Latest Odisha News

BREAKING NEWS

ଆଜିଠୁ ଆହୁରି ବର୍ଷିବ: ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରକୋପ ଆହୁରି ବଢିବା ସହ ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ବିଶେଷକରି ଉତ୍ତର ଓ ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଏହି ଲଘୁଚାପ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ବର୍ଷା ପରିମାଣ ବଢିବା ସହିତ ଆକସ୍ମିକ ବନ୍ୟା, ଭୂସ୍ଖଳନ ସମ୍ଭାବନା ମଧ୍ୟ ବଢିବ। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ପୁନଃ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ବିଡ଼ିଓ, ତହସିଲଦାରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।

ରାଜ୍ୟର ୯ ଜିଲ୍ଲା‌ ଯଥା ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ଅନୁଗୁଳ, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Leave A Reply

Your email address will not be published.