ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଜାତୀୟ ରାଜଧାନୀ ଦିଲ୍ଲୀର ବିଧାନସଭା ଭୋଟିଂ। ନୂଆ ସରକାର ଗଠନ ପାଇଁ ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ମୋଟ ୭୦ଟି ଆସନର ୬୯୯ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଦିଲ୍ଲୀର ୭୦ଟି ଆସନରେ ମୋଟ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେଥିମଧ୍ୟରୁ ୭୨ ଲକ୍ଷ ୨୬ ହଜାର ମହିଳା ଭୋଟର ଏବଂ ୧୨୬୭ ଜଣ ଟ୍ରାନ୍ସଜେଣ୍ଡର ଭୋଟର ରହିଛନ୍ତି ।
ଭୋଟ ପାଇଁ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ ହୋଇଥିବା ବେଳେ ଆଉ ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିଛି। ସେପଟେ ଦିଲ୍ଲୀ ବିଧାନସଭାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଯାଇଛି । ଭିନ୍ନ ଭିନ୍ନ ସମ୍ୱେଦନଶୀଳ ବୁଥରେ ଅଧିକ ପୋଲିସଙ୍କୁ ମୁତୟନ କରାଯାଇଛି । ୧୫୦ ପାରାମିଲିଟ୍ରି ଫୋର୍ସ ଏବଂ ୩୦ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ସେଥିମଧ୍ୟରୁ ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ନିୟୋଜିତ ହୋଇଛନ୍ତି।
ଆସନ୍ତା ୮ ତାରିଖରେ ବାହାରିବ ନିର୍ବାଚନ ଫଳ । ସେପଟେ ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏବଂ ହରିୟାନାରେ ଆଜି ସମସ୍ତ ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ପାଖାପାଖି ୩ହଜାର ମତଦାନ କେନ୍ଦ୍ରକୁ ସମ୍ୱେଦନଶୀଳ କେନ୍ଦ୍ରଭାବେ ତାଲିକାଭୂକ୍ତ କରାଯାଇଛି । ଏହି ସମ୍ୱେଦନଶୀଳ ମତଦାନକେନ୍ଦ୍ର ଗୁଡିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି । ସେପଟେ ମତଦାନକେନ୍ଦ୍ର ଉପରେ ଡ୍ରୋନ୍ ସାହାଯ୍ୟରେ ବି ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ ସର୍ଭିଲାନ୍ସରେ ରହିଛି ସମ୍ୱେଦନଶୀଳ ବୁଥ୍ ।
କହିରଖୁଛୁ ଯେ, ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଏଥର ତ୍ରିମୁଖୀ ଲଢ଼େଇ ହେଉଛି । ୨୭ ବର୍ଷ ପରେ ବିଜେପି ପୁଣି ଫେରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୧୧ ବର୍ଷ କଂଗ୍ରେସ ଫେରିବାକୁ ଲକ୍ଷ୍ୟ ରଖିଛି । ସେପଟେ କିନ୍ତୁ ଆମ୍ ଆଦମୀ ପାର୍ଟି ହାଟ୍ରିକ ବିଜୟ ଆଶାରେ ଅଛି ।
Comments are closed.