Latest Odisha News

ଜଳାଭାବ ଭାରତରେ ଜଳର ସୁପରିଚାଳନା ଆବଶ୍ୟକ

ଜଳ, ପବନ ଭଳି ଏ ଜୀବଜଗତ ପାଇଁ ଅତି ଆବଶ୍ୟକ । ପୃଥିବୀରେ ଯଦିଓ ଯଥେଷ୍ଟ ଜଳ ଗଚ୍ଛିତ ଅଛି, ମାତ୍ର ତାହାର ୯୭.୫ ଶତାଂଶ ଲୁଣିଆ ଅଟେ । ଅବଶିଷ୍ଟ ଜଳର ୧.୭ ଶତାଂଶ ବରଫ ଓ ଗ୍ଲେସିଅର ଭାବେ, ୦.୭୫ ଶତାଂଶ ଭୂଗର୍ଭର ଜଳଭାବେ ଏବଂ ଅବଶିଷ୍ଟ ୦.୦୫ ଶତାଂଶ ନଦୀ, ହ୍ରଦ ଇତ୍ୟାଦରେ ମିଳିଥାଏ । ମାତ୍ର କାଳକ୍ରମେ ଲୋକ ସଂଖ୍ୟା ବଢ଼ିବା ଏବଂ ସହର ବଜାର, ଶିଳ୍ପ କାରଖାନା ଇତ୍ୟାଦି ଗଢ଼ି ଉଠିବା ଯୋଗୁ, ବର୍ତ୍ତମାନ ପୃଥିବୀରେ ପ୍ରାୟ ୩୨.୩ ଶତାଂଶ ଲୋକେ ଉତ୍କଟ ଜଳାଭାବ ଅଞ୍ଚଳରେ ବସବାସ କରୁଛନ୍ତି । ଭାରତ ଏହି ଜଳାଭାବ ଅଞ୍ଚଳରେ ଅବସ୍ଥିତ । ବର୍ତ୍ତମାନ ଆମ ଜଳ ସଂପଦର ପ୍ରାୟ ୭୦ ଶତାଂଶ ଚାଷ କାମରେ, ୨୦ ଶତାଂଶ ଶିଳ୍ପ କାରଖାନାରେ ଏବଂ ଅବଶିଷ୍ଟ ୧୦ ଶତାଂଶ ପିଇବା, ଗାଧୋଇବା ଓ
ଅନ୍ୟାନ୍ୟ ଘର କାମରେ ବ୍ୟବହୃତ ହେଉଛି । ଏହି ମୁଖ୍ୟ ତିନି କ୍ଷେତ୍ରରେ ଆମ ଦେଶରେ ଜଳର ଉପଯୁକ୍ତ ପରିଚାଳନା ଅଭାବରୁ ଏବଂ ସହର ବଜାରର ନର୍ଦ୍ଦମା ଓ ଶିଳ୍ପ କାରଖାନାଗୁଡ଼ିକର ତେଜ୍ୟ ବିଷାକ୍ତ ଜଳ ବହୁ ପରିମାଣରେ ନଦୀ ଓ ହ୍ରଦଗୁଡ଼ିକରେ ନିଷ୍କାସନ ହେବା ଫଳରେ ଭୂପୃଷ୍ଠ ଓ ଭୂଗର୍ଭର ଜଳ ଅପରିଷ୍କାର ହେବାରେ ଲାଗିଛି । ଆମ ଦେଶରେ ଏସବୁ ଜଳ ବ୍ୟବହାର କରି ବହୁ ସଂଖ୍ୟାର ଲୋକ ବିଭିନ୍ନ ପ୍ରକାର ମାରାତ୍ମକ
ରୋଗରେ ପିଡ଼ିତ ହୋଇ ଅକାଳ ମୃତ୍ୟୁ ବରଣ କରୁଛନ୍ତି ।

 

