ଆଜିକାଲି ଘରେ ଘରେ ଏଲଇଡି ବଲ୍ବ୍ର ବ୍ୟବହାର ବହୁଳ ମାତ୍ରାରେ ବଢ଼ିଥିଲେ ମଧ୍ୟ ହଳଦିଆ ଆଲୁଅ ଦେଉଥିବା ପାରମ୍ପରିକ ଇନ୍କାଣ୍ଡେସେଣ୍ଟ ବଲ୍ବ୍ର ଚାହିଦା ଏବେ ବି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ । ବିଭିନ୍ନ ପୂଜାପାର୍ବଣ, ସାଜସଜ୍ଜା ଠାରୁ ଆରମ୍ଭ କରି ଶୀତଦିନେ ଉଷ୍ମତା ପାଇବା ପାଇଁ ଲୋକେ ଏହି ବଲ୍ବ୍ ବ୍ୟବହାର କରିଥାନ୍ତି । ତେବେ ଆପଣ କେବେ ଭାବିଛନ୍ତି କି, କାଚର ଏହି ସାଧାରଣ ଦେଖାଯାଉଥିବା ବଲ୍ବ୍ ଭିତରେ କେଉଁ ଗ୍ୟାସ୍ ଭର୍ତ୍ତି ହୋଇଥାଏ ଏବଂ ବଲ୍ବ୍କୁ ଜଳାଇ ରଖିବାରେ ଏହାର କାମ କ’ଣ? ଆସନ୍ତୁ ଜାଣିବା ଆମ ଦୈନନ୍ଦିନ ଜୀବନ ସହ ଜଡିତ ଏହି ଛୋଟିଆ ଉପକରଣ ପଛର ବୈଜ୍ଞାନିକ କାରଣ ।
ସାଧାରଣତଃ ଏକ ଇଲେକ୍ଟ୍ରିକ୍ ବଲ୍ବ୍ ଭିତରେ ‘ଆର୍ଗନ୍’ ଗ୍ୟାସ୍ ରହିଥାଏ। ଅନେକ ସମୟରେ ବଲ୍ବ୍ର କ୍ଷମତା ବୃଦ୍ଧି କରିବା ପାଇଁ ଏହା ସହିତ ସାମାନ୍ୟ ପରିମାଣର ନାଇଟ୍ରୋଜେନ୍ ଗ୍ୟାସ୍ ମଧ୍ୟ ମିଶାଇ ଦିଆଯାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ଆର୍ଗନ୍ ହେଉଛି ଏକ ନିଷ୍କ୍ରିୟ ଗ୍ୟାସ୍। ଅର୍ଥାତ୍ ଏହା ଅନ୍ୟ କୌଣସି ରାସାୟନିକ ପଦାର୍ଥ କିମ୍ବା ଧାତୁ ସହିତ ସହଜରେ ପ୍ରତିକ୍ରିୟା କରେ ନାହିଁ। ଆମେ ଜାଣୁ ଯେ, ବଲ୍ବ୍କୁ ଜଳାଇବା ପାଇଁ ଏଥିରେ ଟଙ୍ଗଷ୍ଟେନ୍ ନାମକ ଏକ ସ୍ୱତନ୍ତ୍ର ଧାତୁର ତାର ବା ଫିଲାମେଣ୍ଟ ବ୍ୟବହାର କରାଯାଇଥାଏ । ଯେତେବେଳେ ବଲ୍ବ୍ରେ ବିଦ୍ୟୁତ୍ ସଂଯୋଗ ହୁଏ, ଏହି ଫିଲାମେଣ୍ଟଟି ଅତ୍ୟଧିକ ଗରମ ହୋଇ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ ।
ଏଠାରେ ଆର୍ଗନ୍ ଗ୍ୟାସ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ବଲ୍ବ୍ ଭିତରେ ସାଧାରଣ ପବନ କିମ୍ବା ଅମ୍ଳଜାନ ରୁହେ, ତେବେ ଉତ୍ତପ୍ତ ହେବା ମାତ୍ରେ ଟଙ୍ଗଷ୍ଟେନ୍ ତାରଟି ଅକ୍ସିଡେସନ୍ ପ୍ରକ୍ରିୟା ଯୋଗୁଁ ତୁରନ୍ତ ପୋଡ଼ିଯାଇ ଛିଣ୍ଡିଯିବ ବା ବଲ୍ବ୍ ଫ୍ୟୁଜ୍ ହୋଇଯିବ। କିନ୍ତୁ ଆର୍ଗନ୍ ଗ୍ୟାସ୍ ଫିଲାମେଣ୍ଟକୁ ଏହି ଅକ୍ସିଡେସନ୍ରୁ ରକ୍ଷା କରିଥାଏ ଏବଂ ଟଙ୍ଗଷ୍ଟେନ୍ର ବାଷ୍ପୀକରଣ ପ୍ରକ୍ରିୟାକୁ ଧୀର କରିଦିଏ। ଫଳରେ ବଲ୍ବ୍ଟି ଦୀର୍ଘ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ ଏବଂ ଶୀଘ୍ର ଖରାପ ହୁଏ ନାହିଁ।
ଅନ୍ୟପକ୍ଷରେ, ବଲ୍ବ୍ର ଫିଲାମେଣ୍ଟ ପାଇଁ ଟଙ୍ଗଷ୍ଟେନ୍ ବାଛିବାର ମୁଖ୍ୟ କାରଣ ହେଉଛି, ଏହାର ତରଳନାଙ୍କ ଅତ୍ୟନ୍ତ ଉଚ୍ଚ ଏବଂ ବାଷ୍ପ ଚାପ ଖୁବ୍ କମ୍ । ଏହି କାରଣରୁ ଟଙ୍ଗଷ୍ଟେନ୍ ଅତ୍ୟଧିକ ଉତ୍ତାପରେ ମଧ୍ୟ ତରଳି ନଯାଇ ସହଜରେ ଆଲୁଅ ଦେଇପାରେ ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ବଜାରରେ ମିଳୁଥିବା କିଛି ଉଚ୍ଚ-କ୍ଷମତା ସମ୍ପନ୍ନ ତଥା ଦାମୀ ବଲ୍ବ୍ରେ ଅଧିକ ପାୱାର ଏବଂ ଅଧିକ ଦିନ ଯେମିତି ଚାଲିବ ସେ ପାଇଁ ପାଇଁ ଆର୍ଗନ୍ ବଦଳରେ କ୍ରିପ୍ଟନ୍ କିମ୍ବା ଜେନନ୍ ଭଳି ଗ୍ୟାସ୍ ମଧ୍ୟ ବ୍ୟବହାର କରାଯାଉଛି । ତେଣୁ, ପରବର୍ତ୍ତୀ ଥର ଯେତେବେଳେ ଆପଣ ଘରେ ଏକ ବଲ୍ବ୍ ଲଗାଇବେ, ନିଶ୍ଚୟ ମନେ ପକାଇବେ ଯେ ଏହାର ଉଜ୍ଜ୍ୱଳ ଆଲୋକ ପଛରେ ଏହି ଅଦୃଶ୍ୟ ଆର୍ଗନ୍ ଗ୍ୟାସ୍ ଏବଂ ଟଙ୍ଗଷ୍ଟେନ୍ ତାରର ହିଁ ସବୁ କମାଲ୍ ରହିଛି ।

