Latest Odisha News

ଯାଜପୁର ବୈତରଣୀରେ କମିଛି ଜଳ ସ୍ତର: ବିପଦ ଟଳିନି, ଶୁଖିଲା ଖାଦ୍ୟ ବଣ୍ଟନ ଚାଲିଛି

ଯାଜପୁର: ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ଜଳ ସ୍ତର କମିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିନି ଜଳ ସ୍ତର। ଏ ପର୍ଯ୍ୟନ୍ତ ବିପଦ ଟଳି ନଥିବା ଆକଳନ କରାଯାଉଛି । ମଙ୍ଗଳବାର ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ।

ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରିପାଟଣାରେ ସୃଷ୍ଟି ହୋଇଥିବା ଘାଇରେ ଆଜି ବି ବନ୍ୟା ଜଳ ପ୍ରବାହିତ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଛି।

ମଙ୍ଗଳବାର ସକାଳେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ବ୍ରହ୍ମଚାରୀ ପାଟଣାରେ ହୋଇଥିବା ଘାଇ ତୁରନ୍ତ ମରାମତି କରିବାକୁ ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ପ୍ରଣବ।

ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଥଇଥାନ କରାଯାଉଛି ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ କହିଛନ୍ତି ।

ସୂଚନାଯୋଗ୍ୟ, ବୈତରଣୀରେ ଜଳ ସ୍ତର କମିଛି । କିନ୍ତୁ ପୀଡ଼ିତଙ୍କ ଅସୁବିଧା ବଢିଛି। ସୋମବାର ୭୦ ଫୁଟ ଲମ୍ବର ବୈତରଣୀ ଶାଖା ନଦୀ କାଣୀରେ ବ୍ରହ୍ମଚାରୀ ପାଟଣାରେ ସୃଷ୍ଟି ହୋଇଥିବା ଘାଇ ସୃଷ୍ଟି ହୋଇଥିଲା।

ଘାଇ ଦଶରଥପୁର ବ୍ଲକର କସପା, ଦୁଦୁରାଅନ୍ତା, ମଲିକାପୁର ପଞ୍ଚାୟତର ପଛପଡ଼ା, ବ୍ରହ୍ନଚାରୀପାଟଣା, କମଳପୁର, ପହ୍ଲାସାହି, ନୂଆ ଶାସନ, ଆଖୁଆସାହି, କଣ୍ଟପଡ଼ା, କଅଁର ସାହିକୁ ଜଳମଗ୍ନ କରିଦେଇଛି।

ଏହି ଗାଁ ଗୁଡ଼ିକର ଶହ ଶହ ପରିବାର ଏବେ ପାଣି ଘେରରେ। ଜଳ ସମ୍ପଦ ବିଭାଗର ଅବହେଳା ଯୋଗୁଁ ଏଭଳି ଘାଇ ସୃଷ୍ଟି ହେବା ନେଇ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଗ୍ରାମବାସୀ।

ସୋମବାର ବ୍ରହ୍ମଚାରୀ ପାଟଣାରେ ୭୦ ଫୁଟ ଲମ୍ବର ଘାଇ ସୃଷ୍ଟି ହେବା ପରେ ଘଟଣା ସ୍ଥଳକୁ ଯାଇ ଜିଲାପାଳ, ସ୍ଥାନୀୟ ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବନ୍ୟା ବିପନ୍ନଙ୍କ ସହିତ କଥା ହୋଇଛନ୍ତି । ଖୁବ୍ ଶୀଘ୍ର ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଥିବା କଥା ଗ୍ରାମବାସୀ କହିଛନ୍ତି ।

ମଙ୍ଗଳବାର ଅନେକ ଗାଁ ଓ ପରିବାର ସମ୍ପୂର୍ଣ୍ଣ ପାଣି ଘେରରେ ବୁଡ଼ି ରହିଛନ୍ତି। ସେପଟେ କାଣୀ ନଦୀ ବନ୍ଧର ଦୃଢ଼ୀକରଣ ପାଇଁ ଟେଣ୍ଡର କାମ ସରିଛି ବୋଲି ଯାଜପୁର ବିଧାୟକ ସୂଚନା ଦେଇଛନ୍ତି।

Comments are closed.