ଭାରତରେ କ୍ରମାଗତ ଭାବେ ଲୋକସଂଖ୍ୟା ବଢ଼ିବାରେଲାଗିଛି । ଏହି ସମସ୍ତଙ୍କୁ ଦରକାର ମୁତାବକ ଖାଦ୍ୟ ଯୋଗାଇ ଦେବାପାଇଁ ୨୦୫୦ ମସିହା ବେଳକୁ ଦେଶର ଶସ୍ୟ ଉତ୍ପାଦନ ବର୍ତ୍ତମାନ ପରିମାଣର ଦୁଇ ଗୁଣକୁ ଅର୍ଥାତ୍ ୪୨କୋଟି ଟନକୁ ବୃଦ୍ଧି କରିବାକୁହେବ । ଏସବୁ ଉତ୍ପାଦନ ପାଇଁ ଜଳ ଯୋଗାଣ ବର୍ତ୍ତମାନର ୮୦୦ ଘନ କିଲୋମିଟର ପରିମାଣରୁ ୧୧୦୦ ଘନ କିଲୋମିଟରକୁ ବୃଦ୍ଧି କରିବାକୁ ହେବ । ବର୍ତ୍ତମାନ ଆମ ଦେଶରେ ଜଳ ସଂପଦର ପରିଚାଳନା ବଡ଼ ଅବ୍ୟବସ୍ଥା ଅବସ୍ଥାରେ ଅଛି । ଉଦାହରଣ ସ୍ୱରୂପ, ଜଳ ପରିବହନରେ ପ୍ରାୟ ଚାଳିଶ ଶତାଂଶ ପରିମାଣର ଜଳ ନଷ୍ଟ ହେଉଛି । ପୁଣି ଅନେକ ଚାଷ ଜମିରେ ଦରକାରଠାରୁ ଅଧିକ ପରିମାଣର ଜଳ ମଡ଼ାଯିବାରୁ ଜଳ ନଷ୍ଟ ହେବା ସହିତ କମ୍ ପରିମାଣର ଶସ୍ୟ ଉତ୍ପନ୍ନ
ହେଉଛି । ଏହା ସହିତ ଜଳ ଧାରଣ କରୁଥିବା ଅଧିକାଂଶ ନିମ୍ନ ଓ ଆଦ୍ର ଜମିଗୁଡ଼ିକ ପୋତା ହୋଇ ସହର ବଜାର, ଶିଳ୍ପ କାରଖାନା, ରାସ୍ତାଘାଟ ଇତ୍ୟାଦି ଦୃତ ବେଗରେ ଗଢ଼ି ଉଠିବାରେ ଲାଗିଛି । ପୁଣି ନଦୀଗୁଡ଼ିକଙ୍କ ଉପତ୍ୟକାରେ ଥିବା ବଣ ଜଙ୍ଗଲ ବହୁ ପରିମାଣରେ କଟା ହେଉଛି । ଏବଂ ଏହା ଫଳରେ ଉପତ୍ୟକାର ମାଟି ବର୍ଷା ଜଳଦ୍ୱାରା ଧୋଇ ହୋଇ ନଦୀଗର୍ଭକୁ ପୋତିବାରେ ଲାଗିଛି । ଏସବୁ ମନୁଷ୍ୟକୃତ କାର୍ଯ୍ୟ ପାଇଁ ଅଧିକାଂଶ
ବର୍ଷା ଜଳ ପୁଣି ସମୁଦ୍ରକୁ ଫେରି ଯାଉଛି ଏବଂ ଭୂପୃଷ୍ଠ ଓ ଭୂଗର୍ଭର ଜଳ ବହୁ ପରିମାଣରେ କମିବାରେ ଲାଗିଛି ।

