ନୂଆଦିଲ୍ଲୀ: ଚୀନରେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ୨୫ତମ ଶିଖର ସମ୍ମିଳନୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକାଠି ନଜର ଆସିଛନ୍ତି। ମୋଦି ପୁଟିନଙ୍କ ହାତ ଧରି ଆଗେଇ ଚାଲିଥିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତିନି ନେତା ମଧ୍ୟ ଅନୌପଚାରିକ ଭାବେ ଆଲୋଚନା କରୁଥିବା ଦେଖାଯାଇଥିଲା। ମଝିରେ ଉଭୟ କୌଣସି କଥାରେ ହସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ଏହି ତିନି ବଡ଼ ନେତାଙ୍କ ଏକାଠି ମିଳନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିନ୍ତାରେ ପକାଇପାରେ। ଟ୍ରମ୍ପଙ୍କ ଟାରିଫ ନୀତି ଭାରତକୁ ଚୀନର ଅଧିକ ନିକଟତର କରିଛି। ଏହା ଉପରେ ପୁଟିନଙ୍କ ଏହି ଦୋସ୍ତି ଆମେରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଆମେରିକା ନିଜର ଦେଶର ଆର୍ଥିକ ସ୍ଥିତିର ଦ୍ୱାହି ଦେଇ ଭାରତ ବିରୋଧରେ ଅତ୍ୟଧିକ ଟାରିଫ ଲଗାଇଛି । ଯାହାକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାରି ଭିତରେ ରୁଷ, ଚୀନ ଏବଂ ଭାରତ ଏକାଠି ହେବା ଆମେରିକା ପାଇଁ ଚିନ୍ତାଜନକ ବୋଲି କୁହାଯାଉଛି।
ମୋଦି ଓ ପୁଟିନ ଏକାଠି ଚାଲୁଥିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସିରିଫଙ୍କ ମୁହଁ କ୍ୟାମେରାରେ ଧରାପଡ଼ିଥିଲା। ତାଙ୍କ ମୁହଁରେ ଅସନ୍ତୋଷ ଦେଖାଯାଉଥିଲା। ଚୀନର ନିକଟତମ ପଡ଼ୋଶୀ ହେଲେ ମଧ୍ୟ ସରିଫ କେବେ ଜିନପିଙ୍ଗଙ୍କ ଏତେ ନିକଟକୁ ଆସିପାରି ନାହାନ୍ତି।
ଶିଖର ସମ୍ମିଳନୀ ରବିବାର ରାତିରେ ସି ଜିନପିଙ୍ଗଙ୍କ ଏକ ବିଶାଳ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ମୋଦି, ପୁଟିନ ଓ ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ଚୀନ ଏବର୍ଷ ଏସସିଓର ଅଧ୍ୟକ୍ଷତା କରୁଛି। ଏହା ଏସସିଓ ପ୍ଲସ ଶିଖର ସମ୍ମିଳନୀ ପାଇଁ ୨୦ ଜଣ ବିଦେଶୀ ନେତା ଓ ୧୦ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟଙ୍କୁ ଆମନ୍ତ୍ରଣ କରିଛି। ଏଥିରେ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଆଣ୍ଟୋନିଓ ଗୁଟେରେସ ମଧ୍ୟ ସାମିଲ ହୋଇଛନ୍ତି।
ସୋମବାର ଶିଖର ସମ୍ମିଳନୀର ଶେଷ ଦିନ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଅଭିଭାଷଣ ଦେବେ। ସେ ଏସସିଓରେ ଆଞ୍ଚଳିକ ସହଯୋଗ ବୃଦ୍ଧି ପାଇଁ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ। ଏହା ପରେ ସେ ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହା ପରେ ମୋଦୀ ଭାରତ ଫେରିବେ।
ସି ଜିନପିଙ୍ଗ କହିଛନ୍ତି, ବିଶ୍ୱରେ ଅନିଶ୍ଚିତତା ବଢ଼ୁଛି। ଏପରି ସମୟରେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ଏସସିଓର ଦାୟିତ୍ୱ। ସମସ୍ତଙ୍କ ମିଳିତ ପ୍ରୟାସରେ ଏହି ସମ୍ମିଳନୀ ସଫଳ ହେବ ବୋଲି ସେ ଆଶା ରଖିଛନ୍ତି। ଏସସିଓ ବିଶ୍ୱ ଜନସଂଖ୍ୟାର ଅଧା ଓ ଅର୍ଥନୀତିର ଏକ-ଚତୁର୍ଥାଂଶ ପ୍ରତିନିଧିତ୍ୱ କରେ। ୨୦୦୧ରେ ସାଂଘାଇରେ ଏହା ଆରମ୍ଭ ହୋଇଥିଲା। ଏବେ ଏହାର ୧୦ ସଦସ୍ୟ, ୨ ପର୍ଯ୍ୟବେକ୍ଷକ ଓ ୧୪ ଭାଗୀଦାର ରହିଛନ୍ତି।
Comments are closed.