Latest Odisha News

BREAKING NEWS

ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଭୁବନେଶ୍ୱର: ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥିଲେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ଯଦି ଭୋଟର ଫଟୋ ପରିଚୟ ପତ୍ର ଦେଖାଇବାକୁ ସମର୍ଥ ନହେବେ ତେବେ ଆଧାର କାର୍ଡ, ମହାତ୍ମା ଗାନ୍ଧୀ ଜାତୀୟ ରୋଜଗାର ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଦିଆଯାଇଥିବା ଫଟୋ ଲାଗିଥିବା ପାସ୍‌ବୁକ୍‌, ଶ୍ରମ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍‌ କାର୍ଡ, ଏନ୍‌ପିଆର୍‌ ଅନ୍ତର୍ଗତ ଆର୍‌ଜିଆଇ ଦ୍ୱାରା ଦିଆଯାଇଥିବା ସ୍ୱାର୍ଟ କାର୍ଡ, ଭାରତୀୟ ପାସ୍‌ପୋର୍ଟ, ଫଟୋ ସହିତ ପେନ୍‌ସନ୍‌ ଡକ୍ୟୁମେଣ୍ଟ, କେନ୍ଦ୍ର ସରକାର/ରାଜ୍ୟ ସରକାର/ ସରକାରୀ ଉଦ୍ୟୋଗ/ ପବ୍ଲିକ୍‌ ସେକଫର ଅଣ୍ଡରଟେକିଂ/ ପବ୍ଲିକ୍‌ ଲିମିଟେଡ୍‌ କମ୍ପାନୀ ତରଫରୁ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିବା ଫଟୋ ଲାଗିଥିବା ପରିଚୟ ପତ୍ର, ସାଂସଦ/ବିଧାୟକ/ବିଧାନ ପରିଷଦ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପରିଚୟ ପତ୍ର, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ପ୍ରଦାନ କରାଯାଇଥିବା ୟୁନିକ୍‌ ଡିଜାବିଲିଟି ପରିଚୟ ପତ୍ର (ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର) ପରି ୧୨ଟି ବିକଳ୍ପ ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ଭୋଟ ଦେଇପାରିବେ ।

ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ନପାରିଲେ ଏହି ସବୁ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ମତଦାନ କେନ୍ଦ୍ରରେ ମତଦାତାମାନେ ଭୋଟ ଦେଇପାରିବେ ବୋଲି ଭାରତ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯଦି ଭୋଟର ଫଟୋ ପରିଚୟ ପତ୍ରରେ ମୁଦ୍ରଣଗତ ତ୍ରୁଟି ଥାଏ ତାହା ଗ୍ରହଣୀୟ ହେବ । ଯଦି କୌଣସି ବୁଥ୍‌ରେ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇଥିବ ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଭୋଟର ଫଟୋ ପରିଚୟ ପତ୍ର ଦିଆଯାଇଥାଏ ତାହା ମଧ୍ୟ ଗ୍ରହଣୀୟ ହେବ ।

ଏ କ୍ଷେତ୍ରରେ ଯଦି ଭୋଟରଙ୍କ ଚେହେରା ଭୋଟର ଫଟୋ ପରିଚୟ ପତ୍ରରେ ଥିବା ଫଟୋ ସହ ମିଶୁ ନଥିବ ତେବେ ଭୋଟର ବିକଳ୍ପ ୧୨ଟି ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ନିଜର ପରିଚୟ ପ୍ରମାଣ କରି ଭୋଟ ଦେଇପାରିବେ । ବିଦେଶରେ ରହୁଥିବା ଭାରତୀୟ ମାନେ ନିଜର ମୂଳ ପାସ୍‌ପୋର୍ଟ ଦେଖାଇ ଭୋଟ ଦେଇପାରିବେ ବୋଲି ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ରିଟର୍ଣ୍ଣିଂ ଅଫିସରମାନେ ଏ ସଂପର୍କରେ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ଅବଗତ କରାଇବା ସହ ଭାରତ ନିର୍ବାଚନ କମିଶନଙ୍କ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରଦାନ କରିବା ତଥା ପ୍ରତି ବୁଥ୍‌ରେ ଉପଲବ୍ଧ କରାଇବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି କରିବା ତଥା ଭୋଟରମାନଙ୍କୁ ଅଧିକ ସଚେତନ କରାଇବା ଉଦ୍ଦେଶ୍ୟରେ ମତଦାନ ତାରିଖର ୫ ଦିନ ପୂର୍ବରୁ ଭୋଟରମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମତଦାନ କେନ୍ଦ୍ର, ମତଦାନ ତାରିଖ ଓ ସମୟ ଇତ୍ୟାଦି ସୂଚନା ଜଣାଇବା ଉଦ୍ଦେଶ୍ୟରେ ‘ଭୋଟର ସୂଚନା ସ୍ଲିପ୍‌’ ପ୍ରଦାନ କରାଯିବାର ବ୍ୟବସ୍ଥା କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

 

Comments are closed.