ଭାରତର କେତେକାଂଶରେ ସ୍ୱଳ୍ପ ବୃଷ୍ଟି ହୁଏ ଏବଂ ଏସବୁ ସ୍ଥାନମାନଙ୍କରେ ଶୀତ ଓ ଗ୍ରୀଷ୍ମ ଋତୁରେ ଅଧିକାଂଶ ଭୂପୃଷ୍ଠ ଜଳ ଶୁଖିଯାଏ । ଏ ଅଞ୍ଚଳର କୃଷକମାନେ ଭୂଗର୍ଭରୁ ବହୁପରିମାଣର ଜଳ ନିଷ୍କାସନ କରି ଚାଷ କାର୍ଯ୍ୟରେ ବ୍ୟବହାର କରନ୍ତି । ଏହା ଯୋଗୁ ଭୂଗର୍ଭ ଜଳ ପତ୍ତନର ଦ୍ରୁତ ହ୍ରାସ ଘଟେ ଏବଂ ବର୍ଷର ବହୁ ଦିନ ପାନୀୟ ଜଳ ସଂକଟ ଦେଖାଦିଏ । ଫଳରେ ସ୍ଥାନୀୟ ଲୋକେ ଅପରିଷ୍କାର ପାଣି ପିଇ ବହୁ ମାରାତ୍ମକ ରୋଗରେ ଆକ୍ରାନ୍ତ ହୁଅନ୍ତି ।

ସମସ୍ତ ଦେଶବାସୀଙ୍କୁ ଉପଯୁକ୍ତ ପରିମାଣର ଜଳ ବର୍ଷସାରା ଯୋଗାଇ ଦେବା ପାଇଁ ଜଳ ସଂପଦର ଉପଯୁକ୍ତ ପରିଚାଳନା ନିମ୍ନଲିଖିତ କେତୋଟି ଉପାୟରେ କରାଯିବା ଅତ୍ୟନ୍ତ ପ୍ରୟୋଜନ ।

୧) ଭାରତରେ ବର୍ଷାଦିନରେ ଅଧିକାଂଶ ଅଞ୍ଚଳରେ ବହୁପରିମାଣର ବର୍ଷା ହୁଏ । ଏହି ବର୍ଷା ଜଳକୁ ବୈଜ୍ଞାନିକ ପ୍ରଣାଳୀରେ ଭୂପୃଷ୍ଠ ଓ ଭୂଗର୍ଭରେ ସଞ୍ଚୟ କରାଗଲେ ତାହା ବହୁତ ପରିମାଣରେ ମିଳି ପାରିବ ଓ ଶୁଦ୍ଧ ରହିବ । ଏହି ଜଳକୁ ବର୍ଷସାରା ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇ ପାରିବ ।

୨) ଭୂପୃଷ୍ଠ ଓ ଭୂଗର୍ଭର ଜଳ ପରିମାଣ ବଢ଼ାଇବାପାଇଁ ବିଭିନ୍ନ ସ୍ଥାନରେ ଅଧିକ ସଂଖ୍ୟାର ଗାଡ଼ିଆ ପୋଖରୀମାନ ଖୋଳାଇ ଏବଂ ନିମ୍ନସ୍ଥାନ ଓ ନଦୀମାନଙ୍କର ଅବବାହ କ୍ଷେତ୍ରରେ ବନ୍ଧ ବାନ୍ଧି ସେଗୁଡ଼ିକରେ ବହୁପରିମାଣର ବୃଷ୍ଟି ଜଳ ସଂଗ୍ରହ କରାଯାଇପାରିବ ।

୩) ଆମ ଦେଶରେ ଆଧୁନିକ ପ୍ରଣାଳୀରେ ଯଥା : ଇସ୍‌ପ୍ରିଙ୍କଲ (ଝକ୍ଟ୍ରକ୍ସସଦ୍ଭଳକ୍ଷର) ଓ ଡ୍ରିପ୍ (ଊକ୍ସସକ୍ଟ୍ର) ଉପାୟରେ ଚାଷ ଜମିମାନଙ୍କରେ ଜଳସେଚନ କରାଗଲେ, ଠାଏ ଠାଏ ଚାଷ ଜମିପାଖରେ ଜଳଭଣ୍ଡାରମାନ ଖୋଳାହେଲେ ଏବଂ ଯେଉଁ ଫସଲଗୁଡ଼ିକ କମ୍ ଜଳ ଆବଶ୍ୟକ କରେ ସେ ସବୁ ଫସଲ ଅଧିକ ପରିମାଣରେ ଚାଷ କଲେ, ଜଳର ଅଭାବ ଅନୁଭୂତ ହେବ ନାହିଁ । ଏହାଦ୍ୱାରା ବର୍ଷସାରା ଦୁଇ, ତିନି ପ୍ରକାରର ଫସଲ କମ୍ ପାଣିରେ ଉତ୍ପନ୍ନ କରିହେବ ।

