Latest Odisha News

BREAKING NEWS

ଓଡିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ ପାଚେରୀ ନିର୍ମାଣ

ବାଲେଶ୍ୱର: ଦିନକୁ ଦିନ ଓଡିଶାରେ ଦାଦାଗିରି ଦେଖାଇବାରେ ଲାଗିଛନ୍ତି ପଡୋଶୀ ରାଜ୍ୟ । ପ୍ରଥମେ ଆନ୍ଧ୍ର ଓ ଏବେ ଓଡିଶାର ଉଦୟପୁରରେ ପଶ୍ଚିମବଙ୍ଗ ଧସେଇ ପଶିଛି । ବିନା ଆଲୋଚନା ଓ ଅନୁମତିରେ ଉଦୟପୁରରେ ପଶ୍ଚିମବଙ୍ଗ ପ୍ରଶାସନ ପାଚେରୀ ନିର୍ମାଣ ନେଇ ଉତ୍ତେଜନା ଦେଖାଦେଇଛି ।

BjdElectrycity

ପୂର୍ବରୁ ସୀମା ବିବାଦକୁ ନେଇ ବହୁବାର ଓଡିଶା ଓ ପଶ୍ଚିମବଙ୍ଗ ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ଅନେକ ଭାବିଥିଲେ ବୋଧ ହୁଏ ବାହାରିବ ସମାଧାନର ବାଟ । ହେଲେ ପୁଣିଥରେ ନିଜ ଅସଲ ରୂପ ଦେଖାଇଛି ପଶ୍ଚିମବଙ୍ଗ । ବାତ୍ୟା ୟାସ୍‌ରେ ପ୍ରଭାବିତ ହୋଇ ଓଡିଶା ଉଦୟପୁର ସୀମାକୁ ଲାଗି ରହିଥିବା ପଶ୍ଚିମବଙ୍ଗର କିଛି ପାଚେରୀ ଅଂଶ ଭୁଷୁଡି ପଡିଥିଲା । ଏ ନେଇ ପଶ୍ଚିମବଙ୍ଗ ପ୍ରଶାସନ ପାଚେରୀ ମରାମତି କାମ ଆରମ୍ଭ କରିଥିଲା ।

ତେବେ ନିଜ ସୀମାରେ ନିର୍ମାଣ କରିବା ଆଳରେ ଓଡିଶା ସୀମାର ପ୍ରାୟ ୫୦ ଫୁଟ୍ ଭିତରକୁ ପାଚେରୀ ନିର୍ମାଣ କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଓଡିଶା ସୀମାରେ ପଶ୍ଚିମବଙ୍ଗ ପାଚେରୀ ନିର୍ମାଣ କରୁଥିବା ଦେଖି ସ୍ଥାନୀୟ ଲୋକେ ବିରୋଧ କରିବା ସହ ପୋଲିସ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପହଂଚି ଭୋଗରାଇ ତହସିଲଦାର ପାଚେରୀ ନିର୍ମାଣ କାମ ବନ୍ଦ କରିବା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତହସିଲଦାରଙ୍କ ପରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭବେଶ କୁମାର ନାୟକ ଉଦୟପୁରଠାରେ ସ୍ଥିତି ପରଖିଥିଲେ । ବର୍ତ୍ତମାନ ସ୍ଥିତିରେ ପଶ୍ଚିମବଙ୍ଗର ପାଚେରୀ ନିର୍ମାଣ କାମ ବନ୍ଦ ରହିଥିଲାବେଳେ ଆଗାମୀ ଦିନରେ ପୁନର୍ବାର ସୀମା ବିବାଦ ସମସ୍ୟା ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.