Latest Odisha News

BREAKING NEWS

କୋଭିଡ-୧୯ ସଂକ୍ରମଣ: ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା

ଭୁବନେଶ୍ୱର: ବୟସ୍କ ନାଗରିକଙ୍କ ପ୍ରତି କୋଭିଡ-୧୯ ସଂକ୍ରମଣର ଅଧିକ ଭୟ ରହିଛି । କାରଣ ସେମାନଙ୍କର ରୋଗ ପ୍ରତିଷେଧକ ଶକ୍ତି ଏବଂ ଶାରୀରିକ କ୍ଷମତା କମ ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ବରିଷ୍ଠ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ, ଜଟିଳ କିଡନୀ ରୋଗ ଏବଂ ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ଥାଆନ୍ତି । ଏହି ରୋଗର ପ୍ରକୋପ ବୟସ୍କଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ମୃତ୍ୟୁହାର ମଧ୍ୟ ଅଧିକ ହୋଇଥାଏ । ଜାଣନ୍ତୁ ବରିଷ୍ଠ ନାଗରିକଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ କ’ଣ କରିବେ ଓ କ’ଣ କରିବେ ନାହିଁ ।

କ’ଣ କରିବେ : 

୧. ଘରେ ରୁହନ୍ତୁ । ଘରକୁ ଆସୁଥିବା ବାହାର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଯଦି ଭେଟିବା ଜରୁରି ହୋଇଥାଏ, ଗୋଟିଏ ମିଟର ଦୂରତା ରକ୍ଷା କରନ୍ତୁ ।

୨. ସାବୁନ ଓ ପାଣିରେ ନିଜ ହାତ ଓ ମୁହଁକୁ ବାରମ୍ବାର ଧୂଅନ୍ତୁ ।

୩. ଛିଙ୍କିବା ଓ କାଶିବା ସମୟରେ କହୁଣୀ, ଟିସୁ ପେପର କିମ୍ବା ରୁମାଲ ମୁହଁରେ ଦିଅନ୍ତୁ । କାଶିବା ଓ ଛିଙ୍କିବା ପରେ ଟିସୁ ପେପରକୁ ଫିଙ୍ଗିଦିଅନ୍ତୁ କିମ୍ବା ରୁମାଲକୁ ସଫା କରି ଦିଅନ୍ତୁ ।

୪. ଘରେ ରନ୍ଧା ହୋଇଥିବା ପୁଷ୍ଟିସାରଯୁକ୍ତ ଗରମ ଖାଦ୍ୟ ଖାଆନ୍ତୁ । ଯଥେଷ୍ଟ ତରଳ ଖାଦ୍ୟ ଖାଆନ୍ତୁ ଏବଂ ପ୍ରତିଷେଧକ ଶକ୍ତି ବଢ଼ାଇବା ଲାଗି ତାଜା ଫଳ ରସ ପିଅନ୍ତୁ ।

୫. ବ୍ୟାୟାମ ଓ ଧ୍ୟାନ କରନ୍ତୁ ।

୬. ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜର ଦୈନିକ ଔଷଧ ଠିକ ସମୟରେ ସେବନ କରନ୍ତୁ ।

୭. ଆପଣଙ୍କ ସାଥୀରେ ରହୁନଥିବା ପରିବାରର ସଦସ୍ୟ, ସମ୍ପର୍କୀୟ, ବନ୍ଧୁଙ୍କ ସହିତ ଫୋନ ଏବଂ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୁଅନ୍ତୁ । ଆବଶ୍ୟକ ହେଲେ ପରିବାର ସଦସ୍ୟଙ୍କ ସହାୟତା ନିଅନ୍ତୁ ।

୮. ଅତି ଜରୁରି ନଥିଲେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଏବଂ ଆଣ୍ଠୁ ପ୍ରତିରୋପଣ ଭଳି ଅସ୍ତ୍ରୋପଚାରକୁ ଘୁଞ୍ଚାଇ ଦିଅନ୍ତୁ ।

୯. ଜୀବାଣୁନାଶକ ଦ୍ୱାରା ନିୟମିତ ବ୍ୟବଧାନରେ ବାରମ୍ବାର ସ୍ପର୍ଶ କରୁଥିବା ସ୍ଥାନକୁ ସଫା ରଖନ୍ତୁ ।

୧୦. ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଜ୍ୱର, କଫ କିମ୍ବା ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ସହ ଯୋଗାଯୋଗ କରନ୍ତୁ ଏବଂ ଚିକିତ୍ସା ପରାମର୍ଶ ମାନି ଚଳନ୍ତୁ ।

କ’ଣ କରିବେ ନାହିଁ : 

୧.ଖାଲି ହାତ କିମ୍ବା ମୁହଁକୁ ନଘୋଡ଼ାଇ କାଶନ୍ତୁ କିମ୍ବା ଛିଙ୍କନ୍ତୁ ନାହିଁ ।

୨. ଜ୍ୱର କିମ୍ବା କଫ ହେଉଥିଲେ ଅନ୍ୟ କାହାରିକୁ ସ୍ପର୍ଶ କରନ୍ତୁ ନାହିଁ ।

୩. ଆଖି, ମୁହଁ, ନାକ କିମ୍ବା ଜିଭକୁ ବାରମ୍ବାର ଛୁଅଁନ୍ତୁ ନାହିଁ ।

୪. ସଂକ୍ରମିତ କିମ୍ବା ଅସୁସ୍ଥ ଲୋକ ନିକଟକୁ ଯାଆନ୍ତୁ ନାହିଁ ।

୫. ନିଜେ ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ ।

୬. ବନ୍ଧୁ ଏବଂ ନିକଟ ସମ୍ପର୍କୀୟଙ୍କ ସହ ହାତ ମିଳାନ୍ତୁ ନାହିଁ କିମ୍ବା ଆଲିଙ୍ଗନ କରନ୍ତୁ ନାହିଁ ।

୭. ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କିମ୍ବା ଯାଞ୍ଚ ପାଇଁ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ । ଯେତେଦୂର ସମ୍ଭବ ଡାକ୍ତରଙ୍କ ସହିତ ଫୋନ ଜରିଆରେ ପରାମର୍ଶ ଗ୍ରହଣ କରନ୍ତୁ ।

୮. ପାର୍କ, ବଜାର ଏବଂ ଧାର୍ମିକ ସ୍ଥଳୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ ।

୯. ଅଯଥାରେ ବାହାରକୁ ଯାଆନ୍ତୁ ନାହିଁ ।

Leave A Reply

Your email address will not be published.