୪) ଆମ ଦେଶରେ ଜଳସେଚନ, ପିଇବା, ଗାଧୋଇବା ଏବଂ କଳକାରଖାନା ଇତ୍ୟାଦି ପାଇଁ ଜଳ ପରିବହନ ତ୍ରୁଟିପୂର୍ଣ୍ଣ ପଦ୍ଧତିରେ ହେଉଥିବାରୁ ପ୍ରାୟ ଶତକଡ଼ା ଚାଳିଶ ଭାଗ ଜଳ ନଷ୍ଟ ହୋଇଥାଏ । ତେଣୁ ଏସବୁ କ୍ଷେତ୍ରକୁ ଆଧୁନିକ ପଦ୍ଧତିରେ ଜଳ ପରିବହନ ହେବା ଆବଶ୍ୟକ ।

୫) ସହର ବଜାର ଓ ଶିଳ୍ପ କାରଖାନାମାନଙ୍କର ତେଜ୍ୟ ଜଳ ନଦୀ ଓ ହ୍ରଦମାନଙ୍କୁ ଛଡ଼ା ହେବା ଯୋଗୁ ଜଳ ବହୁ ପରିମାଣରେ ଦୂଷିତ ହେଉଛି । ତେଣୁ, ଏସବୁ ତେଜ୍ୟ ଜଳକୁ ପରିଷ୍କାର କରି ପୁଣି ବ୍ୟବହାର କରିବା କିମ୍ବା ନଦୀ ଓ ହ୍ରଦକୁ ଛାଡ଼ିବା ଉଚିତ ।

୬) କଳକାରଖାନାଗୁଡ଼ିକ ତାଙ୍କର ନିକଟବର୍ତ୍ତୀ ନିମ୍ନ ସ୍ଥାନମାନଙ୍କରେ ଦରକାର ମୁତାବକ ବର୍ଷା ଜଳ ସଂଗ୍ରହ କରି ସେହି ଜଳକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କଲେ ସେମାନଙ୍କୁ ବାହାର ଜଳ ଉପରେ ବିଶେଷ ନିର୍ଭର କରିବାକୁ ପଡ଼ିବ ନାହିଁ ।

୭) ଆଜିକାଲି ଚାଷ କାମରେ ରାସାୟନିକ ସାର ଓ ପୋକମରା ଔଷଧ ଅଧିକ ପରିମାଣରେ ବ୍ୟବହାର କରିବା ଯୋଗୁ ପାଖ ଆଖ ଅଞ୍ଚଳରେ ଜଳ ବହୁ ପରିମାଣରେ ଦୂଷିତ ହେଉଛି ଏବଂ ମାଛ, କଙ୍କଡ଼ା ଇତ୍ୟାଦି ଜଳଜୀବ ମରି ଯାଉଛନ୍ତି । ତେଣୁ ସରକାର ଚାଷ ଜମିଗୁଡ଼ିକରେ ଜୈବିକ ସାର ଓ କୀଟ ନାଶକ ଔଷଧ ବ୍ୟବହାର କରିବା ପାଇଁ ଚାଷିମାନଙ୍କୁ ଉତ୍ସାହିତ କରିବା ଉଚିତ । ଏହା ଦ୍ୱାରା ମୃତ୍ତିକାର ଉତ୍ପାଦନ ଶକ୍ତି ମଧ୍ୟ ବଢ଼ିବ ।

