ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଭାରତୀୟ ଖେଳାଳିଙ୍କ ପ୍ରକୃତ ପରୀକ୍ଷା ହେବ । ଏ ପର୍ଯ୍ୟନ୍ତ ଅପରାଜେୟ ଥିବା ଟିମ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଛି । ଏପରିକି ଲିଗ ପର୍ଯ୍ୟାୟରେ ଭାରତୀୟ ବୋଲରମାନେ ବିପକ୍ଷ ଦଳର ୯୦ରୁ ୮୬ ୱିକେଟ ଅକ୍ତିଆର କରିଛନ୍ତି । ଏହି ତାଲିକାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା(୮୫) ଓ ଅଷ୍ଟ୍ରେଲିଆ(୭୬) ରହିଛନ୍ତି । ନ୍ୟୁଜିଲାଣ୍ଡ ୬୯ ୱିକେଟ ହାସଲ କରି ୪ର୍ଥ ସ୍ଥାନରେ ରହିଛି । ସେହିପରି ୩୦ ଓଭରରୁ ଅଧିକ ଓଭର ବୋଲିଂ କରିଥିବା ବୋଲରଙ୍କ ମଧ୍ୟରେ ୧୦ଜଣଙ୍କ ମଧ୍ୟରେ ଭାରତର ୪ଜଣ ରହିଛନ୍ତି । ଯଶପ୍ରୀତ ବୁମରାହ ୩.୬୫ ଇକୋନୋମିକ ରେଟ ସହ ଶୀର୍ଷରେ ରହିଛନ୍ତି । ରବୀନ୍ଦ୍ର ଜାଡେଜା ୩.୯୭, କୂଲଦୀପ ଯାଦବ ୪.୧୫ ଓ ମହମ୍ମଦ ସାମୀ ୪.୭୮ ରେଟରେ ବୋଲିଂ କରିଛନ୍ତି ।
୯ଟିମରୁ ଭାରତ ୭ ଟିମକୁ ଅଲଆଉଟ କରିଛି । ଏହି ଟିମଗୁଡିକ ହେଲା ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ । ଭାରତର ବୋଲିଂ ଲାଇନ ଅପ ବିରୋଧରେ କୌଣସି ଟିମ ୩୦୦ ରନ ପାର କରି ନାହାନ୍ତି । ନ୍ୟୁଜିଲାଣ୍ଡ ସର୍ବାଧିକ ୨୭୩ ରନ ସଂଗ୍ରହ କରିଛି । ଟିମ ଇଣ୍ଡିଆ ପକ୍ଷରୁ ବୁମରାହ ସର୍ବାଧିକ ୧୭ ୱିକେଟ ହାସଲ କରିଛନ୍ତି । ତାଙ୍କ ପଛକୁ ଜାଡେଜା(୧୬), ସାମୀ (୧୬), କୁଲଦୀପ(୧୪) ଓ ମହମ୍ମଦ ସିରାଜ (୧୨) ୱିକେଟ ନେଇଛନ୍ତି । ଭାରତୀୟ ବୋଲର ଯଦି ଫର୍ମ ବଜାୟ ରଖିବେ ତେବେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିବା ଏତେଟା ସହଜ ହେବନି । ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ ଭାବେ କହିଛନ୍ତି ଆମେ ଟାଇଟଲ ହାସଲ ବ୍ୟତୀତ ଅନ୍ୟ କିଛି ଚିନ୍ତା କରୁନୁ ।
Comments are closed.