Latest Odisha News

BREAKING NEWS

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପିପିଲି : ପିପିଲି ଥାନା ଅନ୍ତର୍ଗତ ବାରିମୂଳ ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଶନିବାର ଦିନ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ଜିତେନ୍ଦ୍ର ବେହେରା (ଜିତୁ) ଏବଂ ତା’ ଘର ପୁରୀ ସହରର ଅବକାଶ ଲେନ୍ ଅଞ୍ଚଳର ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଜିତେନ୍ଦ୍ର ଓ ତା’ ସହଯୋଗୀ ପିପିଲି-ଜଟଣୀ ରାସ୍ତା ଦେଇ ଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପ୍ଧବ ପୋଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହାପରେ ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକରେ ପୋଲିସ୍ ସହ ଜିତେନ୍ଦ୍ରର ମୁହାଁମୁହିଁ ହୋଇଥିଲା। ଏହି ସମୟରେ ଜିତେନ୍ଦ୍ର ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବ ପୋଲିସ୍ ଦେଇଥିଲା। ଅନ୍ୟପଟେ ଘଟଣାସ୍ଥଳରୁ ଜିତେନ୍ଦ୍ରଙ୍କ ସହଯୋଗୀ ଫେରାର ହୋଇଯାଇଥିଲା ।

ଅନ୍ୟପକ୍ଷରେ ଗତ ଡିସେମ୍ବର ୨୫ ତାରିଖ ଦିନ ପୁରୀର ଗୁଣ୍ଡିଚା ମନ୍ଦିର ନିକଟରେ ଜନୈକ ସଞ୍ଜୟ ବେହେରା (ପାରା) ହତ୍ୟାକାଣ୍ଡ ପରେ ଜିତୁ ଓ ତାର ସାଥୀ ରମେଶ ପରିଡା (ମୁନ୍ନା) ଫେରାର ହୋଇଯାଇଥିଲେ । ନିକଟରେ ଏକ ହତ୍ୟାକାଣ୍ଡ ମାମଲାରେ ନିମାପଡା ଅତିରିକ୍ତ ସେସନ୍ ଜଜଙ୍କ ନିକଟରେ ମୁନ୍ନା ଆତ୍ମସମର୍ପଣ କରିଥିବା ବେଳେ ଜିତୁ ଫେରାର ହୋଇଯାଇଥିଲା ।

ଜିତେନ୍ଦ୍ର ଠାରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଏବଂ ୨ଟି ଗୁଳି ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଆହତ ଅପରାଧୀର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଜିତେନ୍ଦ୍ର ନାମରେ ପୁରୀର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.