୮) ଜଳ ସେଚନ, ଶିଳ୍ପ କାରଖାନା ଓ ପିଇବା ଇତ୍ୟାଦି ପାଇଁ ଜଳର ଉପଯୁକ୍ତ ମୂଲ୍ୟାୟନ କରି, ତାହା ବ୍ୟବହାର କରୁଥିବା ଅନୁଷ୍ଠାନ ବା ବ୍ୟକ୍ତିଙ୍କ ଠାରୁ ନିୟମିତ ଭାବେ ଆଦାୟ କରିବା ଉଚିତ । ଏହାଦ୍ୱାରା ସରକାର ଜଳ ସଂଗ୍ରହ ଓ ବଣ୍ଟନ ସୁଚାରୁ ରୂପେ କରିପାରିବେ ଏବଂ ଜଳ ଖୁବ୍ କମ୍ ପରିମାଣରେ ନଷ୍ଟ ହେବ । ଦରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ଠାରୁ ପିଇବା ଓ ଘରୋଇ ବ୍ୟବହାର ପାଇଁ ଜଳକର ଆଦାୟ ନ କରାଯିବା ଉଚିତ ହେବ ।

୯) ପିଇବା ପାଇଁ ଶୁଦ୍ଧ ଜଳ ବର୍ଷର ସବୁ ସମୟରେ ସମସ୍ତଙ୍କୁ ଯୋଗାଇ ଦେବାର ଯୋଜନା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହେବା ଉଚିତ । ଏହାଦ୍ୱାରା ମଧ୍ୟ ଜଳ ଜନିତ ବିଭିନ୍ନ ମାରାତ୍ମକ ରୋଗରୁ ଲୋକମାନେ ରକ୍ଷା ପାଇପାରିବେ ।

୧୦) ସରକାର ସର୍ବ ସାଧାରଣଙ୍କ ପିଇବା, ଗାଧୋଇବା ଇତ୍ୟାଦି ଜଳର ପରିଷ୍କାରିତାକୁ ନିୟମିତ ଭାବେ ପରୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେବା ଅତ୍ୟନ୍ତ ପ୍ରୟୋଜନ । ଏହାଦ୍ୱାରା ସର୍ବସାଧାରଣ ଜଳ ଜନିତ ବିଭିନ୍ନ ରୋଗରୁ ରକ୍ଷା ପାଇପାରିବେ ।

ଉପରଲିଖିତ ଦଶଟି ବିଷୟରେ ଉପଯୁକ୍ତ ଯୋଜନା କରି ସରକାର ସେଗୁଡ଼ିକୁ ଉତ୍ତମରୂପେ କାର୍ଯ୍ୟକାରୀ କଲେ, ସମସ୍ତ କ୍ଷେତ୍ରରେ ପ୍ରଗତି ଘଟିବ, ଜଳାଭାବ ଅନୁଭୂତ ହେବ ନାହିଁ ଏବଂ ସମସ୍ତ ଦେଶବାସୀ ଉତ୍ତମ ସ୍ୱାସ୍ଥ୍ୟରେ ଦିନ କାଟିବେ ।

(ପୂର୍ବତନ ଡାଇରେକ୍ଟର ଜେନେରାଲ୍‌, ସି.ଏସ୍‌.ଆଇ.ଆର., ଇଣ୍ଡିଆ
ଚେୟାରମ୍ୟାନ୍‌, ଇନ୍‌ଷ୍ଟିଚ୍ୟୁଟ ଅଫ୍ ଆଡ଼ଭାନ୍ସ ଟେକ୍ନୋଲୋଜି ଏଣ୍ଡ ଏନ୍‌ଭାଇରନମେଣ୍ଟାଲ ଷ୍ଟଡ଼ିଜ୍‌
୮୦ଏ-୮୩ଏ, ଲୁଇସ୍‌ରୋଡ଼, ଭୁବନେଶ୍ୱର – ୭୫୧୦୦୨)

Comments are closed.