Latest Odisha News

BREAKING NEWS

ରୁଷ ୟୁକ୍ରେନ୍ ଯୁଦ୍ଧରେ ପଡିବ ବିରାମ: ପୁଟିନ୍ କହିଲେ, ମୁଁ ରାଜି!

ନୂଆଦିଲ୍ଲୀ:  ପାଖାପାଖି ଦୀର୍ଘ ୧୧ ବର୍ଷ ପରେ ବନ୍ଦ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ । ବହୁ ବାଦବିବାଦ, ମରଣ, ତର୍କବିତର୍କ, ବୁଝାମଣା ପରେ ଏବେ ବାସ୍ତବରେ ପଡିବ ବିରାମ । ଯୁଦ୍ଧ ବନ୍ଦ ପାଇଁ ସଙ୍କେତ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଗୁରୁବାର ରୁଷିଆବାସୀଙ୍କୁ ବର୍ଷର ଶେଷ ସମ୍ବୋଧନରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ପୁଟିନ୍ । ଏହି ସମୟରେ ଯୁଦ୍ଧ ବନ୍ଦ କରିବାକୁ ସେ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି । ଆଉ ଆଲୋଚନା ପାଇଁ କୌଣସି ପୂର୍ବ ସର୍ତ୍ତ ନାହିଁ, କିନ୍ତୁ ଯେକୌଣସି ଚୁକ୍ତିରେ ବୈଧ ୟୁକ୍ରେନ୍ କର୍ତ୍ତୃପକ୍ଷଙ୍କୁ ସାମିଲ କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ଯୁଦ୍ଧ ଶେଷ କରିବାକୁ ସେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ ଆଲୋଚନା କରିବା ନେଇ ପ୍ରକାଶ କରିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସମେତ ଯେ କୌଣସି ବ୍ୟକ୍ତିଙ୍କ ସହ କଥା ବାର୍ତ୍ତା କରିବାକୁ ଋଷ୍ ପ୍ରସ୍ତୁତ ଅଛି । ପୁଟିନ୍ ଏକ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକଙ୍କୁ କହିଛନ୍ତି ଯେ ସେ ବର୍ଷ ବର୍ଷ ଧରି ଟ୍ରମ୍ପଙ୍କ ସହ କଥା ହୋଇନାହାନ୍ତି, କିନ୍ତୁ ଯୁଦ୍ଧ ବିଷୟରେ ଆଲୋଚନା କରିବା ପାଇଁ ତାଙ୍କୁ ଭେଟିବାକୁ ଇଚ୍ଛୁକ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନ୍‌ ସହ ଯୁଦ୍ଧ ବେଶ କଠିନ । ମାତ୍ର ଏଥିରେ ସେମାନେ ବିଜୟ ନିକଟରେ ପହଞ୍ଚି ସାରିଛନ୍ତି । ରୁଷ ସେନା ପ୍ରତିଦିନ ୟୁକ୍ରେନ୍‌ର କିଛି କିଛି ଅଞ୍ଚଳ ଦଖଲ କରୁଛନ୍ତି । ଅନ୍ୟପଟେ ରୁଷିଆର କ୍ରୁସ୍ କ୍ଷେତ୍ରରେ ୟୁକ୍ରେନ୍ ସେନାର ଦଖଲକୁ ମଧ୍ୟ ସ୍ବିକାର କରିଛନ୍ତି ପୁଟିନ୍ ।

ସେପଟେ ଯୁଦ୍ଧ ପରେ ଋଷ୍ ଦୁର୍ବଳ ସ୍ଥିତିରେ ଥିବା ଦାବିକୁ ପୁଟିନ୍ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ୨୦୨୨ରେ ୟୁକ୍ରେନ୍ ଆକ୍ରମଣ ପରେ ଦେଶ ଅଧିକ ଶକ୍ତିଶାଳୀ ହୋଇଛି । ପୁଟିନ୍ କହିଛନ୍ତି ଯେ ଋଷ୍ ଆଲୋଚନା ପାଇଁ ପ୍ରସ୍ତୁତ ଅଛି, କିନ୍ତୁ କିଭ୍ ମଧ୍ୟ ଏକ ଚୁକ୍ତି ପାଇଁ ପ୍ରସ୍ତୁତ ରହିବା ଉଚିତ ବୋଲି ସେ ଜୋର ଦେଇଥିଲେ । ସ୍ଥାୟୀ ଶାନ୍ତି ଚୁକ୍ତି ସପକ୍ଷରେ ଅସ୍ଥାୟୀ ଅସ୍ତ୍ରବିରତି ସମ୍ଭାବନାକୁ ପୁଟିନ୍ ପ୍ରତ୍ୟାଖ୍ୟାନ କରିଛନ୍ତି ।

ତେବେ କହିରଖୁଛୁ, ୨୦୧୪ରେ ଆରମ୍ଭ ହୋଇଥିବା ରୁଷ ୟୁକ୍ରେନ୍ ଯୁଦ୍ଧ ଯଦି ବାସ୍ତବରେ ସମାପ୍ତ ହୁଏ ତାହା ହେଲେ ବିଶ୍ବ ବଜାରରେ ଏହାର ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

Leave A Reply

Your email address will not be published.