Latest Odisha News

BREAKING NEWS

ଆସନ୍ତାକାଲିଠୁ ପାଗ ବଦଳିବ, ୩୧ ଯାଏଁ ରାଜ୍ୟରେ ଜାରି ରହିବ କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ

ଭୁବନେଶ୍ବର: ରାଜ୍ୟରେ ଏବେ ବର୍ଷା ସାଙ୍ଗକୁ ଲାଗି ରହିଛି କୋହଲା ପାଗ । ଯାହାଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ବର୍ତ୍ତମାନ ସମୟରେ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଶୀତରେ ଥରୁଛି ଦକ୍ଷିଣ ଓଡ଼ିଶା । ଉପକୂଳ ଓଡ଼ିଶାରେ ସ୍ଥାନେ ସ୍ଥାନେ ବର୍ଷା ସାଙ୍ଗକୁ ଜାରି ରହିଛି ଶୀତଲ ଲହରି ।

ଅନ୍ୟପଟେ, ଧାନ ଅମଳ ସମୟରେ ଅଦିନିଆ ବର୍ଷା କାରଣରୁ ଚାଷୀମାନେ ବହୁ ହନ୍ତସନ୍ତ ହୋଇପଡିଛନ୍ତି । ଆଉ କେଉଁଠି ମଣ୍ଡିରେ ଧାନ ପଡ଼ି ରହି ବର୍ଷାରେ ଭିଜୁଛି । ଧାନ ବସ୍ତରେ ରହି ଗଜା ହୋଇଯିବାର ଆଶଙ୍କା ମଧ୍ୟ ଦେଖାଦେଇଛି । ଅନ୍ୟପଟେ ଶୀତ ଦିନିଆ ଫସଲ ମଧ୍ୟ ନଷ୍ଟ ହେବାକୁ ବସିଲାଣି ଏହି ବର୍ଷା କାରଣରୁ । ଫଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ କୂଳ ।

ଆଜି ବି ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ଘୂର୍ଣ୍ଣିବଳୟ ସାଙ୍ଗକୁ ଗୁରୁଚାପ ବଳୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ଏଭଳି ବର୍ଷା ଲାଗି ରହିଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗୁରୁଚାପର ପ୍ରଭାବ ଆଜି (ଗୁରୁବାର) ଠାରୁ କମିବ । ତେଣୁ ୨୬ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବ ବୋଲି ସୂଚନା ରହିଛି । ତେବେ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ ବୋହିବ, ହେଲେ ବର୍ଷା ହେବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

Leave A Reply

Your email address will not be published.