରହିବା ତାହା ହିଁ ସୂଚାଉଛି ।
କେଉଁ ପ୍ରସଙ୍ଗ ଉଠାଉଛନ୍ତି ପାଣ୍ଡିଆନ୍?
ପରାଜୟ ପରଠୁ ପ୍ରାୟତଃ ନିରବ ରହିଛି ବିଜେଡି । ପୂର୍ବଭଳି ବିଜେଡି ନେତା ଓ ମୁଖପାତ୍ର ପ୍ରେସମିଟ୍ କରି ବର୍ଷୁନାହାନ୍ତି । ତେବେ ମହାନଦୀ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇବା ପରେ ପ୍ରେସମିଟ କରି ଜବାବ ଦେଇଛି ବିଜେଡି। ପାଣ୍ଡିଆନ ବି ଏନେଇ ଟ୍ବିଟ୍ କରିଛନ୍ତି । କେନ୍ଦ୍ରରେ, ଛତିଶଗଡରେ ଓ ଓଡିଶାରେ ବିଜେପି ସରକାର ରହିଛି। ତେଣୁ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ ବିଜେପି କରିବ । ବିଜେଡି ସରକାର ବେଳେ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ହିଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିଥିଲା ବୋଲି ଟ୍ବିଟ୍ କରିଛନ୍ତି ପାଣ୍ଡିଆନ । ନିଜେ ସକ୍ରିୟ ରାଜନୀତିରୁ ଓହରିବା ପରଠୁ ବିଜେଡି ସରକାରର ସଫଳତା କଥା ବି ବଖାଣିଛନ୍ତି । କେବେ ଶୁଭେଚ୍ଛା ତ କେବେ ଶ୍ରଦ୍ଧାଞ୍ଜଳି, ବିଭିନ୍ନ ଅବସରରେ ଟ୍ବିଟ୍ କରିଛନ୍ତି ।
କାହିଁକି ଓଡିଆରେ ପୋଷ୍ଟ?
ଓଡିଆ ଅସ୍ମିତା ପ୍ରସଙ୍ଗରେ ଗତ ନିର୍ବାଚନରେ ଭିକେ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ୍ କରିଥିଲା ବିଜେପି । ସେଥିପାଇଁ କେତେଟା ଶୁଭେଚ୍ଛା ବାର୍ତ୍ତା ଛାଡିଦେଲେ ରାଜ୍ୟ ସଂପର୍କିତ ସମସ୍ତ ଟ୍ବିଟ୍ ପାଣ୍ଡିଆନ ଓଡିଆରେ ହିଁ ଲେଖିଛନ୍ତି । ସେ ତାମିଲନାଡୁର ହୋଇଥିଲେ ବି ତାଙ୍କ ମନ ଓ ହୃଦୟ ଯେ, ଓଡିଆ ସେକଥା ଟ୍ବିଟ୍ ମାଧ୍ୟମରେ ଦର୍ଶାଇବାକୁ ଉଦ୍ୟମ ହେଉଥିବା କୁହାଯାଉଛି । ଓଡିଆ ବନାମ ଅଣଓଡିଆ ପ୍ରସଙ୍ଗରେ ବିଜେଡି ନିର୍ବାଚନରେ କ୍ଷତି ସହିଥିବାରୁ, ଓଡିଆରେ ପୋଷ୍ଟ କରି ଓଡିଆ ଭାଷା ପ୍ରତି ତାଙ୍କ ଅନୁରକ୍ତିକୁ ଦେଖାଉଛନ୍ତି ପାଣ୍ଡିଆନ ।
ରାଜନୀତିରେ ପ୍ରାସଙ୍ଗିକ ରହିବାକୁ ଉଦ୍ୟମ !
ଭିକେ ପାଣ୍ଡିଆନଙ୍କୁ ବିଜେଡିର କିଛି ନେତା ଖୋଲାଖୋଲି ବିରୋଧ କରୁଥିଲେ ବି ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି । ହାରିବା ପରେ ନିଜେ ନବୀନ ବି ପାଣ୍ଡିଆନଙ୍କ କାମର ପ୍ରଶଂସା କରିଥିଲେ । ତେବେ ଦଳରେ ପୂର୍ବଭଳି ପାଣ୍ଡିଆନଙ୍କ ପ୍ରତି ଅଖଣ୍ଡ ସମର୍ଥନ ନାହିଁ କହିଲେ ଚଳିବ । ତେବେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବାକୁ ପାଣ୍ଡିଆନ ନିୟମିତ ସୋସିଆଲ୍ ମିଡିଆର ବ୍ୟବହାର କରୁଥିବା କୁହାଯାଉଛି । ଏପରିକି ନବୀନ ନିବାସରେ ଏବେବି ଟିମ୍ ପାଣ୍ଡିଆନ ଆକ୍ଟିଭ୍ ରହିବା ସହ ଦଳର ଭବିଷ୍ୟତ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ତା ଅର୍ଥ ସକ୍ରିୟ ରାଜନୀତିରେ ନରହିଲେ ବି ବିଜେଡିକୁ ପରଦା ପଛରୁ ନିୟନ୍ତ୍ରଣ କରିପାରନ୍ତି ପାଣ୍ଡିଆନ । କାରଣ ସେ ବିଜେଡିରୁ ଇସ୍ତଫା ଦେଇନାହାନ୍ତି। ସର୍ବସାଧାରଣରେ କିମ୍ବା ଗଣମାଧ୍ୟମ ସାମନାକୁ ନଆସିଲେ ବି ରାଜ୍ୟ ରାଜନୀତି ପାଣିପାଗ କଳିବା ସହ ଭାବିଚିନ୍ତି ପାଦ ରଖୁଛନ୍ତି ପାଣ୍ଡିଆନ । ଫେସବୁକ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଭିକେ ପାଣ୍ଡିଆନ ଓ ପାଣ୍ଡିଆନ ଫ୍ୟାନକ୍ଲବ ଆକାଉଣ୍ଟ ଗୁଡିକ ସେଭଳି ଆକ୍ଟିଭ୍ ନାହିଁ। କାଁ ଭାଁ କିଛି ପୋଷ୍ଟ ହେଉଛି, ହେଲେ ଆଗଭଳି ଆଗ୍ରେସନ୍ ନାହିଁ । ତେବେ ଏକ୍ସ ଆକାଉଣ୍ଟକୁ ଅସ୍ତ୍ର କରି ନିୟମିତ ପୋଷ୍ଟ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା କୁହାଯାଉଛି ।…
Comments are closed.