ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହୋଇଥିବାବେଳେ, ୨୩ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଜି ୧୮ ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ । ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ୪୦ରୁ ୫୦ ବେଗରେ ପବନ ବହିବା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ।
ତେବେ ଗତକାଲି ଅର୍ଥାତ୍ ସୋମବାର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୨ ଡିଗ୍ରୀ ରେକର୍ଡ଼ ହୋଇଛି । ବଲାଙ୍ଗୀରରେ ୪୦.୮, ହୀରାକୁଦ ୪୦.୧, ଟିଟିଲାଗଡ଼ ଏବଂ ବୌଦ୍ଧରେ ୪୦ ଡିଗ୍ରୀ ଲେଖାଏଁ, ଖୋର୍ଦ୍ଧାରେ ୩୯ ଡିଗ୍ରୀ, ଭୁବନେଶ୍ବରରେ ୩୮.୪ ଏବଂ କଟକରେ ୩୬.୮ ଡିଗ୍ରୀ ରେକର୍ଡ଼ ହୋଇଛି ।
ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଓ ତାର ଆଖପାଖ ଅଞ୍ଚଳ ଗୁଡିକରେ ଗରମ ଗୁଳୁଗୁଳି ଜାରି ରହିଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ଗରମ ଗୁଳୁଗଳି ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଉଷ୍ଣ ଓ ଆର୍ଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ଖରା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ, ଦୁଇଟି ଲଘୁଚାପ ଆସୁଥିବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ମେ ୨୧ ତାରିଖ ଅର୍ଥାତ ଆସନ୍ତାକାଲି ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ମେ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।
ସେହିପରି, ମେ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେବ। ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Comments are closed.