Latest Odisha News

ଫୋକସରେ ପଶ୍ଚିମ ଓଡ଼ିଶା: ଯେଉଁ ଦଳ ମନ ଜିିଣିବ; ତାକୁ ଜିତାଇବେ ଜନତା!

ଭୁବନେଶ୍ୱର: ୧୧ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡିଛି।

ଶନିବାର ମା ସମେଲଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ କରି ରାଜ୍ୟ ସରକାର ନିର୍ବାଚନ ବେଳେ ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଯୋଡି ହେବାକୁ ଚେଷ୍ଟା କରିଛନ୍ତି। ଏହି ପ୍ରକଳ୍ପ ନିଜ (ବିଜେଡି) ଆଡକୁ ଭୋଟ୍ ଆଣିବାରେ ସଫଳ ହେବେ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ବିଜେପିର ଭାତ ହାଣ୍ଡି କୁହାଯାଉଥିବା ଏହି ଅଞ୍ଚଳରେ ପୁଣିଥରେ କିଭଳି ଦଳ ନିର୍ବାଚନରେ ବାଜିମାତ କରିବ ସେ ନେଇ ଜୋରସୋର ପ୍ରସ୍ତୁତି ଚଳାଇଛି। ଆଉ ଆଇଆଇଏମ କ୍ୟାମ୍ପସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଆଣି ଦଳ ବିଜେଡିର ଭୋଟ୍ ବ୍ୟାଙ୍କକୁ ଚୁରମାର କରିବାକୁ ଲକ୍ଷ୍ଯ ରଖିଛି।

୨୦୦୦ ମସିହାରୁ ଓଡ଼ିଶାରେ କ୍ଷମତାରେ ଥିବା ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଓ କଲ୍ୟାଣମୂଳକ ଯୋଜନା ଉପରେ ନିର୍ଭର କରୁଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ନବୀକରଣ ପାଇଁ ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ କରି ପଶ୍ଚିମ ଓଡ଼ିଶାର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳ ଚେଷ୍ଟା କରୁଛି।

ନବୀନ ପଟ୍ଟନାୟକ ସରକାର ପଶ୍ଚିମ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦେଉଛନ୍ତି। ସମଲେଇ ପ୍ରକଳ୍ପ ଅଧୀନରେ ସମଲେଶ୍ୱରୀ ମନ୍ଦିରର ଯେଉଁଭଳି ରୂପାନ୍ତର ହୋଇଛି ତାହା ବେଶ୍ ପ୍ରଶଂସାଯୋଗ୍ୟ ଓ ଅଭିନବ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ଟି ଆସନ ଯିତିଥିବା ବେଳେ ସାରା ଓଡିଶାରୁ ୨୧ଟି ଆସନରୁ ମୋଟ୍ ୮ଟିରେ ବିଜୟୀ ହୋଇଥିଲା। ଏବେ ସମାନ ସଫଳତାର ପୁନରାବୃତ୍ତି କରିବାକୁ ଆଶା ରଖିଛି। ଆସନ୍ତା ୩ ତାରିଖରେ ସମ୍ବଲପୁରରେ ଜନସମାବେଶକୁ ସମ୍ବୋଧିତ କରିବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଦଳ ପ୍ରସ୍ତୁତି ଚଳାଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ବିଷୟରେ ତାଙ୍କର ଦୂରଦୃଷ୍ଟି ଓ ସ୍ୱପ୍ନ ବାଣ୍ଟିବା ସହ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରିବେ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସମ୍ବୋଧିତ ହେବାକୁ ଥିବା ଜନସଭାରେ ଲକ୍ଷ ଲକ୍ଷ ଲୋକ ଏକାଠି ହେବେ । ବୈଠକକୁ ସୁରୁଖୁରୁରେ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ଏକଦା ଓଡ଼ିଶା ରାଜନୀତିରେ ଏକ ପ୍ରଭାବଶାଳୀ ଶକ୍ତି ଥିବା କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କୁ ଏକାଠି କରି ରାଜ୍ୟରେ ନିଜର ଭାଗ୍ୟ କୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛି। ଆସନ୍ତା ୧୪ ତାରିଖରେ ପଶ୍ଚିମ ଓଡ଼ିଶାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆୟୋଜନ କରିବାକୁ ଦଳ ଯୋଜନା କରିଛି, ଯାହାର ନେତୃତ୍ୱ ନେବେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଝାରସୁଗୁଡାରେ ରାହୁଲଙ୍କ ନ୍ୟାୟ ଯାତ୍ରା ରହିଛି। ଏକଦା ଏହି ଜିଲ୍ଲାରେ କଂଗ୍ରେସ ପ୍ରଭାବଶାଳୀ ଥିଲା। ଏପରି କରି କଂଗ୍ରେସ ପଶ୍ଚିମ ଓଡିଶାରେ ମଜବୁତ ହେବ ବୋଲି ଆଶା ରଖିଛି। ଏହି ଯାତ୍ରାରେ କୃଷକ, ଯୁବକ, ମହିଳା ଓ ଆଦିବାସୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବ କଂଗ୍ରେସ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମଧ୍ୟ ଦଳ ପଦାରେ ପକାଇବ।

ବିଜେପି ଓ ବିଜେଡି ଧାର୍ମିକ ଧ୍ରୁବୀକରଣ ମାଧ୍ୟମରେ ଭୋଟ୍ ବ୍ୟାଙ୍କ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶାବାସୀ ସେମାନଙ୍କୁ ଆଦୌ ଗ୍ରହଣ କରିବେ ନାହିଁ। ଓଡ଼ିଶାକୁ ଯିଏ ଆସିବ, ତା’ର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।

ରାଜନୈତିକ ବିଶ୍ଳେଷକଙ୍କ ମତରେ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଏକ ଜବରଦସ୍ତ ମୁକାବିଲା ହେବ ଏବଂ ଫଳାଫଳ ନିର୍ଦ୍ଧାରଣରେ ପଶ୍ଚିମ ଓଡ଼ିଶାଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବଲପୁର ଗସ୍ତ ଏହି ଅଞ୍ଚଳର ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ସେମାନେ ବିଶ୍ୱାସ କରୁଥିବା ବେଳେ ବିଜେଡି ସମଲେଇ ପ୍ରକଳ୍ପର ଉଦଘାଟନ କରି ବିଜେପିର ରଣନୀତିକୁ ପ୍ରତିହତ କରିବାକୁ ଚେଷ୍ଟା କରିବ।

ଓଡ଼ିଶା ସରକାର ଓ ଶାସକ ଦଳ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟ ଜାଣିବାକୁ ସମଗ୍ର ଓଡ଼ିଶାବାସୀ ଆଗ୍ରହୀ ରହିବେ। ଏହା ଓଡ଼ିଶାରେ ମତଦାନ ଢାଞ୍ଚାକୁ ପ୍ରଭାବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ବିଶ୍ଳେଷକ କୁହନ୍ତି।

Comments are closed.