Latest Odisha News

ତାତିରୁ ମିଳିଲା ଆଶ୍ୱସ୍ତି: ରାଜ୍ୟର ୯ ଜିଲ୍ଲାରେ ହାଲୁକା ବର୍ଷା, ୨୯ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ବର: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ତଳମୁହାଁ ହୋଇଛି ପାରଦ । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ବୌଦ୍ଧରେ ୩୫, ଟିଟିଲାଗଡ଼ର ୩୪.୫, ରାୟଗଡ଼ାରେ ୩୪.୪, ଅନୁଗୁଳରେ ୩୪.୧, ମାଲକାନଗିରି, ଭବାନୀପାଟଣା ଓ ନୂଆପଡ଼ାରେ ୩୪ ଡିଗ୍ରୀ, ଫୁଲବାଣୀ ଓ ଝାରସୁଗୁଡ଼ାରେ ୩୩.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି ।

ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା କ୍ରମେ, ଆସନ୍ତା ୬ ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଏପରିକି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲାରେ ଘଡଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଛି । ଏନେଇ ଉକ୍ତ ଜିଲ୍ଲା ଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି ।

ସେହିପରି ୨୫ ତାରିଖ ଅର୍ଥାତ୍ ଆସନ୍ତାକାଲି, ଉତ୍ତର ଉପକୂଳ ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ ଜିଲ୍ଲା ଗୁଡିକର କେତକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ୨୯ ଓ ୩୦ ତାରିଖରେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.