ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖ ଅନୁସାରେ ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ଚାଲିଛି। ଏହାପରେ ସକାଳ ସାଢ଼େ ୮ଟାରୁ ଇଭିଏମ୍ ବାଲାଟ୍ ଗଣତି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଭୋଟ ଗଣତି ପାଇଁ ସବୁ ପ୍ରକାର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିଶନଙ୍କ ଗଣତି ଅନୁସାରେ ମେ ୧୦ ତାରିଖରେ ନିର୍ବାଚନ ହୋଇଥିଲା।
ଏହା ପୂର୍ବରୁ ଭୋଟ ଗଣତି ନେଇ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ସମୟ ସହ ଭୋଟ ଗଣତିର ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଭୋଟ ଗଣତି କରାଯିବ। ଯଦି ୨-୩ଟି ବୁଥ ବାକି ରହିଲା ତେବେ ସେଗୁଡ଼ିକ ୧୯ତମ ରାଉଣ୍ଡରେ ଗଣନା କରାଯାବି ବୋଲି ଜିଲ୍ଲାପାଳ କହିଥିଲେ। ଘୋଷଣା ଅନୁସାରେ, ପ୍ରତି ଟେବୁଲରେ ଗୋଟିଏ ଲେଖାଏ ବୁଥ କରି ଗଣତି ଆରମ୍ଭ ଜାରି ରହିଛି।
ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଉପସ୍ଥିତ ରହିଛନ୍ତି।
ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଓ ୨୦ ଜଣ କାଉଣ୍ଟିଂ ପର୍ୟ୍ୟବେକ୍ଷକ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।
ଭୋଟ ଗଣତି ଚାଲିଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ଏହାର ଫଳାଫଳ ପ୍ରକାଶ ପାଇବ ବୋଲି ଏସ୍ପି ସ୍ମିତ୍ ପି. ପରମାର୍ କହିଛନ୍ତି। ଗଣତି ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ଓ ନିର୍ଭୁଲ ଭାବରେ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଭୋଟ୍ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ସୂଚନା ଥାଉକି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ହତ୍ୟା ପରେ ଧାରସୁଗୁଡ଼ା ସିଟ୍ ଖାଲି ପଡ଼ିଥିଲା। ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ମେ ୧୦ ତାରିଖରେ ଏଠାରେ ଉପନିର୍ବାଚନ ହୋଇଥିଲା। ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।
Comments are closed.